ବିଶ୍ରାମ ନେଉଥିବା ବେଳେ ଚଢ଼ିଗଲା ଟ୍ରକ୍‌, ୧୦ ଘଣ୍ଟା ପରେ ବ୍ୟବଚ୍ଛେଦ ହେଲା ଶ୍ରମିକଙ୍କ ଶବ

ସମ୍ବଲପୁର : ଲକ୍‌ଡାଉନ୍‌ ଯୋଗୁ କାମ ବନ୍ଦ ହେଲା, ରୋଜଗାର ବି ଚାଲିଗଲା। ଶେଷରେ ଅନ୍ୟ ବନ୍ଧୁଙ୍କ ସହ ଟ୍ରକ୍‌ ଯୋଗେ ଘରକୁ ଫେରୁଥିଲେ। କିନ୍ତୁ ବାଟରେ ବିଶ୍ରାମ ନେଉଥିବା ସମୟରେ ଅନ୍ୟ ଏକ ଟ୍ରକ୍‌ ତାଙ୍କ ଉପରେ ଚଢ଼ିଗଲା। ଏହାପରେ ସହଯୋଗୀମାନେ ଚାଲିଗଲେ, ଅନ୍ୟମାନେ ଉଦ୍ଧାର କରି ଡାକ୍ତରଖାନାକୁ ଆଣିବା ପରେ ତାଙ୍କର ମୃତ୍ୟୁ ଘଟିଛି। ବୁର୍ଲା ବଡ଼ ଡାକ୍ତରଖାନା ପରିସରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ମୃତ ଶ୍ରମିକ ଜଣଙ୍କ ପଶ୍ଚିମବଙ୍ଗ ମୁର୍ଶିଦାବାଦ ନମଗାଁର ସଲିମ୍‌ ସେକ୍‌(୩୦) ବୋଲି ଜଣାପଡ଼ିଛି। ବୁର୍ଲା ପୁଲିସ୍‌ ଶବ ବ୍ୟବଚ୍ଛେଦ କରାଇବା ପରେ ଏକ ଆମ୍ବୁଲାନ୍ସ ଯୋଗେ ମୃତକଙ୍କ ଘରକୁ ପଠାଇଛି।

ମିଳିଥିବା ସୂଚନା ମୁତାବକ, ସଲିମ୍‌ ଦୁର୍ଗରେ ରହି ମିସ୍ତ୍ରି କାମ କରୁଥିଲେ। ଗତ ୧୭ ତାରିଖରେ ଅନ୍ୟ ଶ୍ରମିକଙ୍କ ସହ ସଲିମ୍‌ ଏକ ଟ୍ରକ୍‌ରେ କୋଲକାତା ଫେରୁଥିଲେ। ୧୭ ତାରିଖ ରାତିରେ ଦେବଗଡ଼ ଜିଲ୍ଲା ବାରକୋଟ ଅଞ୍ଚଳରେ ଏକ ଢ଼ାବା ନିକଟରେ ରାତ୍ରୀଭୋଜନ ପାଇଁ ସେମାନେ ଅଟକିଥିଲେ। ଖାଇ ସାରିବା ପରେ ସଲିମ୍‌ ଆସି ରାସ୍ତାକଡ଼ରେ ବିଶ୍ରାମ ନେଉଥିବା ସମୟରେ ଅନ୍ୟ ଏକ ଟ୍ରକ୍‌ ଆସି ତାଙ୍କ ଉପରେ ଚଢ଼ି ଯାଇଥିଲା। ଏହି ଘଟଣା ଦେଖି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଓ ସେ ନିଜେ ଆସିଥିବା ଟ୍ରକ୍‌ଟି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଜଣେ ସ୍ଥାନୀୟ ଶ୍ରମିକ ତାଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସଲିମଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ସଲିମ୍‌ଙ୍କ ମୃତ୍ୟୁ ଘଟିଥିଲା। ମାତ୍ର ତାଙ୍କର କେହି ନିଜ ଲୋକ ନଥିବାରୁ ଓ ସେ ବାହାର ରାଜ୍ୟର ଶ୍ରମିକ ହୋଇଥିବାରୁ ତାଙ୍କର ଶବ ବ୍ୟବଚ୍ଛେଦ କରିବା ନେଇ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ସଲିମ୍‌ଙ୍କ ହାତରେ ଲାଗିଥିବା କ୍ବାରାଣ୍ଟିନ୍‌ ଷ୍ଟାମ୍ପରେ ଉଲ୍ଲେଖ ଥିବା ଠିକଣାରେ ଯୋଗାଯୋଗ କରିବା ପରେ ତାଙ୍କ ପରିଚୟ ମିଳିପାରିଥିଲା। ପ୍ରାୟ ୧୦ ଘଣ୍ଟା ପରେ ବୁର୍ଲା ପୁଲିସ୍‌ ଏକ ଆମ୍ବୁଲାନ୍ସ ଯୋଗେ ଶବକୁ ମୁର୍ଶିଦାବାଦ ପଠାଇଛି।

ସମ୍ବନ୍ଧିତ ଖବର