ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ୍‌ରେ ପୁଣି ଦାଦନ ଦୁଃଖ ଦେଖିବାକୁ ମିଳିଛି। କେରଳରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଘରକୁ ଶବ ପଠେଇବା ଓ ସହାୟତା ଦେବାକୁ କମ୍ପାନି ମାଲିକ କୁନ୍ଥକୁନ୍ଥ ହେଉଥିବା ଜଣାପଡ଼ିଛି। ସୂଚନାମତେ, ଥୁଆମୂଳ ରାମପୁର ବ୍ଲକ୍ ଗୋପୀନାଥପୁର ପଞ୍ଚାୟତର ଚିଙ୍ଗୁଡ଼ିପାସ ଗ୍ରାମର ସୁଦର୍ଶନ ଝଡ଼ିଆ(୨୯) ପାଖ ଗ୍ରାମର ସାଙ୍ଗମାନଙ୍କ ସହ କେରଳକୁ କାମ କରିବାକୁ ଯାଇଥିଲେ। କେରଳର ପଲକଡ଼ ଜିଲ୍ଲାର ପାଟଙ୍ଗଡି ଗ୍ରାମର ସାଉତମାଲାବାଗ ଷ୍ଟିଲ କମ୍ପାନିରେ କାମ କରୁଥିଲେ।

Advertisment

ରବିବାର ସୁଦର୍ଶନ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ‌ହୋଇଥିଲା। ଅନ୍ୟ ସାଙ୍ଗମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ କମ୍ପାନି ଯଦି ଶବ ନେବ ତା’ ହେଲେ ସହାୟତା ଦେବ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରିଦେଇଥିବା ଜଣାପଡ଼ିଛି। ସୁଦର୍ଶନ ଗରିବ ପରିବାର ହୋଇଥିବା ବେଳେ ରୋଜଗାର ଆଶାରେ କେରଳକୁ ଦାଦନ ଖଟିବାକୁ ଯାଇଥିଲେ। ରୋଜଗାରିଆ ସ୍ୱାମୀକୁ ହରାଇ ପତ୍ନୀ ଏବେ ବେସାହାରା ପାଲଟିଛନ୍ତି। ୨ଟି ପୁଅକୁ କେମିତି ମଣିଷ କରିବ ସେନେଇ ଚିନ୍ତାରେ ପତ୍ନୀ କୁମାରୀ ରହିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଶବକୁ ଗାଁକୁ ଆଣିବାର ବ୍ୟବସ୍ଥା କରିବା ସହ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।