ସ୍ପଞ୍ଜ ଆଇରନ୍‌ କାରଖାନା ବନ୍ଦ ଉଦ୍ୟମକୁ ନେଇ ଶ୍ରମିକ ଅଶାନ୍ତି

ଛତିଆ : ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ସମିଆ ପଞ୍ଚାୟତରେ ଥିବା ବୁଢ଼ାକେନ୍ଦୁଆ ଲକ୍ଷ୍ମୀ ସ୍ପଞ୍ଜ ଆଇରନ୍‌ କାରଖାନାକୁ ବନ୍ଦ ପାଇଁ ଉଦ୍ୟମ କରାଯାଉଥିବାରୁ ଶ୍ରମିକଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଛି। ଖୋଦ୍‌ କାରଖାନା କର୍ତ୍ତୃପକ୍ଷ ଏହାକୁ ବନ୍ଦ କରିବାକୁ ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ବର୍ତ୍ତମାନ କାରଖାନାରେ ଉତ୍ପାଦନ ବନ୍ଦ ଅଛି। ଉତ୍ପାଦିତ ସାମଗ୍ରୀ ବିକ୍ରି ହେଉନଥିବାରୁ କମ୍ପାନି କର୍ତ୍ତୃପକ୍ଷ କିଛିଦିନ ପାଇଁ କାରଖାନାକୁ ବନ୍ଦ ରଖିବାକୁ ଉଦ୍ୟମ କରୁଛନ୍ତି। ଏହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅ‌ସନ୍ତୋଷ ସୃଷ୍ଟି ହୋଇଛି। ନିର୍ଦ୍ଦିଷ୍ଟ କେତେଦିନ ପରେ କାରଖାନା ଚାଲିବ ସେଥିପାଇଁ ପ୍ରତିଶ୍ରୁତି ଦେବା ସହ ବନ୍ଦ ସମୟରେ ଶ୍ରମିକମାନଙ୍କୁ ମଜୁରି ଦେବାକୁ ଦାବି କରାଯାଇଛି। ହେଲେ କମ୍ପାନି କର୍ତ୍ତୃପକ୍ଷ ଏନେଇ କୌଣସି ସ୍ପଷ୍ଟ କରୁନାହାନ୍ତି। ଫଳରେ ଶ୍ରମିକଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ଉତ୍ପାଦିତ ସାମଗ୍ରୀ ରାଜ୍ୟ ବାହାରେ ଏବେ ବିକ୍ରି ହେବାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ଫଳରେ କମ୍ପାନିରୁ ମାଲ ରପ୍ତାନି ହୋଇପାରୁନାହିଁ। ତେଣୁ ଉତ୍ପାଦିକ ସାମଗ୍ରୀରେ କାରଖାନାର ଗୋଦାମ ପୂରି ଯାଇଛି। ଏବେ ଉତ୍ପାଦନ କଲେ ତାହା ବାହାରେ ବର୍ଷାପାଣିରେ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ମାଲ ବିକ୍ରି ପର୍ଯ୍ୟନ୍ତ କାରଖାନା ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଓ ଏଥିରେ ସହଯୋଗ କରିବାକୁ ଶ୍ରମିକମାନଙ୍କୁ କାରଖାନା କର୍ତ୍ତୃପକ୍ଷଙ୍କ ତରଫରୁ ଅନୁରୋଧ କରାଯାଇଛି।

ଅନ୍ୟପକ୍ଷରେ କାରଖାନା ବନ୍ଦ ଥିବା କାରଣରୁ ଶ୍ରମିକମାନଙ୍କ କାମ ବନ୍ଦ ରହିଛି। ଅନ୍ୟପକ୍ଷରେ ବୁଢ଼ା କେନ୍ଦୁଆ ସ୍ପଞ୍ଜ ଆଇରନ କାରଖାନାର ଶ୍ରମିକ ସଗଠନ ସଭାପତି ତଥା ରାଜ୍ୟ ବିଜେପି ସମ୍ପାଦକ ଅମର ନାୟକ ଏନେଇ କମ୍ପାନି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। କମ୍ପାନି କର୍ତ୍ତୃପକ୍ଷ କାରଖାନାକୁ ବିନା ନୋଟିସରେ ବନ୍ଦ କରିବାକୁ ଚାହୁଁଥିବା ବେଳେ ଶ୍ରମିକମାନଙ୍କୁ ଲିଖିତ ଆକାରରେ ଜଣାଇବା ସହ ଯେତିକି ଦିନ କାରଖାନା ବନ୍ଦ ରହିବ ଶ୍ରମିକଙ୍କୁ ସେତିକି ଦିନର ପ୍ରାପ୍ୟ ଦେବାକୁ ଶ୍ରୀ ନାୟକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର