କନ୍ଧମାଳ : ଶ୍ରମିକ କାର୍ଡ ଅଛି,ନବୀକରଣ ବି ହୋଇଛି ତଥାପି ୫ହଜାର ହିତାଧିକାରୀଙ୍କୁ ମିଳିଲାନି କରୋନା ସହାୟତା

କାମଧନ୍ଦା ଛାଡି ପ୍ରତିଦିନ ପଞ୍ଚାୟତକୁ ଦୌଡୁଛନ୍ତି ହିତାଧିକାରୀ, ଧରାଛୁଆଁ ଦେଉ ନାହାନ୍ତି ଅଧିକାରୀ!

ଫୁଲବାଣୀ : ଶ୍ରମିକ କାର୍ଡ ଅଛି। ନବୀକରଣ ବି ହୋଇଛି। ହେଲେ କନ୍ଧମାଳ ଜିଲ୍ଲାର ୫ହଜାର ହିତାଧିକାରୀଙ୍କୁ ମିଳିଲାନି କରୋନା ସହାୟତା ରାଶି। କାମଧନ୍ଦା ଛାଡି ପ୍ରତିଦିନ ଶ୍ରମିକ କାର୍ଡ ଧରି ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡୁଛନ୍ତି। ହେଲେ ଦାୟିତ୍ବରେ ଥିବା ଅଧିକାରୀମାନେ ଧରାଛୁଆଁ ଦେଉ ନଥିବା ଅଭିଯୋଗ ହୋଇଛି। ବିଭିନ୍ନ କାରଣ ଦର୍ଶାଇ ଆସିଥିବା କରୋନା ସହାୟତା ରାଶିକୁ ଦିଆଯାଉ ନାହିଁ। ଏହି ସହାୟତା ରାଶିକୁ ମିଳିମିଶି ହରିଲୁଟ କରିବାକୁ ଯୋଜନା ଚାଲିଥିବା ହିତାଧିକାରୀଙ୍କ ପକ୍ଷରୁ ଅଭିଯୋଗ ହୋଉଛି। ଏମିତି ଅଭିଯୋଗ ଆସିଛି ଫିରିଙ୍ଗିଆ ବ୍ଳକ ନୂଆପଦର ପଞ୍ଚାୟତ ନୂଆପଦର ଗାଁରୁ।

ଏହି ଗାଁରେ ୧୦୦ରୁ ଉର୍ଦ୍ଧ୍ବ ହିତାଧିକାରୀ ଅଛନ୍ତି। ସେଥି ମଧ୍ୟରୁ ଅଧା ଜଣ ପାଇଛନ୍ତି ସହାୟତା ରାଶି। ବାକି ୫୦ରୁ ୬୦ ଜଣ ହିତାଧିକାରୀଙ୍କ ଶ୍ରମିକ କାର୍ଡ ନବୀକରଣ ଥାଇ ବି ସହାୟତା ରାଶି ପାଇବାକୁ ବଞ୍ଚିତ ହୋଇଛନ୍ତି। ହେମନ୍ତ ସାହୁ,ବସନ୍ତ ସାହୁ,ସୁରେନ୍ଦ୍ର ପୃଷ୍ଟି,ବାଳକ ନାୟକ,ବିନାୟକ ବେହେରା,ଗୋଲାପ ବେହେରା,ମଞ୍ଜୁଳା ସାହୁ ଏମିତି ବହୁ ହିତାଧିକାରୀ କରୋନା ସହାୟତା ରାଶି ପାଇ ନାହାନ୍ତି। ସହାୟତା ରାଶି ପାଇଁ ସେମାନେ ପ୍ରତିଦିନ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡୁଛନ୍ତି। ହେଲେ ଦାୟିତ୍ବରେ ଥିବା ଅଧିକାରୀ ଧରାଛୁଆଁ ଦେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ ତୁରନ୍ତ ସହାୟତା ରାଶି ପାଇବାର ବ୍ୟବସ୍ଥା କରାଇବାକୁ ସେମାନେ ହାତ ଯୋଡି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। କେବଳ ନୂଆପଦର କାହିଁକି ଜିଲ୍ଲାର ବହୁ ଗାଁରେ ଶ୍ରମିକ କାର୍ଡ ଥାଇ ଓ ନବୀକରଣ ହୋଇ ବି ହିତାଧିକାରୀମାନେ କରୋନା ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି।

ହିସାବରୁ ଜଣାପଡିଛି କାର୍ଡ ନବୀକରଣ ଥାଇ ବି ଜିଲ୍ଲାରେ ସହାୟତା ରାଶି ପାଇ ନଥିବା ହିତାଧିକାରୀଙ୍କ ସଂଖ୍ୟା ୫ହଜାର। କନ୍ଧମାଳ ଜିଲ୍ଲାରେ ସମୁଦାୟ ୭୫ହଜାର ୧୨୨ ଜଣଙ୍କ ନାଁରେ ଶ୍ରମିକ କାର୍ଡ ରହିଛି। ଆଜି ସୁଦ୍ଧା ୬୪ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀ ସହାୟତା ରାଶି ପାଇଲେଣି। ବାକି ୬ ହଜାର ହିତାଧିକାରୀଙ୍କ କାର୍ଡ ୪-୫ ବର୍ଷ ହେଲା ନବୀକରଣ ହୋଇ ନଥିବାରୁ ସେମାନଙ୍କୁ ସହାୟତା ରାଶି ଦିଆଯାଇ ନାହିଁ। ହେଲେ କାର୍ଡ ଥାଇ ନବୀକରଣ ହୋଇ ବି ୫ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀ କିଭଳି ସହାୟତା ରାଶି ପାଇବାରୁ ବଞ୍ଚିତ ହେଲେ ତାହା ତଦନ୍ତ ସାପେକ୍ଷ। ଏମାନଙ୍କୁ ବିଭିନ୍ନ କାରଣ ଦର୍ଶାଇ ସହାୟତା ରାଶି ଦିଆଯାଉ ନଥବା ବେଳେ ଏହି ଅର୍ଥକୁ ହରିଲୁଟ କରିବାକୁ ଯୋଜନା ଚାଲିଛି କି। ଏଭଳି ବିଭିନ୍ନ ମହଲରୁ ପ୍ରଶ୍ନ ଉଠୁଥିବା ବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

ଏ ନେଇ ଜିଲ୍ଲା ଶ୍ରମ ଅଧିକାରୀ ଦାୟିତ୍ବରେ ଥିବା ଶୁଭଦର୍ଶିନୀ ନାୟକଙ୍କକୁ ପଚାରିବାରେ କାର୍ଡ ନବୀକରଣ ଥାଇ କରୋନା ସହାୟତା ପାଇ ନଥିବା ହିତାଧିକାରୀ କାର୍ଯାଳୟକୁ ଆସି ଜଣାଇଲେ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ନବୀକରଣ ହୋଇ ନଥିବାରୁ ୬ହଜାର ହିତାଧିକାରୀ ସହାୟତା ରାଶିରୁ ବଞ୍ଚିତ ହେଲେ। ଆଉ ସବୁ କିଛି ଠିକ ଥାଇ ବଞ୍ଚିତ ୫ହଜାର ହିତାଧିକାରୀ କେବେ ପାଉଛନ୍ତି କରୋନା ସହାୟତା।

ସମ୍ବନ୍ଧିତ ଖବର