ରାଉରକେଲା: ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ବିକାଶମୂଳକ କାର୍ଯ୍ୟ ପାଇଁ ଯାଇଥିବା ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ମହିଳାଙ୍କ ସମେତ ସ୍ଥାନୀୟ ଲୋକ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କୌଣସି ଉନ୍ନୟନମୂଳକ କାର୍ଯ୍ୟ କରାଇ ଦେବୁ ନାହିଁ ବୋଲି କହିଥିଲେ। ଏହାସହ ଶ୍ରମମନ୍ତ୍ରୀଙ୍କୁ ତୁରନ୍ତ ସ୍ଥାନ ଛାଡ଼ିବାକୁ କହିଥିଲେ। ଏ ସଂପର୍କିତ ଏକାଧିକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ତେବେ ଏନେଇ ଶ୍ରମମନ୍ତ୍ରୀଙ୍କୁ ମୋବାଇଲ୍‌ରେ ଯୋଗାଯୋଗ ପାଇଁ ବାରମ୍ବାର ଉଦ୍ୟମ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ଘଟଣାରୁ ପ୍ରକାଶ, କିଛି ଦିନ ପୂର୍ବରୁ ଶ୍ରମମନ୍ତ୍ରୀ ଶ୍ରୀ ନାୟକ ବନ୍ଧମୁଣ୍ଡା ନିକଟ କୁକୁଡ଼ା ଗାଁକୁ ଅତିଥି ହୋଇ ଯାଇଥିଲେ। ସେତେବେଳେ ଲୋକମାନେ କୁଆଡ଼େ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସଂଯୋଗ ଆଦି ବିଷୟରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୁକୁଡ଼ା ଗାଁର ସ୍ଥିତି ପରଖିବା ପାଇଁ ଆଜି ପୂର୍ବାହ୍ନରେ ଶ୍ରମମନ୍ତ୍ରୀ ସେଠାରେ ପହଞ୍ଚିଥିଲେ। ତେବେ ସେଠାରେ କିଛି ଗ୍ରାମବାସୀ ମନ୍ତ୍ରୀଙ୍କୁ ବିରୋଧ କରିଥିଲେ। ସିଧାସଳଖ କହିଥିଲେ, ଏଠାରେ କୌଣସି ପ୍ରକଳ୍ପ ହୋଇପାରିବ ନାହିଁ। ଆପଣ ଯାହା କରୁଛନ୍ତି, ତାହା ଭୁଲ୍‌। ଏଠାରେ ବାହାର ଲୋକ ଆସିକି ରହୁଛନ୍ତି। ଏଣୁ ଏଠାରେ କୌଣସି ଉନ୍ନୟନ ପ୍ରକଳ୍ପ ନ କରିବାକୁ ଜନୈକ ବ୍ୟକ୍ତି କହୁଥିବା ଭାଇରାଲ ଭିଡିଓରୁ ଜଣାପଡ଼ିଛି। ଜବାବରେ ବିଦ୍ୟୁତ୍‌ ସଂଯୋଗ ବି ଦେବାନି କି ବୋଲି ମନ୍ତ୍ରୀ ପ୍ରଶ୍ନ କରିଥିଲେ। ତେବେ ବିରୋଧ କରୁଥିବା ବ୍ୟକ୍ତି ଆଦୌ କର୍ଣ୍ଣପାତ ନକରି ସ୍ଥାନ ଛାଡ଼ିବାକୁ କହିଥିଲେ। ଏନେଇ କିଛି ସମୟ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ଯୁବକଙ୍କୁ ମନ୍ତ୍ରୀ ଓ ସମର୍ଥକମାନେ ଭିଡିଓ ରେକର୍ଡିଂ ବନ୍ଦ କରିବାକୁ କହିବାରୁ ସେ ରାଗି ଯାଇଥିଲେ।