ସଙ୍ଗରୋଧ କକ୍ଷରେ ଶ୍ରମିକଙ୍କ ମୃତ୍ୟୁ, ମ୍ୟାଲେରିଆରେ ମୃତ୍ୟୁ ହୋଇଥିବା ସୂଚନା

ବାଲିମେଳା/କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ସ୍ଥିତ ସଙ୍ଗରୋଧ କକ୍ଷରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ ୧୨ତାରିଖ ଦିନ ପ୍ରଶାସନ ଉଦ୍ଧାର କରିବା ପରେ ଶ୍ରମିକଙ୍କ ଏଠାରେ ରଖିଥିଲା। ତେବେ ତିନି ଦିନ ତଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଗତକାଲି ଅବସ୍ଥା ଆହୁରି ଖରାପ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି। ଶବ ବ୍ୟବଚ୍ଛେଦ ହୋଇ ନଥିଲେ ମଧ୍ୟ ମ୍ୟାଲେରିଆରେ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଏହାପରେ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରି ଗାଁକୁ ଶବ ପଠାଇବା ବ୍ୟବସ୍ଥା କରାଯାଇଛି।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍‌ର ୧୨ଜଣ ଶ୍ରମିକ ଚିତ୍ରକୋଣ୍ଡା ବ୍ଲକ ବିଚ୍ଛିନ୍ନାଞ୍ଚଳରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଚଳିତ ମାସ ୧୨ତାରିଖ ଦିନ କାମରେ ନିୟୋଜିତ କରିଥିବା ଠିକାଦାର ଜଣକ କାମ ବନ୍ଦ ପାଇଁ ନିର୍ଦ୍ଦେଶ ମିଳିଥିବା କହି ସେମାନଙ୍କୁ ଘରକୁ ଚାଲିଯିବାକୁ କହିଥିଲେ। ଏହାପରେ ଶ୍ରମିକମାନେ ଚାଲି ଚାଲି ଘରକୁ ଯିବାକୁ ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ଏ ନେଇ ସୂଚନା ପାଇବା ପରେ ପ୍ରଶାସନ ସେମାନଙ୍କୁ ରାସ୍ତାରେ ଅଟକାଇଥିଲା। କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅନ୍ତର୍ଗତ ଆପନମାଳା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କକ୍ଷରେ ରଖିବା ବ୍ୟବସ୍ଥା କରିଥିଲା। ପ୍ରାୟ ସପ୍ତାହେ ରହିବା ପରେ ନୀଲମ ଭତ୍ରା (୨୫) ନାମକ ଶ୍ରମିକ ଜ୍ବରରେ ଆକ୍ରାନ୍ତ ହେଲେ। ସଙ୍ଗରୋଧ କକ୍ଷ ଦାୟିତ୍ବରେ ଥିବା ଡାକ୍ତରୀ ଟିମ୍ ସ୍ବାସ୍ଥ୍ୟ ପରୀକ୍ଷା କରି ମ୍ୟାଲେରିଆ ହୋଇଥିବା ସ୍ପଷ୍ଟ କରିଥିଲେ। ଏଥିପାଇଁ ୩ଦିନର ଔଷଧ ଦିଆଯାଇଥିଲା। କିନ୍ତୁ ଗତକାଲି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ସ୍ଥାନୀୟ ପିଇଓ ଗତକାଲି ରାତିରେ କୁଡ଼ୁମୁଲୁଗୁମ୍ମା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି।

ସ୍ଥାନୀୟ ସରପଞ୍ଚ ମଙ୍ଗୁ ଖିଲଙ୍କ କହିବାନୁଯାୟୀ, ଶ୍ରମିକଙ୍କ ମୃତ୍ୟୁ ଖବର ପ୍ରଶାସନକୁ ଦିଆଯାଇଥିଲା। କୋରୁକୋଣ୍ଡା ବିଡିଓ ଦାଶରଥି ସରାବୁ, ସମାଜ ମଙ୍ଗଳ ଅଧିକାରୀ ରାଜୀବ ପୂଜାରୀ, ପଞ୍ଚାୟତ ଅଧିକାରୀ ଜୟଶ୍ରୀ ଜେନା, ଯୋଗାଣ ସହାୟକ ଏବଂ ସହକାରୀ ଯନ୍ତ୍ରୀ ପ୍ରମୁଖ ପହଞ୍ଚିଥିଲେ। ମାଲକାନଗିରିରୁ ୩ଟି ଆମ୍ବୁଲାନ୍ସ ଅଣାଇ ଶ୍ରମିକଙ୍କ ଶବ ଏବଂ ଅନ୍ୟ ୧୧ଜଣ ଶ୍ରମିକଙ୍କୁ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ପଠାଇବା ବ୍ୟବସ୍ଥା କରାଯାଇଛି। ଏ ନେଇ କୋରୁକୋଣ୍ଡା ବିଡିଓଙ୍କୁ ଯୋଗଯୋଗ କରିବାରୁ ମୃତକଙ୍କ ଘରେ କହି ନଥିଲେ। ତେଣୁ ଅନ୍ୟ ଶ୍ରମିକମାନେ ଶବ ନେଇ ଗାଁକୁ ଯିବେ ବୋଲି କହିଥିଲେ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। କରୋନା ନିର୍ଦ୍ଦେଶନାମା ଅନୁଯାୟୀ ଶ୍ରମିକଙ୍କ ଶବ ବ୍ୟବଚ୍ଛେଦ କରାଯାଇ ନଥିବା ବିଡିଓ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର