ସ୍ୱଳ୍ପ ଖର୍ଚ୍ଚରେ ବିଶୋଧନାଗାର ନିର୍ମାଣ କଲେ ନାଲ୍‌କୋ ଯନ୍ତ୍ରୀ

ନାଲକୋନଗର : କରୋନା ଲଢ଼େଇରେ ନିଜର ଅବଦାନ ରଖିଛନ୍ତି ଅନୁଗୁଳ ନାଲକୋ ‌େସ୍ମଲ୍‌ଟର ଓ ସିପିପି ପ୍ଲାଣ୍ଟର ଯୁବ ଯନ୍ତ୍ରୀ ଓ କର୍ମଚାରୀ। ପ୍ଲାଣ୍ଟର କାର୍ବନ ଏରିଆ ମେକାନିକାଲ୍‌, ବିଦ୍ୟୁତ୍‌ ଓ ଉପକରଣ ବିଭାଗର ଯନ୍ତ୍ରୀମାନେ ମାତ୍ର ୮ ଦିନ ମଧ୍ୟରେ ସ୍ବଳ୍ପ ଖର୍ଚ୍ଚରେ ସ୍ବଦେଶୀ ଜ୍ଞାନକୌଶଳରେ ଏକ ବିଶୋଧନାଗାର ନିର୍ମାଣ କରିଛନ୍ତି।

୧୦ଫୁଟ ଉଚ୍ଚ, ସାଢ଼େ ୫ ଫୁଟ୍‌ ଚଉଡ଼ା ଏବଂ ୮ ଫୁଟ୍‌ ଲମ୍ବର ଏହି ବିଶୋଧନାଗାର ତିଆରି କରିବା ପାଇଁ ମାତ୍ର ୩ ହଜାର ଟଙ୍କାର ସାମଗ୍ରୀ କିଣାଯାଇଛି। ପ୍ଲାଣ୍ଟରେ ପଡ଼ିଥିବା କିଛି ଅବ୍ୟବହୃତ ଲୁହା ଓ ଯନ୍ତ୍ରାଂଶ ବ୍ୟବହାର କରି ଏହା ନିର୍ମିତ ହୋଇଛି। କରୋନା କବଳରୁ ପ୍ଲାଣ୍ଟ କର୍ମଚାରୀମାନଙ୍କୁ ସୁରକ୍ଷା ଦେବାରେ ଏହା ସହାୟକ ହୋଇପାରିବ ବୋଲି ନିର୍ମାଣ କାର୍ଯ୍ୟର ନେତୃତ୍ବ ନେଇଥିବା ଯନ୍ତ୍ରୀ ମୋଜେସ କେର୍କେଟା ଆଶା ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ନାଲ୍‌କୋ ପ୍ଲାଣ୍ଟକୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ କର୍ମଚାରୀ ଆସୁଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ସେମାନେ ସ୍ବଚ୍ଛତା ଅବଲମ୍ବନ କରିବା ଆବଶ୍ୟକ। ତେବେ ଏହି ବିଶୋଧନାଗାର ଭିତର ଦେଇ ଗଲେ ଜଣେ ବ୍ୟକ୍ତିଙ୍କ ଶରୀର ମାତ୍ର ୧୦ ସେକେଣ୍ଡରେ ବିଶୋଧିତ ହୋଇପାରିବ। ଏଥିରେ ସ୍ବୟଂଚାଳିତ ସ୍ପ୍ରେୟର୍‌ ଖଞ୍ଜାଯାଇଛି। ଜଣେ ପ୍ରବେଶ କଲେ ଛାଏଁ ଏଥିରୁ ବିଶୋଧକ ଛିଞ୍ଚି ହୋଇଯିବ। ବିଶୋଧନାଗାର ଚାଲିବା ପାଇଁ ୨୪୦ ଭୋଲ୍‌ଟ ବିଦ୍ୟୁତ୍ ଆବଶ୍ୟକ। ଜଣେ ବ୍ୟକ୍ତିଙ୍କ ଶରୀର ବିଶୋଧନ ପାଇଁ ଏଥିରେ ଘଣ୍ଟାପ୍ରତି ମାତ୍ର ୦.୦୨ୱାଟ ବିଦ୍ୟୁତ୍‌ ଖର୍ଚ୍ଚ ହୋଇଥାଏ ବୋଲି ଯନ୍ତ୍ରୀ ଶ୍ରୀ କେ‌ର୍କେଟା କହିଛନ୍ତି। ବି‌ଶୋଧନାଗାରରେ ଏକ ମୋସନ୍‌ ସେନ୍‌ସର ସଂଯୁକ୍ତ କରାଯାଇଛି ଯାହା ଫଳରେ ଏହାକୁ ଚଳାଇବା ପାଇଁ କୌଣସି ବ୍ୟକ୍ତିଙ୍କର ଆବଶ୍ୟକତା ପଡ଼େନାହିଁ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ଡାକ୍ତରଖାନା ବା ଯେ କୌଣସି ସର୍ବସାଧାରଣ ସ୍ଥାନରେ ରଖି ବ୍ୟବହାର କରିହେବ। ଏଥିରେ ‌ଯେ କୌଣସି ନିରାପଦ ରାସାୟନିକ ଦ୍ରବ୍ୟ ବ୍ୟବହାର କରାଯାଇପାରିବ। ଏଥିନିମନ୍ତେ ବିଶୋଧନାଗାରରେ ଏକ ୪୦ ଲିଟର କ୍ଷମତା ବିଶିଷ୍ଟ ପ୍ରେସର ଟାଙ୍କି ସଂଯୁକ୍ତ କରାଯାଇଛି। ‌େସ୍ମଲ୍ଟର ପ୍ଲାଣ୍ଟର ଜିଏମ ମୃତ୍ୟୁଞ୍ଜୟ ଦାସଙ୍କ ପ୍ରଚେଷ୍ଟା ଓ କର୍ମଚାରୀଙ୍କ ସହଯୋଗରେ ଏହି ବିଶୋଧନାଗାର ନିର୍ମାଣ କରାଯାଇଛି। ଏହା ନିର୍ମାଣ କରିବା ପାଇଁ ପ୍ଲାଣ୍ଟ ପରିସରରେ ପଡି ରହିଥିବା ଲୁହା, ପ୍ରେସର ଟ୍ୟାଙ୍କି, ଦୁଇଟି ଫଟୋ ସେନ୍ସର ବ୍ୟବହାର କରାଯାଇଛି। ଫଟୋ ସେନ୍ସର ଦ୍ବାରା ଜଣେ ବିଶୋଧନାଗାରରେ ପ୍ରବେଶ କଲେ ଛାଏଁ ବିଶୋଧକ ସ୍ପ୍ରେ ହୋଇ ଆପେ ବନ୍ଦ ହୋଇଥାଏ। ନାଗପୁରର ଜଣେ ଯୁବକଙ୍କ ବିଶୋଧନାଗାର ପ୍ରସ୍ତୁତି ପ୍ରଣାଳି ୟୁଟ୍ୟୁବ୍‌ରୁ ଦେଖି ସେମାନେ ଏହି ‌ବିଶୋଧାନାଗାର ନିର୍ମାଣ କରିବା ପାଇଁ ମନ କରିଥିଲେ। ନାଲ୍‌କୋ ପ୍ରଶାସନ ସହଯୋଗ କଲେ ସେମାନେ ଅଧିକ ବିଶୋଧନାଗାର ତିଆରି କରିପାରିବେ ବୋଲି ଯନ୍ତ୍ରୀ ଶ୍ରୀ କେର୍କେଟା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର