ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲିସ୍ଥିତ ଭାରତୀୟ ଖାଦ୍ୟ ନିଗମରେ କାର୍ଯ୍ୟରତ ୩ ଶହ ଶ୍ରମିକ ପାଉଣା ବୃଦ୍ଧି ଦାବି ନେଇ ଗେଟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ଜଣାଯାଇଛି। ଡୁଙ୍ଗୁରିପାଲି କଣ୍ଟ୍ରାକ୍ଟ ଲେବର ସଂଘ ଏକ ପ୍ରେସ ବିବୃତିରେ ଜଣାଇଛି ଯେ ସମସ୍ତ ଶ୍ରମିକ ଗତ ୨୭.୧୨.୨୦୨୧ରୁ କଣ୍ଟ୍ରାକ୍ଟ ଲେବର ଭାବେ କାମ କରୁଛନ୍ତି। ପୂର୍ବ କଣ୍ଟ୍ରାକ୍ଟର ବି.କେ. ଭଟ୍ଟଙ୍କ ଅଧୀନରେ ପ୍ୟାକେଟ ପ୍ରତି ୨ ଟଙ୍କା ୫୦ ପଇସାରେ କାମ କରି ଆସୁଥିଲେ। ସେ ସମୟରେ ଶ୍ରୀ ଭଟ୍ଟ ପ୍ରତିଶ୍ରୁତି ଦେଇଥିଲେ ଯେ କଣ୍ଟ୍ରାକ୍ଟ ସରିବା ପରେ ପୁଣି ୧ ଟଙ୍କା ଅର୍ଥାତ ପ୍ୟାକେଟ ପ୍ରତି ୩ ଟଙ୍କା ୫୦ ପଇସାକୁ ବୃଦ୍ଧି କରାଯିବ।

Advertisment

କିନ୍ତୁ ଲେବରମାନଙ୍କ ଅଜାଣତରେ ନୂତନ କଣ୍ଟ୍ରାକ୍ଟର ସନ୍ଦୀପ ବକ୍ସି ଗତ ୧୮.୮.୨୦୨୨ ତାରିଖରୁ କଣ୍ଟ୍ରାକ୍ଟ ତାଙ୍କ ହାତକୁ ନେଇ ଏ ବାବଦରେ ଶ୍ରମିକମାନଙ୍କୁ କିଛି କହିନଥିଲେ। ପାଉଣା ବୃଦ୍ଧି କରିବାକୁ କହିଥିଲେ ହେଁ ସେ କିଛି ଶୁଣି ନଥିବା ପ୍ରକାଶ। ଉକ୍ତ ପାଉଣା ବୃଦ୍ଧି ପାଇଁ ସେମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଶତାଧିକ ଶ୍ରମିକ ଲିଖିତ ପ୍ରେସ ବିବୃତିରେ ଜଣାଇଛନ୍ତି। ସମସ୍ୟାର ସମାଧାନ ପାଇଁ ଜିଲ୍ଲା ମିଲ୍‌ ମାଲିକ ସଂଘ ସଭାପତି ମନୋଜ ପଧାନ ଓ ଆନନ୍ଦ ବାବୁ ଲେବରମାନଙ୍କ ସହ ଆଲୋଚନା କରିଥିଲେ। ମାତ୍ର ସମାଧାନ ନ ହେବାରୁ ଚାଉଳ ଲୋଡ଼ ଥିବା ଟ୍ରକଗୁଡ଼ିକ ନିଜ ମିଲକୁ ଫେରାଇ ନେଇଥିଲେ ବୋଲି ଶ୍ରୀ ପଧାନ କହିଛନ୍ତି। ଅନ୍ୟ ପକ୍ଷରେ କଣ୍ଟ୍ରାକ୍ଟର ଶ୍ରୀ ବକ୍ସିଙ୍କୁ ପଚାରିବାରୁ ସେ ଅବାନ୍ତର କଥା କହିଥିଲେ। ଏଫ୍‌ସିଆଇ ମ୍ୟାନେଜର ବିଶ୍ବରଂଜନ ଆଚାର୍ଯ୍ୟଙ୍କୁ ଫୋନ କରିବାରୁ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହେବା ପାଇଁ ମନା କରି ଦେଇଥିଲେ।