ଦାଦନ ଦୁଃଖ: ୩ବର୍ଷ ହେଲା ସ୍ୱାମୀ ନିଖୋଜ, ଫେରାଇ ଆଣିବାକୁ ପତ୍ନୀଙ୍କ ନିବେଦନ

ନନ୍ଦପୁର: ପରିବାର ଚଳାଇବା ପାଇଁ ୩ବର୍ଷ ତଳେ ଦାଦନ ଖଟିବାକୁ ଯାଇଥିଲେ। ଆଜି ପର୍ଯ୍ୟନ୍ତ ଘରକୁ ଫେରି ନାହାନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ କିଛି ସୁଫଳ ମିଳିନି। ଅନ୍ୟପଟେ ନିଜ ଜ୍ୱାଇଁ ମଧ୍ୟ ୩ବର୍ଷ ହେଲା ଦାଦନ ଖଟିବାକୁ ବାହାକରୁ ଯାଇଛନ୍ତି। ସେ ବେଳେବେଳେ ଗାଁକୁ ଆସିଥାନ୍ତି। ଏଭଳି ପରିସ୍ଥିତିରେ ମହିଳା ଜଣକ ନିଜର ଝିଅ ଓ ଦୁଇ ନାତିଙ୍କୁ ଧରି ଅତି ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ଏଭଳି ଜଣେ ଅସହାୟ ମହିଳାଙ୍କୁ ରାସନ କାର୍ଡ କିମ୍ବା ଘରଟିଏ ମିଳିପାରନି। ଶୀଘ୍ର ସ୍ୱାମୀଙ୍କୁ ଖୋଜି ଆଣିବାକୁ ନିବେଦନ କରିଛନ୍ତି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅଣ୍ଡରୁଗୁଡା ଗ୍ରାମର କଲ୍ୟାଗାମା ଗାମ୍ଫ୍ରାଇ।

ଅଣ୍ଡରୁଗୁଡା ଗ୍ରାମରେ ଚେଲପତି ଗାମ୍ଫ୍ରାଇ ଓ ପତ୍ନୀ କଲ୍ୟାଗାମାଙ୍କ ପରିବାର। ତାଙ୍କର ଏକମାତ୍ର ଝିଅ ରଞ୍ଜିତା ସେହି ଗାଁର ସୀମାଞ୍ଚଳ ଗାମ୍ଫ୍ରାଇଙ୍କୁ ବିବାହ କରିଛନ୍ତି। ରଞ୍ଜିତାଙ୍କ ୨ଟି ପୁଅ ରହିଛନ୍ତି। ପରିବାର ଚଳାଇବା ପାଇଁ ରଞ୍ଜିତାଙ୍କ ସ୍ୱାମୀ ସୀମାଞ୍ଚଳ ୪ବର୍ଷ ତଳେ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ। ଏହାର ବର୍ଷକ ପରେ ରଞ୍ଜିତାଙ୍କ ବାପା ଚେଲପତି ମଧ୍ୟ ଆନ୍ଧ୍ରକୁ ଦାଦନ କଟିବାକୁ ଯାଇଥିଲେ। ସୀମାଞ୍ଚଳ ମଝିରେ ମଝିରେ ଘରକୁ ଆସୁଥିବା ବେଳେ ଚେଲପତି ଆନ୍ଧ୍ରରେ ନିଖୋଜ ହୋଇଯାଇଥିଲେ। ଏହା ଜାଣିବା ପରେ ପରିବାର ଲୋକ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। କିନ୍ତୁ ଚେଲପତିଙ୍କୁ ପାଇ ପାରୁନାହାନ୍ତି। ମା’ କଲ୍ୟାଗାମା ଏକୁଟିଆ ରହୁଥିବା ଦେଖି ଝିଅ ରଞ୍ଜିତା ନିଜ ଦୁଇ ପୁଅଙ୍କୁ ନେଇ ମା’ଙ୍କ ସାଥୀରେ ରହୁଛନ୍ତି। ସ୍ୱାମୀ ନିଖୋଜ ହେବା ପରେ କଲ୍ୟାଗାମା ସର୍ବଦା ଚିନ୍ତାରେ ରହୁଛନ୍ତି। ଅତି ଦୁଃଖକଷ୍ଟରେ କଲ୍ୟାଗାମା ଚଳୁଥିବା ବେଳେ ବର୍ତମାନ ସୁଦ୍ଧା ତାଙ୍କୁ ଭତ୍ତା କିମ୍ବା ଘରଟିଏ ମିଳିପାରିନି। କୁଲି କରି ଯାହା ରୋଜଗାର ହୁଏ ସେତିକିରେ ପେଟ ପୁରୁଛି। ଭତ୍ତା ପାଇଁ ବହୁବାର ଆବେଦନ କଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏଭଳି ଏକ ଅସହାୟ କଲ୍ୟାଗାମାଙ୍କୁ ଶୀଘ୍ର ଭତ୍ତା, ରାସନ କାର୍ଡ ଓ ଘର ପ୍ରଦାନ ସହ ତାଙ୍କ ସ୍ୱାମୀଙ୍କୁ ଖୋଜି ବାହାର କରିବା ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର