ସୁରତରେ ଶ୍ରମିକ ସଙ୍କଟ: ଚାଲିପାରୁନି ସୂତାକଳ, ଶ୍ରମିକଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ସୂତାକଳ ମାଲିକ

ଗଞ୍ଜାମକୁ ଫେରିଛନ୍ତି ୧.୯୨ ଲକ୍ଷ, ୭୦ ପ୍ରତିଶତ ସୁରତରୁ

ବ୍ରହ୍ମପୁର: କରୋନା ହଟ୍‌ସ୍ପଟ୍‌ ତାଲିକାରେ ଥିବା ଗୁଜରାଟର ସୁରତ ଶିଳ୍ପ ଜଗତ ଧୀରେ ଧୀରେ ମୁଖ୍ୟ ଧାରାକୁ ଫେରୁଛି। ସେଠାରେ ୩୦ ପ୍ରତିଶତ ସୂତାକଳ ଚାଲୁ ହୋଇଛି। ଶ୍ରମିକ ଅଭାବରୁ ଅଧିକାଂଶ ସୂତାକଳ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ, ମାତ୍ର ୮ ଘଣ୍ଟା ଚାଲୁଛି। ବିପତ୍ତି ବେଳେ ଶ୍ରମିକଙ୍କ ମୁହଁକୁ ଅନାଇ ନ ଥିବା ସୂତାକଳ ମାଲିକ ଏବେ ଶ୍ରମିକଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି। ଏପଟେ ଗାଁକୁ ଫେରି ଆସିଥିବା ପ୍ରବାସୀ ସଙ୍ଗରୋଧ କାଟିବା ପରେ କାମଧନ୍ଦା ସ୍ବପ୍ନ ଦେଖୁଛନ୍ତି। ଓଡ଼ିଶା ସରକାର ମଧ୍ୟ ସେଭଳି କିଛି ପଦକ୍ଷେପ ନେଇନାହାନ୍ତି। ବର୍ତ୍ତମାନ ସ୍ଥିତିରେ କିନ୍ତୁ ପ୍ରବାସୀ ଆଉ ସୁରତ ଫେରିବେ କି ନାହିଁ ତାହାକୁ ନେଇ ଦ୍ବନ୍ଦ୍ବରେ। କ‌ରୋନା ଭୟ ହଟିବା ପରେ ଓ ଚାଷ କାମ ସରିବା ପରେ କିଛି ଶ୍ରମିକ ପୁଣି ସୁରତ ଫେରିବାକୁ ଆଶା ବାନ୍ଧିଛନ୍ତି। ରାଜ୍ୟ ସରକାର କାମ ଦେଲେ ଆଉ ସୁରତ ଫେରିବୁ ନାହିଁ ବୋଲି ମଧ୍ୟ କିଛି ଶ୍ରମିକ କହିଛନ୍ତି।

ସୁରତ ଶିଳ୍ପ ଅନୁଷ୍ଠାନରେ ଦେଶର ୨୨ଟି ରାଜ୍ୟର ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ୭ଲକ୍ଷ ଓଡ଼ିଆ ଶ୍ରମିକ ନିୟୋଜିତ ଥିଲେ। କେବଳ ୩ରୁ ୪ଲକ୍ଷ ଗଞ୍ଜାମ ଜିଲ୍ଲାର। କରୋନା ସଂକ୍ରମଣ ଦୃଷ୍ଟିରୁ କେନ୍ଦ୍ର ସରକାର ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫ୍ୟୁ, ତାପରେ ଲକ୍‌ଡାଉନ୍‌ ଜାରି କଲେ। ସମଗ୍ର ଦେଶ ଠପ୍‌ ହୋଇଗଲା। ସୁରତ ସୂତାକଳରେ ବି ତାଲା ଝୁଲିଲା। ଲକ୍ଷ ଲକ୍ଷ ଓଡ଼ିଆ ଶ୍ରମିକ ଜୀବିକା ହରାଇ ଭୋକ ଓ ଦୁର୍ଦ୍ଦିନରେ ପଡ଼ିଥିବା ବେଳେ ସୂତାକଳ ମାଲିକ ସେମାନଙ୍କ ମୁହଁକୁ ଚାହିଁଲେ ନାହିଁ। ବହୁ କଷ୍ଟରେ ୩ହଜାର ୫ଶହ ଟଙ୍କା ଲେଖାଏଁ ଟିକେଟ ଦେଇ ସ୍ବତନ୍ତ୍ର ବସ୍‌ ଯୋଗେ ଏପ୍ରିଲ ୨୮ରୁ ଶ୍ରମିକମାନେ ଭିଟାମାଟିକୁ ଫେରିବା ଆରମ୍ଭ କଲେ। ଏଥିସହ ମେ ୩ରୁ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଚଳାଚଳ ଆରମ୍ଭ ହେଲା। ଗଞ୍ଜାମ ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାକୁ ୧ଲକ୍ଷ ୯୨ହଜାର ପ୍ରବାସୀ ଓଡ଼ିଆ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ ସାରି ୧ଲକ୍ଷ ୪୦ହଜାର ଘରକୁ ଫେରିଥିବା ବେଳେ ୫୨ ହଜାର ଆନୁଷ୍ଠାନିକ ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି। ସମୁଦାୟ ପ୍ରବାସୀଙ୍କ ମଧ୍ୟରୁ ୭୦ ପ୍ରତିଶତ, ଅର୍ଥାତ ୧ଲକ୍ଷରୁ ଅଧିକ ଓଡ଼ିଆ ଶ୍ରମିକ ଗଞ୍ଜାମକୁ ଫେରିଛନ୍ତି।

ତନ୍ତ ଓ ବୟନ ଶିଳ୍ପ ଗୁଜରାଟର ଆର୍ଥିକ ମାନଦଣ୍ଡ, ଯାହା ସୂତାକଳ ବନ୍ଦ ପରେ ଭୁଶୁଡ଼ି ପଡ଼ିଛି। ଏହାକୁ ନେଇ ଗୁଜରାଟ ସରକାର ବି ଚିନ୍ତାରେ। ଏପଟେ ପ୍ରବାସୀଙ୍କୁ କିଭଳି କର୍ମସଂସ୍ଥାନ ଯୋଗାଇ ହେବ ଓଡ଼ିଶା ସରକାର ମଧ୍ୟ ଚିନ୍ତା କରୁଛନ୍ତି। ମନରେଗାରେ କାମ ଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତି ଚାଲିଛି। ଅନ୍ୟପକ୍ଷରେ ଶ୍ରମିକଙ୍କୁ ବୁଝାଇବାକୁ ଗଞ୍ଜାମରେ ପହଞ୍ଚିଛନ୍ତି ଗୁଜରାଟ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ପ୍ରଦୀପ ସାହୁ। ଗଞ୍ଜାମର ବେଗୁନିଆପଡ଼ା, କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ଅଞ୍ଚଳର ବିଭିନ୍ନ ଗାଁକୁ ଗାଁ ବୁଲି ସୁରତରୁ ଫେରିଥିବା ଶ୍ରମିକଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ଶ୍ରମିକମାନେ ସୁରତ ଫେରିଲେ ଯେଭଳି କିଛି ସମସ୍ୟା ହେବନାହିଁ, ସେ ଦିଗରେ କାରଖାନା ମାଲିକ, ଓଡ଼ିଶା ଓ ଗୁଜରାଟ ସରକାର ଚିନ୍ତା କରିବା ଦରକାର ବୋଲି ସେ କହିଛନ୍ତି। ସେ କହିଛନ୍ତି, ଶ୍ରମିକମାନେ ଓଡ଼ିଶା ଛାଡ଼ିବା ବେଳେ ସରକାର ସେମାନଙ୍କ ନାମ ପଞ୍ଜୀକରଣ କରନ୍ତୁ। ସୁରତରେ ଓଡ଼ିଆ ଶ୍ରମିକଙ୍କ ପାଇଁ ନୋଡାଲ ଅଫିସର ନିଯୁକ୍ତ କରନ୍ତୁ। ଶ୍ରମିକଙ୍କ ଇପିଏଫ୍, ଇଏସ୍‌ଆଇ ବ୍ୟବସ୍ଥା ‌ଯେଭଳି କାରାଖାନା ମାଲିକ ନିଶ୍ଚିତ କରିବେ ଓ ସମସ୍ତଙ୍କୁ ବୀମାଭୁକ୍ତ କରିବେ, ସେଥି ଲାଗି ପଦକ୍ଷେପ ନିଅନ୍ତୁ।

ସମ୍ବନ୍ଧିତ ଖବର