ବୁଗୁଡ଼ା/ଭଞ୍ଜନଗର/ବ୍ରହ୍ମପୁର: ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଜଣେ ମହିଳା ନେତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଥିବା ବେଳେ ବିରୋଧୀ ମଧ୍ୟ ସ୍ବରୋତ୍ତୋଳନ ଆରମ୍ଭ କରିଛନ୍ତି। ଏହିକ୍ରମରେ ଶ୍ରମମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ବୁଗୁଡ଼ାରେ ଆଜି ବିଜେପି ପକ୍ଷରୁ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତୃତ୍ବରେ ଦଳୀୟ କର୍ମୀ ଓ ନେତାମାନେ ବିଜେପି ଅଫିସ୍‌ରୁ ରାଲିରେ ବାହାରି ହାଇସ୍କୁଲ୍ ଛକରେ ବିକ୍ଷୋଭ ପ୍ରଦର୍ଶନ ସହ ଶ୍ରମମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏଥିସହ ବୁଗୁଡ଼ା ଥାନାରେ ଏକ ଏତଲା ଦିଆଯାଇଥିଲା। ରାଜ୍ୟ ବିଜେପି ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଦୀପକ ପ୍ରଧାନ, ବିନାୟକ ତ୍ରିପାଠୀ, ହରପ୍ରସାଦ ଦାଶ ଓ ପ୍ରକାଶ ମହାରଥାଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ।

Advertisment

ସେହିପରି ଘୁମୁସର ବିଜେପି ପକ୍ଷରୁ ଭଞ୍ଜନଗର ତହସିଲ ଛକରେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ କରାଯାଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦ୍ୟୁମ୍ନ ନାୟକ, ଉପସଭାପତି ଅଯୋଧ୍ୟାନାଥ ମହାପାତ୍ର, ବରିଷ୍ଠ ନେତା ବିନାୟକ ତ୍ରିପାଠୀ ଓ ସନ୍ତୋଷ ତିଆଡ଼ିଙ୍କ ସମେତ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ କୋଦଳା ବିଜେପି ପକ୍ଷରୁ ମନ୍ତ୍ରୀଙ୍କ ବିରୋଧରେ କୋଦଳା ଥାନାରେ ଏତଲା ଦିଆଯାଇଛି। ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ନେତା ତଥା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ ଦାବି କରିଛନ୍ତି। ରାଜ୍ୟ ବିଜେପି ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ଖଲ୍ଲିକୋଟ ବିଜେପି ନେତା ଅନୀଲ ପଣ୍ଡା, ଶଙ୍କର ନାହାକ, ଯଜ୍ଞନାରାୟଣ ଦାଶ, ମଧୂସୁଦନ ଜେନାଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।