‘ମୋ ସରକାର’ରେ ସାମିଲ୍‌ ହେଲା ଶ୍ରମ ବିଭାଗ

ସରକାରୀ କାର୍ଯ୍ୟାଳୟରୁ ଭଲ ଅନୁଭୂତି ନେଇ ଫେରିବେ କର୍ମଜୀବୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ‘ମୋ ସରକାର’ରେ ସାମିଲ ହୋଇଛି। ଆଜି ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଘୋଷଣା କରିଥିଲେ। ‘ମୋ ସରକାର’ ଅଭିଯାନ ଅଧୀନରେ ପ୍ରତିଟି କର୍ମଜୀବୀ ସରକାରୀ କାର୍ଯ୍ୟାଳୟକୁ କୌଣସି କାମରେ ଆସୁଥିଲେ ନିଶ୍ଚିତ ଭଲ ଅନୁଭୂତି ନେଇ ଫେରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟର ବିଭିନ୍ନ ସ୍ତରରେ କର୍ମଜୀବୀମାନଙ୍କୁ ସଶକ୍ତ କରିବାକୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ‘ମୋ ସରକାର’ କାର୍ଯ୍ୟକ୍ରମ ସରକାର ଓ ନାଗରିକଙ୍କ ମଧ୍ୟରେ ବିଶ୍ବାସକୁ ଦୃଢ଼ କରୁଛି। ନୂଆ ପ୍ରଶାସନିକ ବ୍ୟବସ୍ଥାରେ ଉତ୍ତରଦାୟିତ୍ବକୁ ଅଧିକ ଗୁରୁତ୍ବ ଦିଆଯାଇଛି। ସେଥି ପାଇଁ ଲୋକମାନଙ୍କର ବ୍ୟବସ୍ଥା ଉପରେ ଆସ୍ଥା ସ୍ଥାପନ ହେଉଛି। ଆମର ବିକାଶ ପ୍ରକ୍ରିୟାରେ ଶ୍ରମିକମାନଙ୍କର ହିଁ ପ୍ରମୁଖ ଭୂମିକା ଥାଏ। ଜୀବନ ସହିତ ସେମାନେ ସଂଘର୍ଷ କରୁଛନ୍ତି। ତେଣୁ ସେମାନଙ୍କୁ ସମାଜରୁ ସହାୟତାର ହାତ ବଢ଼ିବା ଆବଶ୍ୟକ। ଏହି କଥାକୁ ଆଖି ଆଗରେ ରଖି ସରକାର ‘ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା’ ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉଛି। ଶ୍ରମିକମାନଙ୍କ ଶିକ୍ଷା, ବିବାହ ଓ ମାତୃତ୍ବ ଆଦି କ୍ଷେତ୍ରରେ ସେମାନଙ୍କୁ ଏହି ଯୋଜନାରେ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରାଯାଉଛି।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ‘ମୋ ସରକାର’ ଅଭିଯାନ ଆମ ବ୍ୟବସ୍ଥାକୁ ଅଧିକ ଦକ୍ଷ ଓ ପେସାଦାର କରିବାରେ ସକ୍ଷମ ହୋଇଛି। ଏହି ବ୍ୟବସ୍ଥାରେ ନାଗରିକମାନେ ହିଁ ମାଲିକ ବୋଲି ପ୍ରମାଣିତ କରାଯାଉଛି। ଶ୍ରମ ବିଭାଗ ପକ୍ଷରୁ ‘ମୋ ସରକାର’ ପ୍ରକୋଷ୍ଠ ଖୋଲାଯାଇ ଲୋକଙ୍କଠାରୁ ମତାମତ ଅଣାଯାଉଛି। ବିଭିନ୍ନ ମୌଳିକ ସୁବିଧା ସୁଯୋଗ ଥାଇ ଶ୍ରମିକ ସହାୟତା କେନ୍ଦ୍ର ଖୋଲାଯାଇଛି। ମଣିଷର ସମ୍ମାନବୋଧ ପ୍ରତି ଏହା ଏକ ପ୍ରଗତିଶୀଳ ପଦକ୍ଷେପ। ସରକାରଙ୍କ ଏସବୁ ପଦକ୍ଷେପ ସମାଜର ସବୁ ସ୍ତରରେ ଆବଶ୍ୟକ ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଥିଲେ।

ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ‘ମୋ ସରକାର’ ଅଭିଯାନ ଶ୍ରମିକଙ୍କ ପାଇଁ ଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ଅଧିକ ଫଳପ୍ରଦ କରାଇପାରିବ ବୋଲି କହିଥିଲେ। ମୋ ସରକାର ଅଭିଯାନ କାର୍ଯ୍ୟକାରୀ ହେଲା ପରେ ହିତାଧିକାରୀ ଓ ସାଧାରଣ ଜନତାଙ୍କଠାରୁ ସରକାର ଭଲ ମତାମତ ପାଉଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ।
୫-ଟି ସଚିବ ଭି କେ ପାଣ୍ଡିଆନ୍ କିଛି ଜିଲ୍ଲାର ଶ୍ରମ ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କଥା ହୋଇଥିଲେ। ଅଧିକାଂଶ ଅଧିକାରୀଙ୍କର ମୋ ସରକାର ଅଭିଯାନ ବିଷୟରେ ସ୍ପଷ୍ଟ ମତ ଥିବା ଦେଖାଯାଇଥିଲା। ‌ସାଧାରଣ ଲୋକଙ୍କର ବିଭିନ୍ନ ବିଭାଗ ପ୍ରତି ଥିବା ଧାରଣାକୁ ବଦଳାଇବା ସବୁ ସରକାରୀ ଅଧିକାରୀଙ୍କ ପାଇଁ ଏକ ଆହ୍ବାନ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ।

ସମ୍ବନ୍ଧିତ ଖବର