ଭୁବନେଶ୍ବର : ପ୍ରବାସୀ ଶ୍ରମିକମାନେ ବାହାର ରାଜ୍ୟରୁ ଓଡ଼ିଶାକୁ ଫେରିବା ଆରମ୍ଭ ହୋଇଛି। ପ୍ରାୟ ୭ରୁ ୮ ଲକ୍ଷ ଲୋକଙ୍କୁ ସଙ୍ଗରୋଧରେ ରଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇନି। ଏହାସହିତ ତାଲାବନ୍ଦ ପରେ ଏତେ ଲୋକଙ୍କୁ ଆଗାମୀ ଦିନରେ ରୋଜଗାର ନ ମିଳିଲେ ରାଜ୍ୟରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହେବ। ଓଡ଼ିଆ ଶ୍ରମିକମାନଙ୍କ ସମସ୍ୟା ନେଇ ସରକାରଙ୍କୁ ଆଜି ଏପରି ଚେତାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସେ କହିଛନ୍ତି ଖୁବଶୀଘ୍ର ସରକାର ସେମାନଙ୍କ ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ। ତେବେ ଏ ନେଇ ସରକାର ସଚେତନ ଅଛନ୍ତି ବୋଲି କହିଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା।

Advertisment

ଶ୍ରୀ ମହାପାତ୍ର କହିଥିଲେ, କ ଲୋକଙ୍କୁ ପୃଥକବାସରେ ରଖିବା ପାଇଁ ସବୁ ସରକାରୀ ଘର ଓ କଲେଜ୍‌କୁ ବ୍ୟବସ୍ଥା କରିବା ଦରକାର। ମନରେଗା ଯୋଜନାରେ ଅଧିକରୁ ଅଧିକ ଶ୍ରମି ଦିବସ ସୃଷ୍ଟି କରି ସେମାନଙ୍କ କାମ ଯୋଗାଇବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ। ୨୦୧୮-୧୯ରେ ୧ ଲକ୍ଷ ୬୧ ହଜାର ଶ୍ରମ ଦିବସ ସୃଷ୍ଟି ହୋଇଥିଲା। ସେହିପରି ୨୦୧୯-୨୦ରେ ମାତ୍ର ୪୭ ହଜାର ଲୋକଙ୍କୁ ୧୦୦ ଦିନର କାମ ମିଳିଥିଲା। ଏବେ ଫେରୁଥିବା ୭ଲକ୍ଷ ରୁ ଅଧିକ ଶ୍ରମିକଙ୍କୁ କିପରି କାମ ମିଳିବ ବୋଲି ସେ ପ୍ରଶ୍ନ କରିଥିଲେ।

ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ସରକାରଙ୍କୁ ବିକଳ୍ପ ବାଟ ଆପଣାଇବାକୁ ପଡ଼ିବ। ଏଥିପାଇଁ ଯେଉଁ ରାଜ୍ୟରେ ଶ୍ରମିକ ଫସି ରହିଛନ୍ତି, ସେଠାକାର ସରକାରଙ୍କ ସହ କଥା ହୋଇ ତାଲାବନ୍ଦ ଉଠିବା ପରେ ଯେପରି ବନ୍ଦ କାରଖାନାକୁ ତୁରନ୍ତ କାର୍ଯ୍ୟକ୍ଷମ କରିହେବ, ସେଥିପାଇଁ ଉଦ୍ୟମ କରନ୍ତୁ। ଫଳରେ ଶ୍ରମିକମାନେ ପୁଣି ଥରେ ସେସବୁ ସ୍ଥାନରେ କାମ ପାଇପାରିବେ ବୋଲି ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ।

ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ, ପ୍ରବାସୀ ଶ୍ରମିକମାନେ ଆସିବା ପରେ ସେମାନଙ୍କୁ ସଙ୍ଗରୋଧ କରି ରଖିବା ପାଇଁ ବିଭିନ୍ନ ସ୍କୁଲ ଘର ଓ ପଞ୍ଚାୟତ ଘରେ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ କାମ ଯୋଗାଇବା ପାଇଁ କିଛି ବି ଅସୁବିଧା ହେବନି। ନିଜ ଘରକୁ ଫେରିବା ପାଇଁ ବାହାର ରାଜ୍ୟରେ ଥିବା ଲୋକେ ବ୍ୟସ୍ତ ହେଉଛନ୍ତି। ଏବେ ସେମାନଙ୍କର ପଞ୍ଜୀକରଣ ଚାଲିଛି। ବାସ୍ତବରେ ସେମାନଙ୍କ ସଂଖ୍ୟା କେତେ ପଞ୍ଜୀକରଣରୁ ଜଣାପଡ଼ିବ।