ସିନାପାଲି : ଗତ କିଛିଦିନ ତଳେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ମନ୍ରେଗା ଯୋଜନାରେ ଭଲ କାର୍ଯ୍ୟ କରି ପ୍ରଥମ ସ୍ଥାନ ପାଇଥିଲା। ଏବେ ଏହି ବ୍ଲକ୍ର ଶ୍ରମିକମାନେ ପାଉଣା ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି। ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ, କାପସି ଗ୍ରାମସ୍ଥିତ ଭଣ୍ତାର ଘର ଠାରୁ ଅଠିପଡ଼ା ମାଟି ରାସ୍ତା କାମରେ ଶହେରୁ ଅଧିକ ଲୋକ ମନ୍ରେଗାରେ କାର୍ଯ୍ୟ କରୁଛନ୍ତି। ହେଲେ ଏହି ରାସ୍ତା କାମ ଆରମ୍ଭ ହେବାର ୧୫ଦିନ ବିତିଯାଇଥିଲେ ସୁଦ୍ଧା ସୂଚନାଫଳକ ଲଗାଯାଇ ନାହିଁ। ଫଳରେ ପାରିଶ୍ରମିକ କେତେ ଟଙ୍କା କେମିତି ଜାଣିବେ ବୋଲି ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ପ୍ରଥମେ ଖୁନ୍ତି ପ୍ରତି ୫୫୦ ଟଙ୍କା ଦେଇଥିବା ବେଳେ ବର୍ତ୍ତମାନ ବିନା ସୂଚନାଫଳକରେ ୪୦୦ ଟଙ୍କା ମିଳିବ ବୋଲି ପଞ୍ଚାୟତ କର୍ମଚାରୀମାନେ କହୁଥିବା ପ୍ରକାଶ କରିଛନ୍ତି। ମାର୍ଚ୍ଚ ୩୧ ପୂର୍ବରୁ ଦୈନିକ ପାରିଶ୍ରମିକ ୩୦୮ଟଙ୍କା ମିଳୁଥିଲା। କିନ୍ତୁ ଏପ୍ରିଲ ୧ତାରିଖରୁ ୨୧୫ ଟଙ୍କା ମିଳିବ ବୋଲି କହିବାରୁ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରିଥିଲେ।
ସେହିପରି ମାସ ମାସ ହେବ ମହାବନ୍ଧ ମାଟି କାମ, ବଡ଼ବନ୍ଧ ମାଟି କାମ ଓ ପଖାନହୁଡ଼ା ଠାରୁ ବଡ଼ଝୋଲା ମାଟି ରାସ୍ତା କାମର ପାରିଶ୍ରମିକ ପାଉଣା ମିଳିନାହିଁ। ଏହି ସବୁ ସମସ୍ୟା ନେଇ ହିତାଧିକାରୀମାନେ ୩ଜଣ ପଞ୍ଚାୟତ କର୍ମଚାରୀଙ୍କୁ ଅଟକ ରଖିଥିଲେ। କାର୍ଯ୍ୟସ୍ଥଳକୁ ତଦାରଖ କରିବା ପାଇଁ ଯିବା ସମୟରେ ଏହି କର୍ମଚାରୀଙ୍କୁ ଅଟକ ରଖିଥିଲେ। ପରେ ଜିଆରଏସ୍, ସିନାପାଲି ବିଡିଓ ସଦାଶିବ ନାଏକ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ। ଏହି ସମୟରେ ୨ଘଣ୍ଟା କାମ ବନ୍ଦ ହୋଇଥିଲା। ଜିଆରଏସ୍ ନିବେଦିତା ପାଢ଼ୀ କହିଛନ୍ତି, ଏପ୍ରିଲ ୧ତାରିଖରୁ ସରକାର ମନ୍ରେଗା ଯୋଜନାରେ ଖୁନ୍ତି ପ୍ରତି ୪ଶହ ଟଙ୍କା ପାଉଣା ଦେଉଛନ୍ତି। ତେଣୁ ଆପଣମାନଙ୍କୁ ତାହାହିଁ ମିଳିବ ବୋଲି କହିଥିଲେ। ସୂଚନାଫଳକ ଖୁବଶୀଘ୍ର ଲେଖାଯିବ ବୋଲି କହିଥିଲେ।
ବିଡିଓ ସଦାଶିବ ନାଏକ ଘଟଣାସ୍ଥଳକୁ ଯାଇ ସରକାର ଯାହା ଟଙ୍କା ଦେବେ ତାହା ଆପଣଙ୍କ ଆକାଉଣ୍ଟରେ ପଡ଼ିବ ବୋଲି ସେମାନଙ୍କୁ ବୁଝାଇଥିଲେ। ଏହି ପ୍ରତିଶ୍ରୁତି ପାଇବା ପରେ ଶ୍ରମିକମାନେ କାର୍ଯ୍ୟ ଆରମ୍ଭ କରିଥିଲେ। ଆନନ୍ଦ ମାଝି, ଜଗତରାମ ରଣା, ଧବଳେ ଦାସ, ଭୀମସେନ ମାଝି, ରୋହିତ ମାଝି, ମୁକ୍ତା ଜଗତ, କ୍ଷୀର ସୁନାନୀ, ପପୁ ଜଗତ, ଟିକୁ ମହାନନ୍ଦ ପ୍ରମୁଖ ଶ୍ରମିକ ଅଭିଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/sinapalli.jpg)