ଯେଉଁମାନଙ୍କ ପାଇଁ ସବୁଦିନ ସଂଘର୍ଷର ଦିନ ସେମାନେ କାହୁଁ ଜାଣିବେ ଶ୍ରମିକ ଦିବସ

ଭଞ୍ଜନଗର: ଆସନ୍ତାକାଲି ହେଉଛି ବିଶ୍ବ ଶ୍ରମିକ ଦିବସ ବା ମେ’ଡେ। ଶ୍ରମିକ ମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବା ପାଇଁ ସାରା ବିଶ୍ବରେ ଏହି ଦିବସ ପାଳିତ ହୋଇଆସୁଛି। କାରଣ ବିକାଶରେ ଶ୍ରମିକ ମାନଙ୍କ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ଆର୍ଥିକ ଓ ସାମାଜିକ ବିକାଶରେ ଶ୍ରମିକ ମାନେ ଗୁଣ୍ଡୁଚିମୂଷା ଭଳି ସେମାନଙ୍କ ଭୂମିକା ନିର୍ବାହ କରିଆସୁଛନ୍ତି। ମୁଣ୍ଡ ଝାଳ ତୁଣ୍ଡରେ ମାରି ସ୍ବଳ୍ପ ପାରିଶ୍ରମିକରେ ଶ୍ରମିକ ଓ ଦିନମଜୁରିଆ ନିଜକୁ ନିୟୋଜିତ କରୁଛନ୍ତି। ପ୍ରତିଦିନ ହାଡ଼ଭଙ୍ଗା ପରିଶ୍ରମ କରି ନିଜ ପରିବାର ପାଇଁ ଦୁଇଓଳା ଦାନା ଯୋଗାଡ଼ କରୁଛନ୍ତି। ଆଉ ପ୍ରତିଦିନ ସେମାନେ ଜୀବନ ସହ ସଂଘର୍ଷ କରୁଛନ୍ତି। ହେଲେ ଯେଉଁ ମାନଙ୍କୁ ସମ୍ମାନ ଜଣାଇ ଏହି ଦିବସ ପାଳନ ହେଉଛି, ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଏହି ଦିବସ ସଂର୍ପକରେ ଅଜ୍ଞ।

ଗତ ଦୁଇବର୍ଷ ‌କରୋନା ମହାମାରୀର ପ୍ରାଦୁର୍ଭାବ ଶ୍ରମିକ ଓ ଦିନମଜୁରିଆଙ୍କ ଜୀବନଜୀବିକାକୁ ପ୍ରଭାବିତ କରିଥିଲା। ସ୍ବଳ୍ପ ସଞ୍ଚିତ ଅର୍ଥ ସରିବା ପରେ ଦୁଇଓଳା ଦାନା ଯୋଗାଡ଼ କରିବା ଲାଗି ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ୁଥିଲା। ସେହି ଯନ୍ତ୍ରଣାର ଦିନକୁ ଅଙ୍ଗେ ନିଭାଇବା ପରେ ପୁଣି ସେମାନେ କର୍ମକ୍ଷେତ୍ରକୁ ଓହ୍ଲାଇଛନ୍ତି। ହେ‌ଲେ ଶ୍ରମିକ ଦିବସ କଣ, ତାହା ଆମକୁ ଜଣା ନାହିଁ ବୋଲି ଶ୍ରମିକମାନେ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ପ୍ରଚଣ୍ଡ ରୌଦ୍ରରେ ଘରୁ ପାଦ କାଢ଼ିବା ବି କଷ୍ଟସାଧ୍ୟ ହେଉଥିବା ବେଳେ, ଦିନମଜୁରିଆ ଓ ଶ୍ରମିକମାନେ ପେଟ ଚାଖଣ୍ଡକ ପାଇଁ ସେମାନଙ୍କ ଜୀବନକୁ ବାଜିରେ ଲଗାଇଛନ୍ତି। ଅଂଶୁଘାତ ଓ ଟାଣଖରାକୁ ଭୟ ନାହିଁ। ଗୋଟିଏ ପଟେ ପରିବାରର ବୋଝ ଓ ଅନ୍ୟପଟେ ଟାଣ ଖରାରେ ମୁଣ୍ତ ଉପରେ ବହୁଛନ୍ତି କଙ୍କ୍ରିଟ, ଚିପ୍ସ୍ ଓ ବାଲିର ବୋଝ। ସରକାରୀ ଭାବେ ଖରାରେ କାମ କରିବା ଉପରେ ନିଷେଧାଦେଶ ଜାରି ହୋଇଥିଲେ ବି, ସେମାନେ ଖଟିବାକୁ ବାଧ୍ୟ ହେଉଛନ୍ତି।

ଏଭଳି ଭାବେ ଭଞ୍ଜନଗର ସହରର ବିଭିନ୍ନ ଗଳିକନ୍ଦିରେ ନିୟୋଜିତ ତୃଣମୂଳସ୍ତରର ଶ୍ରମିକ ମାନେ ଶ୍ରମିକ ଦିବସ ବିଷୟରେ ସଚେତନ ନୁହନ୍ତି।
ବାଗ୍‌ଦେବୀ ରୋଡ଼ରେ ଏକ ନିର୍ମାଣାଧୀନ ଘରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ତ୍ରିବେଣୀ ସ୍ବାଇଁ କହିଛନ୍ତି, ରାତି ପାହିଲେ ‘ପିଲାମାନଙ୍କୁ କଣ ଖୁଆଇବି ସେହି ଚିନ୍ତା। ଗ୍ରାମର ଅନ୍ୟମାନଙ୍କ ସହ ମିଶି ଠିକାଦାର ସହ ଗାଡ଼ିରେ ଭଞ୍ଜନଗର ଆସୁଛି। ସନ୍ଧ୍ୟା ହେଲେ ଘରକୁ ଫେରୁଛି। ସେ ଦିବସରୁ ଆମକୁ କଣ ମିଳିବ। ଅଧିକ ପାରିଶ୍ରମିକ କିଭଳି ପାଇବୁ ସରକାର ସେ ବ୍ୟବସ୍ଥା କଲେ ବରଂ ଭଲ ହୁଅନ୍ତା। ଉପେନ୍ଦ୍ର ପ୍ରଧାନ, ରମେଶ ସ୍ବାଇଁ, ଜଳନ୍ଧର ନାୟକ ଓ ଦେବକୀ ନାୟକ ମଧ୍ୟ ଏହି ଦିବସ ସଂର୍ପକରେ କୌଣସି ଧାରଣା ନଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର