ଭିଜିଲାନ୍ସ ଜାଲରେ ଲାବୋରେଟୋରି ଟେକ୍‌ନିସିଆନ୍‌

୯ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ସୋନପୁର/ତରଭା : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବରି‌ଷ୍ଠ ଲାବୋରେଟୋରି ଟେକ୍‌ନିସିଆନ୍‌ ଅକ୍ଷୟ ପଟ୍ଟନାୟକ। ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ ତରଭା ଥାନା ସୂର୍ଯ୍ୟମୁଣ୍ଡା ଗାଁ’ର ମୁକୁନ୍ଦ ସାହୁ ଏବଂ କିଛି ଲୋକ ୭ ଦିନ ପୂର୍ବରୁ ରକ୍ତ, ମଳ, ମୂତ୍ର ତଥା ଅନ୍ୟାନ୍ୟ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଅକ୍ଷୟଙ୍କୁ ଦେଇଥିଲେ। ଉକ୍ତ ପରୀକ୍ଷା ପାଇଁ ଅକ୍ଷୟ ୯ ହଜାର ଟଙ୍କା ଦାବି କରିଥିଲେ। ଏହାକୁ ନେଇ ମୁକୁନ୍ଦ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଏ ସମ୍ପର୍କରେ ସମ୍ବଲପୁର ଭିଜିଲାନ୍ସ ବିଭାଗରେ ଏକ ମାମଲା ରୁଜୁ କରାଯାଇଥିଲା।

ମୁକୁନ୍ଦ ବୁଧବାର ଅକ୍ଷୟଙ୍କୁ ତାଙ୍କ କାର୍ଯ୍ୟାଳୟରେ ୯ ହଜାର ଟଙ୍କା ଦେବା ପରେ ଭିଜିଲାନ୍ସ ଚଢ଼ଉ କରି ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା। ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତଙ୍କ ସରକାରୀ କ୍ବାର୍ଟର୍ସ, କାର୍ଯ୍ୟାଳୟ ଏବଂ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଜାଗିରଖଇରପୁଟି ବାସଭବନରେ ମଧ୍ୟ ଯାଞ୍ଚ ଚାଲିଥିବା ସୂଚନା ଦିଆଯାଇଛି। ଆଜି ଅକ୍ଷୟଙ୍କୁ ବଲାଙ୍ଗୀର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି। ଚଢ଼ଉରେ ଭିଜିଲାନ୍ସ ଇନ୍ସପେକ୍ଟର ତୁଷାରକାନ୍ତ ମହାପାତ୍ର, ହୃଦାନନ୍ଦ କାଲୋ, ଏଏସ୍‌ଆଇ ଦିଲ୍ଲୀପ ଭୁୟାଁ, ସ୍ବପ୍ନେଶ୍ବର ମିଶ୍ର ଓ ଶଙ୍କର ଆଚାରୀ କ୍ଷେତି ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର