ଏଲ୍‌ଆଣ୍ଡ୍‌ଟି ଟୋଲ୍‌ଗେଟ୍‌ ଅଧିକାରୀଙ୍କ ମନମାନି : ଟୋଲ୍‌ ଫି’ ପାଇଁ ମନ୍ତ୍ରୀଙ୍କୁ ଛାଡ଼ିଲେନି

ଘଣ୍ଟାଏ ଅଟକିଲେ, ୩ କର୍ମଚାରୀ ଅଟକ

ସୁନ୍ଦରଗଡ଼ : ଟୋଲ୍‌ ଫି’ ପାଇଁ ରାଜ୍ୟ ଶ୍ରମ ଓ କର୍ମ ନିୟୋଜନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ହଟହଟା ହେବାକୁ ପଡ଼ିଛି। ସୁନ୍ଦରଗଡ଼ ମସ୍ନିକାନୀସ୍ଥିତ ଏଲ୍‌ଆଣ୍ଡ୍‌ଟି ବିଜୁ ଏକ୍ସପ୍ରେସ ୱେ ଟୋଲ୍‌ଗେଟ୍‌ କର୍ମଚାରୀ ମନ୍ତ୍ରୀ ଶ୍ରୀ ସିଂହଙ୍କ ଗାଡ଼ିକୁ ଛାଡ଼ିନଥିଲେ। ଫି’ ନଦେଲେ ଗାଡ଼ି ଛଡ଼ାଯିବନି ବୋଲି ରୋକଠୋକ୍‌ ଶୁଣାଇ ଦେଇଥିଲେ। ଖୋଦ୍‌ ମନ୍ତ୍ରୀ ନିଜ ପରିଚୟ ଦେବା ପରେ ବି କେହି ଶୁଣି ନଥିଲେ। ଫଳରେ, ମନ୍ତ୍ରୀ ସେଠାରେ ପ୍ରାୟ ଘଣ୍ଟାଏ କାଳ ଅଟକି ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବାତିଲ ହୋଇଯାଇଥିଲା। ଅତିଥି ଭାବେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଓ ଶ୍ରମ ଓ କର୍ମ ନିୟୋଜନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଯୋଗ ଦେବାକୁ ନିର୍ଦ୍ଦେଶ ହୋଇଥିଲା। ମନ୍ତ୍ରୀ ସୁଶାନ୍ତ ସିଂ ରାତିରେ ନିଜ ବିଭାଗୀୟ ଗାଡ଼ି (ଓଡି-୦୨ ଏଟି ୮୩୧୭)ରେ ସୁନ୍ଦରଗଡ ଅଭିମୁଖେ ଆସିଥିଲେ। ବିଜୁ ଏକ୍ସପ୍ରେସ ୱେର ମସ୍ନିକାନୀ ଟୋଲ୍‌ଗେଟ ନିକଟରେ ରାତି ୨ଟାରେ ପହଞ୍ଚିଥିଲେ। ଗେଟ୍‌ରେ ନିୟୋଜିତ କର୍ମଚାରୀ ମନ୍ତ୍ରୀଙ୍କ ଗାଡିକୁ ଅଟକାଇ ଟୋଲ ଫି’ ମାଗିଥିଲେ। ମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଗାଡ଼ିରୁ ଓହ୍ଲାଇ ମନ୍ତ୍ରୀ ସୁଶାନ୍ତ ସିଂ ବସିଥିବା ସୂଚନା ଦେଇଥିଲେ। କିନ୍ତୁ କର୍ମଚାରୀ କିଛି ଶୁଣି ନଥିଲା। ଗେଟ୍‌ ସନ୍ନିକଟ ଅଫିସ୍‌ରେ ଶୋଇଥିବା ଅଧିକାରୀଙ୍କୁ ଫୋନ୍‌ କରିଥିଲେ। ଆଉ ସେପଟୁ କୁଆଡ଼େ ଫି’ ଆଦାୟ ପାଇଁ ନିର୍ଦ୍ଦେଶ ଆସିଥିଲା। ଏହାପରେ ମନ୍ତ୍ରୀ ନିଜେ ଗାଡ଼ିରୁ ଓହ୍ଲାଇ କଥା ହୋଇଥିଲେ ମଧ୍ୟ ଟୋଲ୍‌ ଫି ନଦେଲେ ଗାଡ଼ି ଛଡ଼ାଯିବ ନାହିଁ ବୋଲି କହି କର୍ମଚାରୀ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲା। ଏହାକୁ ନେଇ ସେଠାରେ ବେଶ୍‌ ସମୟ ଯୁକ୍ତିତର୍କ ହୋଇଥିଲା। ମନ୍ତ୍ରୀ ଶ୍ରୀ ସିଂ ୧୦୦ ନମ୍ବରକୁ କଲ୍‌ କରିଥିଲେ। ସୂଚନା ପାଇ ସୁନ୍ଦରଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ମଧୁସିକ୍ତା ମିଶ୍ରଙ୍କ ସହ ଭଷ୍ମା ଥାନାଧିକାରୀ ଓ ଅନ୍ୟ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରୁ ଭୋର୍ ସାଢ଼େ ୩ଟାରେ ମନ୍ତ୍ରୀ ପ୍ରଦିକ୍ଷଣ ଗୃହକୁ ଆସିଥିଲେ। ଟୋଲ୍‌ଗେଟ୍‌ରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ଗାଡ଼ିକୁ ନଛାଡ଼ି ଅପଦସ୍ଥ କରିବା ସୁନ୍ଦରଗଡ଼ରେ ଆଲୋଡ଼ନ ସୃଷ୍ଟି କରିଛି।

ଘଟଣାକୁ ନେଇ କ୍ଷୁବ୍ଧ ମନ୍ତ୍ରୀ ଆଜି ସକାଳେ ଜିଲ୍ଲା ପ୍ରଶାସନ ଓ ପୁଲିସ ଉପରେ ଭୀଷଣ ବର୍ଷିଥିଲେ। ତୁରନ୍ତ ଟୋଲ୍‌ଗେଟ୍‌ର ସମସ୍ତ ଅଧିକାରୀ, କର୍ମଚାରୀଙ୍କୁ ଗିରଫ କରିବାକୁ କଡ଼ା ତାଗିଦ୍‌ କରିଥିଲେ। ଏପରିକି କାର୍ଯ୍ୟାନୁଷ୍ଠାନ ନହେବା ଯାଏ ସେ ଉତ୍ସବସ୍ଥଳକୁ ଯିବେ ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେଇଥିଲେ। ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ଦଳୀୟ ନେତା ଓ ଅନ୍ୟ ଅଧିକାରୀମାନେ ଜିଲ୍ଲାର ଅନେକ ନେତା ଓ ଅଧିକାରୀ ପ୍ରଦିକ୍ଷଣ ଗୃହକୁ ଆସି ଉତ୍ସବକୁ ଯିବାକୁ ଅନୁରୋଧ କରିଥିଲେ ମଧ୍ୟ ସେ କାହା କଥା ଶୁଣି ନଥିଲେ। ଶେଷରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ ଆସି ମନ୍ତ୍ରୀ ଶ୍ରୀ ସିଂଙ୍କୁ ସୁନ୍ଦରଗଡ ମହାବିଦ୍ୟାଳୟ କାର୍ଯ୍ୟକ୍ରମକୁ ନେଇଯାଇଥିଲେ। ତେବେ ଉତ୍ସବରେ ମଧ୍ୟ ମନ୍ତ୍ରୀ ମାତ୍ର ଦି’ ଧାଡ଼ି କହି ଚାଲି ଯାଇଥିଲେ।

ମନ୍ତ୍ରୀ, ପଦସ୍ଥ ଅଧିକାରୀ ଓ ଅନ୍ୟ ଭିଆଇପି ବ୍ୟକ୍ତିମାନଙ୍କ ଗାଡ଼ିକୁ ଟୋଲ୍‌ ଫି’ ମୁକ୍ତ କରାଯାଇଥିବାବେଳେ ମନ୍ତ୍ରୀ ଶ୍ରୀ ସିଂଙ୍କ ଗାଡ଼ିରୁ ଟୋଲ ଫି’ ଆଦାୟ ପାଇଁ ଏଲ୍‌ଆଣ୍ଡ୍‌ଟି କର୍ତ୍ତୃପକ୍ଷ କାହିଁକି ଜିଦ୍ ଧରିଥିଲେ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶେଷ ଖବର ଅନୁସାରେ, ଆରକ୍ଷୀ ଅଧିକ୍ଷକ ‌ସୌମ୍ୟା ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଟୋଲ୍‌ ପ୍ଲାଜାରୁ ସିସିଟିଭି ହାର୍ଡଡିକ୍ସକୁ ପୁଲିସ ଜବତ କରିବା ସହ ୩ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର