ବୁର୍ଲା: ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ବସନ୍ତପୁର ସୈନିକ ସ୍କୁଲରେ ଗୁରୁବାର ଦିନ ଜଣେ ରଙ୍ଗ ମିସ୍ତ୍ରିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉଚ୍ଚତାରୁ ପଡ଼ି ତାଙ୍କ ମୃତ୍ୟୁ ଘଟିଥିଲା। ମୃତକ ରଙ୍ଗ ମିସ୍ତ୍ରୀ ଜଣକ ବୁର୍ଲା ବୋର୍ଡ କଲୋନୀ ଅଞ୍ଚଳର ଅମୂଲ୍ୟ ବରୁଆଙ୍କ ପୁତ୍ର ମୁନ୍‌କୁ ବରୁଆ (୪୯) ବୋଲି ଜଣାପଡ଼ିଛି। ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଦିନ ସୈନିକ ସ୍କୁଲର ରଙ୍ଗ କାମ କରୁଥିବା ସମୟରେ ମୁନ୍‌କୁ ହଠାତ୍ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରାୟ ୫ଟା ସମୟରେ ବୁର୍ଲା ଭିମ୍‌ସାର୍‌ ଆଶୁ ଚିକିତ୍ସା ବିଭାଗକୁ ଅଣାଯାଇଥିଲା।

Advertisment

ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିରେ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୁଲିସ୍ ପକ୍ଷରୁ ସୂଚନା ମିଳିଛି। ଅପରପକ୍ଷରେ ଏହି ରଙ୍ଗ କାମ ଠିକା ନେଇଥିବା ଠିକାଦାର ଶ୍ରମିକ ନିୟୋଜିତ କରିବା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ପାଳନ କରିଥିଲା କି ନାହିଁ, ତାହା ସହିତ ଅନ୍ୟ ସବୁ ଦିଗରୁ ମଧ୍ୟ ତର୍ଜମା କରାଯାଉଛି ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି।