ପୁଣି ଜାଇକା ନେଲା ଜୀବନ : ଶବ ଲୁଚାଇଥିଲେ; ଧରାପଡ଼ି ଜେଲ୍‌ ଗଲେ ଠିକାଦାର

କଟକ : ପୁଣି ଜାଇକା ନେଲା ଜୀବନ। ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଲେ ଶ୍ରମିକ। ମୃତ ଶ୍ରମିକ ଜଣକ ହେଉଛନ୍ତି ଉଜ୍ଜ୍ୱଳ ଦାସ(୩୮) ଏବଂ ଘର କଲିକତା ହାଓ୍ଵଡ଼ା ଅଂଚଳରେ। ଗତକାଲି ମହୀଦାସ ବଜାରରେ ସ୍ୱେରେଜ ଗାତ ଭିତରେ ପଶି କାମ କରୁଥିବା ବେଳେ ଉଜ୍ଜ୍ୱଳ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲା ବେଳେ ଜଗତ୍‌ସିଂହପୁରର ସଂଗ୍ରାମ ନାୟକ ଗୁରୁତର ଅବସ୍ଥାରେ ବଡ଼ ମେଡିକାଲ୍‌ ଭର୍ତ୍ତି ହୋଇଥିଲେ। କିନ୍ତୁ ଠିକାଦାର ଘଟଣାକୁ ସଂପୂର୍ଣ୍ଣ ଚପାଇ ଦେବା ପାଇଁ ଉଜ୍ଜ୍ୱଳଙ୍କ ଶବକୁ ଗାଏବ କରି ଦେଇଥିଲେ। ହେଲେ ଗତକାଲି ବିଳମ୍ବିତ ରାତିରେ ଠିକାଦାର କାର୍‌ରେ ଏସ୍‌ସିବି ମେଡିକାଲ୍‌କୁ ଶବ ବ୍ୟବଚ୍ଛେଦ କରିବାକୁ ଯାଇଥିବା ବେଳେ ଧରାପଡ଼ିଯାଇଥିଲେ। ଲାଲବାଗ ଥାନା ପୁଲିସ ସଂପୃକ୍ତ ଠିକାଦାର ରମାକାନ୍ତ ସ୍ୱାଇଁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନାନୁଯାୟୀ, ଗତକାଲି ରାତିରେ ଉଜ୍ଜଳ ଦାସ, ଝାରଖଣ୍ଡର ରାଜେଶ କିସ୍କୁ ଏବଂ ସଂଗ୍ରାମ ନାୟକ ମହୀଦାସବଜାରରେ ଜାଇକାର ଚାମ୍ବର କାମ ପାଇଁ ସ୍ୱେରେଜ ଗାତ ଭିତରକୁ ପଶିଥିଲେ। ପ୍ରାୟ ଦଶ ଫୁଟ ଗଭୀର ଗାତରେ ଅମ୍ଳଜାନ ଅଭାବରୁ ଉଜ୍ଜ୍ୱଳ ଓ ସଂଗ୍ରାମ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇପଡ଼ିଥିଲେ। ତାଙ୍କ ସହିତ ଥିବା ରାଜେଶ ଜୋର୍‌ରେ ପାଟି କରିବାରୁ ଉପରେ ଥିବା ଶ୍ରମିକମାନେ ଗାତ ଭିତରୁ ଉଭୟଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ସିଟି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ଉଜ୍ଜଳ ଦାସଙ୍କୁ ମୃତ ଘୋଷଣା କରିବା ସହ ସଂଗ୍ରାମଙ୍କୁ ବଡ଼ ମେଡିକାଲ୍‌ ସ୍ଥାନାନ୍ତର କରିଥିଲେ। ମାତ୍ର ଠିକାଦାର ଶ୍ରୀ ସ୍ୱାଇଁ ଘଟଣାକୁ ଚପାଇ ଦେବା ପାଇଁ ସିଟି ହସ୍ପିଟାଲ୍‌ରୁ ଉଜ୍ଜ୍ୱଳଙ୍କ ଶବକୁ ନିଜ କାରରେ ଧରି ସିଡିଏ ପଳାଇ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଶବକୁ କାର୍‌ ଡିକିରେ ପୂରାଇ ସହର ସାରା ବୁଲିଥିଲେ। ଶେଷରେ ଉପାୟଶୂନ୍ୟ ହୋଇ ଠିକାଦାର ଶ୍ରୀ ସ୍ୱାଇଁ ରାତି ପ୍ରାୟ ୩ଟା ବେଳେ ଶବକୁ ନେଇ ଏସସିବିରେ ପହଞ୍ଚିଥିଲେ। ଏହି ସମୟରେ ମହୀଦାସ ଅଞ୍ଚଳର କିଛି ଯୁବକ ବଡ଼ ମେଡିକାଲ୍‌ରେ ତାଙ୍କୁ ଦେଖିଥିଲେ। ଘଟଣା ସଂପର୍କରେ ପଚାରିବାରୁ ଶ୍ରୀ ସ୍ୱାଇଁ ସବୁ ସତକଥା ମାନି ଯାଇଥିଲେ। ଯୁବକ ମାନେ ଏ ନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ମେଡିକାଲ୍‌ରେ ପହଞ୍ଚି ଠିକାଦାର ଶ୍ରୀ ସ୍ୱାଇଁଙ୍କୁ ଗିରଫ କରିବା ସହ ଉଜ୍ଜ୍ୱଳଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।। ଅନ୍ୟପକ୍ଷରେ ମେଡିକାଲ୍‌ରେ ଚିକିତ୍ସାଧୀନ ଥିବା ଅନ୍ୟତମ ଶ୍ରମିକ ସଂଗ୍ରାମ ନାୟକ ଅବସ୍ଥା ଭଲ ଥିବା ଜଣାପଡ଼ିଛି।

ତେବେ କେଉଁ ପରିସ୍ଥିତିରେ ଠିକାଦାର ଶ୍ରୀ ସ୍ୱାଇଁ ଶବ ଗାଏବ କଲେ ଏବଂ ପୁଲିସ କିଛି ଜାଣିପାରିଲା ନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ସମ୍ବନ୍ଧିତ ଖବର