ଫସଲ ପୋଡ଼ିବାକୁ ଉସୁକାଉଛନ୍ତି ବିରୋଧୀ

ଶ୍ରମମନ୍ତ୍ରୀଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର: ଚାଷୀକୁ ଜମିରେ ନିଆଁ ଲଗାଇବାକୁ ବିରୋଧୀ ଦଳ ଉସୁକାଉଛନ୍ତି। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଆଜି ଏମିତି ବିସ୍ଫୋରକ ବୟାନ ଦେଇଛନ୍ତି। ବୁଲେଇ ବଙ୍କେଇ ବିଜେପିକୁ ଟାଣିଛନ୍ତି ମନ୍ତ୍ରୀ। ଗଣମାଧ୍ୟମକୁ କହିଛନ୍ତି, ଚକଡ଼ା ପୋକ ଯୋଗୁଁ ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ ହୋଇଛି। ଏହାକୁ ନେଇ ଚାଷୀ ମୁଣ୍ଡରୁ ହାତ ଖସୁନି। ଏପରି ଏକ ଘଡିସନ୍ଧି ମୁହୂର୍ତରେ ଚାଷୀଙ୍କୁ ସମବେଦନା, ଆଶ୍ୱାସନା ବା ସହାୟତା ଦେବା ପରିବର୍ତେ ଏକ ନିର୍ଦିଷ୍ଟ ଦଳର କର୍ମୀ ସେମାନଙ୍କୁ ନିଆଁ ଲଗାଇବାକୁ ଉସୁକାଉଛନ୍ତି। ବରଗଡ଼ରେ ବୃନ୍ଦାବନ ସାହୁଙ୍କୁ କ୍ଷେତ୍ରରେ ନିଆଁ ଲଗାଇବା ଏଭଳି ଉସୁକାଇଯାଇଥିଲା ଓ ତାଙ୍କୁ ଆତ୍ମହତ୍ୟା କରିବାକୁ ମଧ୍ୟ ବାଧ୍ୟ କରାଯାଇଥିଲା। ଏହାର ଭିିଡିଓ ତାଙ୍କ ପାଖରେ ଅଛି। ମନ୍ତ୍ରୀ ଏକଥା ବି କହିଥିଲେ, ସେ ଏହି ଭିଡିଓ ପୁଲିସକୁ ଦେବେ ଓ ମୁଖ୍ୟମନ୍ତ୍ରୀଙ୍କୁ ବି।

ମନ୍ତ୍ରୀ ଜାରି କରିଥିବା ଭିଡିଓରେ ଆତ୍ମହତ୍ୟା କରିବାକୁ ଖୋଲାଖୋଲି ଚେତାବନୀ ଦେଉଛନ୍ତି ବୃନ୍ଦା। ସେହିପରି ସରକାର କ୍ଷତିପୂରଣ ନଦେଲେ ବରଗଡରେ ବହୁ ସଂଖ୍ୟାରେ ଚାଷୀ ଆତ୍ମହତ୍ୟା କରିବେ ବୋଲି କୁହାଯାଇଛି। ତେଣୁ ଏହି ଭିଡିଓ କରିଥିବା ବ୍ୟକ୍ତିଙ୍କ ଭୂମିକା ଉପରେ ପ୍ରଶ୍ନଚିହ୍ନ ଲଗାଇଛନ୍ତି ମନ୍ତ୍ରୀ। ଏହି ଭିଡିଓର ଆଉକିଛି ଅଂଶ ଅଛି, ଯେଉଁଥିରେ ଭିଡିଓ କରୁଥିବା ବ୍ୟକ୍ତିଜଣକ କହୁଛନ୍ତି ଯେ, ଚକଡା ପୋକ ଲାଗି ବରଗଡରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ଯଦି ସରକାର ଭଲ କ୍ଷତିପୂରଣ ନଦିଅନ୍ତି ତାହେଲେ ବହୁ ସଂଖ୍ୟାରେ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ।
ତେବେ ମନ୍ତ୍ରୀଙ୍କର ଆଜିର ମନ୍ତବ୍ୟକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସ କହିଛି, ଏହାର ତଦନ୍ତ ହେବା ଦରକାର। ଦୋଷୀ ଯିଏ ଥିବ, ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌। ବିଜେପି ନେତା ପ୍ରତାପ ଷଡଙ୍ଗୀ କହିଛନ୍ତି, ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି। ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, ମନ୍ତ୍ରୀଙ୍କ ଅଭିଯୋଗ ନିରାଧାର। ଏଭଳି ଭିଡିଓ ପ୍ରସ୍ତୁତି ପଛରେ ବିଜେଡିର ହିଁ ହାତ ରହିଛି ଓ ସେମାନେ ଦୋଷ ଲଦି ଖସିଯିବାକୁ ଚେଷ୍ଟା କରୁଛନ୍ତି। ତେବେ ଏହାକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ପୂର୍ବରୁ କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଥିଲେ, ଚାଷୀ ତାର ଜମିରେ ନିଆଁ ଲଗାଇବା ପଛରେ ଷଡ଼ଯନ୍ତ୍ର ରହିଥିବା ସନ୍ଦେହ କରାଯାଉଛି। ଏହାର ତଦନ୍ତ ଲାଗି ଜିଲ୍ଲାପାଳମାନେ ପୁଲିସ ସାହାଯ୍ୟ ନେବା ଲାଗି ମନ୍ତ୍ରୀ କହିଥିଲେ। ଏବେ ଶ୍ରମ ମନ୍ତ୍ରୀଙ୍କ ବୟାନ ଏ ପ୍ରସଙ୍ଗକୁ ଆଉ ଟିକିଏ ଆଗକୁ ନେଇଛି।

ସମ୍ବନ୍ଧିତ ଖବର