ଝାରସୁଗୁଡ଼ା: ଲେବର ସେସ୍ ଠକିବାକୁ ବେଦାନ୍ତର ସାଂଘାତିକ ଚକ୍ରାନ୍ତ। ୨୦୧୬ ମସିହାରେ ସୁପ୍ରିମକୋର୍ଟରେ ପରାଜିତ ହେବାପରେ ନିୟମ ଅନୁସାରେ ବେଦାନ୍ତ ସମଗ୍ର ପ୍ରକଳ୍ପ ମୂଲ୍ୟର ୧ ପ୍ରତିଶତ ଅର୍ଥ ଲେବର ସେସ୍ ଆକାରରେ ରାଜ୍ୟ ସରକାରଙ୍କ ନିକଟରେ ପୈଠ କରିବା କଥା। ମାତ୍ର ସରକାରୀ ପାଣ୍ଠିକୁ ଯାଉଥିବା ଏହି ଟଙ୍କାକୁ ଠକିବା ପାଇଁ ବେଦାନ୍ତର ପ୍ରକଳ୍ପ ମୂଲ୍ୟର ଅପ୍ଡେଟ୍ କରାଯାଉନି। ଯାହା ଫଳରେ ବେଦାନ୍ତ ମାତ୍ର ୬୭ କୋଟି ୭୪ ଲକ୍ଷ ଟଙ୍କା ଏହି ସେସ୍ ବାବଦକୁ ପୈଠ କରିଛି। ସରକାର ଏ ବାବଦରେ ପ୍ରାୟ ୮୩୨ କୋଟି ଟଙ୍କା ଠକେଇର ଶିକାର ହୋଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଜିଲ୍ଲା ଶ୍ରମ ବିଭାଗକୁ ଯୋଗାଯୋଗ କରିବାରେ, ଏହି କମ୍ପାନିର ଆସେସ୍ମେଣ୍ଟ୍ ଦାୟିତ୍ବ ମୁଖ୍ୟାଳୟରେ ହେଉଥିବାରୁ ଯେଉଁ ରିପୋର୍ଟ ରହିଛି ତାହା ଆଧାରରେ ବେଦାନ୍ତ ସେସ୍ ପୈଠ କରୁଥିବା ଉତ୍ତର ମିଳିଛି। ଏନେଇ ବେଦାନ୍ତ ଜନ ସଂପର୍କ ମୁଖ୍ୟ ଅଶ୍ବିନୀ ଚାନ୍ଦଙ୍କୁ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍ ଉଠାଇନଥିଲେ।
ସୂଚନା ଅନୁସାରେ, ୨୦୦୫ ମସିହାରେ ଉଭୟ ଘରୋଇ ଓ ସରକାରୀ ଉଦ୍ୟୋଗ ଲେବର୍ ସେସ୍ ବାବଦକୁ ସରକାରୀ ପାଣ୍ଠିକୁ ମୋଟ ପ୍ରକଳ୍ପ ମୂଲ୍ୟର ୧ ପ୍ରତିଶତ ପ୍ରଦାନ କରିବାକୁ ଡିସେମ୍ବର ୨୦୦୮ରେ ସରକାରୀ ନିର୍ଦ୍ଦେଶ ଜାରି ହୋଇଥିଲା। ୨୪ ମାର୍ଚ୍ଚ ୨୦୦୯ରେ ଷ୍ଟେର୍ଲାଇଟ୍ ଏନର୍ଜି ଲିମିଟେଡ୍ (ବର୍ତ୍ତମାନର ବେଦାନ୍ତ) ସରକାରଙ୍କୁ ଚିଠି ଲେଖି କମ୍ପାନି ଫ୍ୟାକ୍ଟ୍ରି ଆଇନ୍-୧୯୪୮ରେ ପଞ୍ଜୀକୃତ ହୋଇଥିବାରୁ ଏହି ନିୟମରେ ସେ ଆସୁ ନ ଥିବା ଦର୍ଶାଇଥିଲା। ଏହାପରେ ପୁଣି ସେହିବର୍ଷ ମେ ୧ ତାରିଖ କମ୍ପାନି କୋର୍ଟରେ ସଂଶୋଧିତ ପିଟିସନ୍ ଦାଖଲ କରି ଫ୍ୟାକ୍ଟ୍ରି ଆଇନ୍ରେ ପଞ୍ଜୀକରଣ ନ ଥିବା ଉତ୍ତର ରଖିଥିଲା। ଏହା ପରଠାରୁ କମ୍ପାନିକୁ ଲଗାତାର ନୋଟିସ୍ ପ୍ରଦାନ କରାଯାଇଥିଲେ ମଧ୍ୟ, ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ କମ୍ପାନି ସରକାରଙ୍କ ନିକଟରେ ସେସ୍ ଦାଖଲ କରି ନ ଥିଲା।
ଏହି ଘଟଣାକୁ ନେଇ ବେଦାନ୍ତ ସମେତ ଆଉ କିଛି କମ୍ପାନି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ରାୟରେ କାଏମ୍ ରହି ଲେବର ସେସ୍ ପ୍ରଦାନ କରିବାକୁ ହେବ ବୋଲି ୧୮ ଅକ୍ଟୋବର ୨୦୧୬ରେ ରାୟ ଦେଇଥିଲେ। କିନ୍ତୁ ବେଦାନ୍ତ ଏହି ସେସ୍ ପଇଠ ନ କରିବାରୁ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ୨୦୧୭ରେ ଗୋଟିଏ, ୨୦୧୮ରେ ୩ଟି ଓ ୨୦୧୯ରେ ଗୋଟିଏ ଚିଠି କରାଯାଇ ଥିଲା। ଏହାପରେ ବେଦାନ୍ତ ନିଜର ପ୍ରକଳ୍ପ ମୂଲ୍ୟ ୬୭୪ କୋଟି ଦର୍ଶାଇ ସେ ବାବଦକୁ ୧ ପ୍ରତିଶତ ଟଙ୍କା ପଇଠ କରିବାକୁ ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି। ମାତ୍ର ଯଦି ବେଦାନ୍ତ ଏହି ସେସ୍ ପଇଠ କରିଛି ତେବେ ଚଳିତ ବର୍ଷ ୧୫ ଫେବ୍ରୁଆରି, ୩ ମାର୍ଚ୍ଚ ଓ ୨୩ ଅଗଷ୍ଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କାହିଁକି ଶ୍ରମ ବିଭାଗକୁ ଏ ସମ୍ପର୍କିତ ତଥ୍ୟର ସ୍ପଷ୍ଟୀକରଣ ମଗାଯାଇଛି ତାକୁନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାତ୍ର ଏ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିପୋର୍ଟ ଦାଖଲ ହୋଇଥିବା ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିବା ଅଭିଯୋଗ ଅନୁସାରେ, ବେଦାନ୍ତର ମୋଟ ପ୍ରକଳ୍ପ ମୂଲ୍ୟ ହେଉଛି ପ୍ରାୟ ୯୦ ହଜାର କୋଟି ଟଙ୍କା। ସେହି ଆଧାରରେ ୧ ପ୍ରତିଶତ ଅର୍ଥାତ୍ ପ୍ରାୟ ୯ଶହ କୋଟିରୁ କଂପାନି ଦେଇଛି ମାତ୍ର ୬୭ କୋଟି ୭୪ ଲକ୍ଷ ଟଙ୍କା। ଜିଲ୍ଲା ପ୍ରଶାସନ, ଶ୍ରମ ବିଭାଗ ଓ କିଛି ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ବେଦାନ୍ତ ପ୍ରକଳ୍ପ ମୂଲ୍ୟର ପୁନଃ ନିର୍ଦ୍ଧାରଣ କରାଯାଉ ନ ଥିବାରୁ ସରକାର ପ୍ରଭୂତ କ୍ଷତି ସହୁଥିବା ଜଣାପଡ଼ିଛି।