ରାଜରାସ୍ତାରେ ଶ୍ରମିକଙ୍କ ସୁଅ ଛୁଟୁଛି: କିଏ ସାଇକେଲର ତ କିଏ ଚାଲିଚାଲି

ଝାରସୁଗୁଡ଼ା: କରୋନା ତାଡ଼ନାର ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି ଶ୍ରମିକ ଶ୍ରେଣୀର ଲୋକ। ଏମାନଙ୍କ ଦୁର୍ଦ୍ଦଶାର ଯେପରି ଅନ୍ତ ନାହିଁ। ତାଲାବନ୍ଦ ପରେ କାମ ମଧ୍ୟ ବନ୍ଦ ହୋଇଯାଇଛି। ଶତାଧିକ ଛୋଟ ଛୋଟ ଉଦ୍ୟୋଗରେ ମୁଣ୍ଡଝାଳ ତୁଣ୍ଡରେ ମାରି ନିଜର ଗୁଜୁରାଣ ଅତି କଷ୍ଟରେ ପୁରଣ କରୁଥିବା ଏହି ଶ୍ରମିକ ମାନେ ଏବେ ଆଉଟପାଉଟ ହେଉଛନ୍ତି। ହଜାର ହଜାର ମାଇଲ ଦୂରରୁ କାମ କରିବାକୁ ଆସିଥିବା ଏହି ଶ୍ରମିକ ମାନେ ଏବେ ଘରକୁ ଯାଇ ନିଜ ପିତା, ମାତା, ସ୍ତ୍ରୀ, ପୁଅ, ଝିଅଙ୍କ ମୁହଁ ଦେଖିବାକୁ ଯେପରି ବ୍ୟାକୁଳ ହୋଇ ପଡ଼ିଛନ୍ତି।

ତାଲାବନ୍ଦପରିଣାମ ଯେ ଏତେ ଭୟଙ୍କର ହେବ ତାହା ଏମାନଙ୍କ କଳ୍ପନାର ବାହାରେ ଥିବା ଅନେକ ଶ୍ରମିକ କହିଛନ୍ତି। ଦିନ ରାତି ଏଭଳି ଶ୍ରମିକଙ୍କ ସୁଅ ଛୁଟିଛି ରାଜରାସ୍ତାରେ। ସମସ୍ତେ ଘରମୁହାଁ ହୋଇଛନ୍ତି। ଘରେ ପହଞ୍ଚିବା ପାଇଁ ସମସ୍ତେ ବ୍ୟାକୁଳ ହୋଇ ପଡ଼ିଥିବାରୁ ଏମାନଙ୍କ ଆଗରେ ସବୁ ବାଧାବିଘ୍ନ ତୁଚ୍ଛ ହୋଇ ପଡ଼ିଛି। ଝାରସୁଗୁଡ଼ା ଦେଇ ଲମ୍ବି ଯାଇଥିବା ରାୟଗଡ଼ ଓ ରାଉରକେଲା ରାସ୍ତା ଉପରେ ଦଳ ଦଳ ହୋଇ ଶ୍ରମିକ ଯାଉଥିବା ଦେଖିବାକୁ ମିଳୁଛି। ଏମାନେ କିଏ ପାଦରେ ଚାଲିଚାଲି ଯାଉଛନ୍ତି ତ ଆଉକିଏ କିଏ ସାଇକେଲରେ ଯାଉଥିବା ଦେଖାଯାଉଛି। ଗତ ଦୁଇ ଦିନ ହେଲା ଗ୍ରୀଷ୍ମର ପ୍ରକୋପ ମଧ୍ୟ ବୃଦ୍ଧି ପାଇଛି। ତଥାପି ଏହି ମୁଣ୍ଡଫଟା ଖରାକୁ ଖାତିର ନକରି ଏହି ଶ୍ରମିକ ମାନେ ନିଜ ଘର ଅଭିମୂଖେ ଯାତ୍ରା ଅବ୍ୟାହତ ରଖିଛନ୍ତି।

ଏହି ଶ୍ରମିକମାନେ ସମ୍ବଲପୁର, ଅଇଁଠାପାଲି, ରେଙ୍ଗାଲି, ପରଧିଆପାଲି, ହୀରାକୁଦ ଅଞ୍ଚଳରେ କାମ କରୁଥିବା କହୁଛନ୍ତି। କିଛି ଶ୍ରମିକ ରେଳ ଟ୍ରାକ୍ କାମରେ ନିୟୋଜିତ ଥିବା କହୁଥିବା ବେଳେ କିଛି ଶ୍ରମିକ ବିଭିନ୍ନ କାରଖାନାରେ କାମ କରୁଥିବା କହିଛନ୍ତି। ବେଶୀ ସଂଖ୍ୟାରେ ଶ୍ୟାମ ଡିଆର୍ଆଇର ଶ୍ରମିକ ଯାଇଥିବା ବେଳେ ବିଭିନ୍ନ ଗୁଟ୍ଖା କାରଖାନାର ଶ୍ରମିକ, ୱେଲଡ଼ିଂ ମିସ୍ତ୍ରୀ, ରାଜମିସ୍ତ୍ରୀ, ପାଣି ପାଇପ ମିସ୍ତ୍ରୀ, କାର୍ପେଣ୍ଟର, ଇଲେକ୍ଟ୍ରିସିଆନ ପ୍ରଭୃତି କାମ କରୁଥିବା ଶହ ଶହ ଶ୍ରମିକ ଏବେ କାମ ହରାଇଛନ୍ତି। ଏହି ଶ୍ରମିକ ମାନେ ବିଶେଷ କରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ପ୍ରଭୃତି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସି ସମ୍ବଲପୁର ଜିଲ୍ଲାର ବିଭିନ୍ନ ଶିଳ୍ପସଂସ୍ଥାନରେ ଜୀବିକା ନିର୍ବାହ କରି ଆସୁଥିଲେ।

ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳକୁ ଯାଉଥିବା ଜଣେ ଶ୍ରମିକ ରାମଜୀ ସିଂ କହିଛନ୍ତି ଯେ, ସେ ଗତ ଦୁଇ ବର୍ଷ ହେଲା ସମ୍ବଲପୁର ଠାରେ ରହି କାରଖାନା ଗୁଡ଼ିକରେ ପମ୍ପ କାମ କରି ଆସୁଥିଲେ । ତାଙ୍କ ସହିତ ଆହୁରି ଦଶ ଜଣ ମଧ୍ୟ ଏହି କାମରେ ନିୟୋଜିତ ଥିଲେ ତେବେ ଗତ ୨୪ ତାରିଖ ଦିନ ହଠାତ୍ ତାଲାବନ୍ଦ ଘୋଷଣା ହେବା ପରେ ଅନେକ କାରଖାନା ବନ୍ଦ ହୋଇ ଯାଇଛି। କାମ ମଧ୍ୟ ମିଳିଲା ନାହିଁ କି ଘରୁ ପଦାକୁ ବାହାରିବାକୁ ଦିଆଗଲା ନାହିଁ। ପାଖରେ ଆଉ ଟଙ୍କାଟିଏ ମଧ୍ୟ ନାହିଁ। ଦେଢ଼ମାସ ଉପରେ ହେଲା ବିନା କାମରେ ପେଟ ଭରିବା ବଡ଼ କଷ୍ଟ ହୋଇ ଯାଇଛି। ସେପଟେ ଘରେ ମୋର ୭ ଜଣ ପରିବାର ବାପା, ମାଁ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥାତାରେ ଥିବା ବେଳେ ଛୋଟ ଛୁଆ, ଭାଇ ଭଉଣୀଙ୍କ ପାଖରେ ମଧ୍ୟ ଚଳିବା ପାଇଁ ପଇସା ନାହିଁ। ଘରକୁ ଟଙ୍କା ପଠାଇବା ପାଇଁ ପରିବାର କହୁଥିବା ବେଳେ ମୁଁ ଅସମର୍ଥ।

ଏପଟେ କରୋନା ସଂକ୍ରମଣ ଆଶଙ୍କା ଚିନ୍ତା ବଢ଼ାଉଥିବା ବେଳେ ହଜାରେ କିମି ଦୂରରେ ଅଭାବରେ ପଡ଼ି ରହିଥିବା ପରିବାର କଥା ଭାବିଲେ ହୃଦୟ ଥରି ଉଠୁଛି। କଣ କରିବି କିଛି ଭାବି ପାରୁନାହିଁ। ଯିବା ପାଇଁ ମାଧ୍ୟମ ନାହିଁ। ଟ୍ରେନ୍, ବସ୍ ସବୁ ବନ୍ଦ ରହିଛି। କେବେ ଚାଲିବ ତାର କୌଣସି ଗ୍ୟାରେଣ୍ଟି ମଧ୍ୟ କେହି ଦେଇ ପାରୁ ନାହାନ୍ତି। ଫଳରେ ଯାହା ହେଲେ ହେବ ପଛେ ଚାଲି ଚାଲି ଗାଁକୁ ପଳାଇବାକୁ ବାହାରିଥିବା ସେ କହିଥିଲେ। ଆଜି ସକାଳେ ଆଉ ଦଳେ ଶ୍ରମିକ ସମ୍ବଲପୁରରୁ ଚାଲିଚାଲି ଆସି ଝାରସୁଗୁଡ଼ାରେ ଭୋରରୁ ପହଞ୍ଚି ଥିଲେ । ଏହି ଦଳରେ ୧୩ ଜଣ ଶ୍ରମିକ ପଶ୍ଚିମବଙ୍ଗ ଯିବାକୁ ବାହାରି ଆସିଥିବା ବେଳେ ଏଠାରେ ୭ ଗୋଟି ସାଇକେଲ କିଣିଥିଲେ ତାଙ୍କ ଗନ୍ତବ୍ୟ ପଥକୁ ଯାଇଥିଲେ।

ଗୁରୁବାର ରାତିରେ ସମ୍ବଲପୁର ପରଧିଆପାଲିରେ ଏକ ଗୁଟ୍ଖା କାରଖାନାରେ କାମ କରୁଥିବା ୨୨ ଜଣ ଶ୍ରମିକ ଚାଲିଚାଲି ମେଦିନିପୁର ଯାଉଥିବା ବେଳେ ଝାରସୁଗୁଡ଼ା ତାଲପଟିଆ ଠାରେ କିଛି ଲୋକ ଏମାନଙ୍କୁ ଅଟକାଇ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଏହି ଶ୍ରମିକ ମାନେ କାମ କରୁଥିବା କାରଖାନା ମାଲିକଙ୍କୁ ଫୋନ୍ କରି ଶ୍ରମିକଙ୍କ ଯିବା ପାଇଁ ପ୍ରଶାସନ ପାଖରୁ ଅନୁମତି କରି ଯିବାର ବ୍ୟବସ୍ଥା କରିବାକୁ କହିଥିଲେ ଓ ସବୁ ଶ୍ରମିକଙ୍କୁ ପୁଣି ଏକ ବସ ଯୋଗାଡ଼ କରି ସମ୍ବଲପୁର ଫେରାଇ ଦେଇଥିଲେ। ଶ୍ରମିକ ମାନଙ୍କୁ ପୁଲିସ ଅଟକାଇ ପୁଣି ତାଙ୍କ କାର୍ଯ୍ୟସ୍ଥଳୀକୁ ଫେରାଇ ଦେଉଥିବାରୁ ଏବେ ଶ୍ରମିକ ମାନେ ମଧ୍ୟ ରାତ୍ରୀରେ ସହର ପାରି ହୋଇ ପଳାଉଥିବା ଦେଖା ଯାଉଛି। ବାଟରେ କେହି ତାଙ୍କୁ ଅଟକାଇଲେ ସେମାନେ ତାଙ୍କ କଥା ଆଉ ଶୁଣୁନଥିବା ଦେଖା ଯାଉଛି। ତେବେ କିଛି ସ୍ବେଚ୍ଛାସେବୀ ସଂଗଠନ ଏଭଳି ଚାଲିଚାଲି ବା ସାଇକେଲରେ ଯାଉଥିବା ଶ୍ରମିକ ମାନଙ୍କୁ ପାଣି, ବିସ୍କୁଟ, ଗ୍ଲୁକୋଜ୍ ଦେଉଥିବା ମଧ୍ୟ ଦେଖିବାକୁ ମିଳୁଛି। ପ୍ରଶାସନ ବାହାର ଶ୍ରମିକ ଯେଉଁମାନେ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି ତାଙ୍କର ଯିବାର ବ୍ୟବସ୍ଥା କରିବାକୁ ବହୁ ସଂଗଠନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର