ଠକି ଦେଲା ଠିକାଦାର: ସହଯୋଗ କଲାନି ପ୍ରଶାସନ, ଚାଲି ଚାଲି ଉତ୍ତରପ୍ରଦେଶ ଗଲେ ଶ୍ରମିକ  

ମୁଖ୍ୟମନ୍ତ୍ରୀ ହେଲପ୍ ଲାଇନରେ ପଂଜୀକରଣ ସତ୍ତ୍ବେ ମିଳିଲାନି ସହାୟତା

ରାୟଗଡ଼ା: ଠିକାଦାର ଠକି ଦେଲା। ପ୍ରଶାସନ ସହଯୋଗ କଲାନି। କ୍ୱାରେଣ୍ଟାଇନରେ ରଖିଲେନି କି ନିଜ ଘରକୁ ଫେରିବାର ଗାଡ଼ି ବ୍ୟବସ୍ଥା କଲେନି। ଫଳରେ ଉତ୍ତରପ୍ରଦେଶ ଅଭିମୁଖେ ରାୟଗଡ଼ାରୁ ଚାଲି ଚାଲି ବାହାରିଛନ୍ତି ୧୯ ଶ୍ରମିକ। ଉତ୍ତରପ୍ରଦେଶ ମଙ୍ଗଲପୁର ଅଞ୍ଚଳର ୧୯ ଶ୍ରମିକ ଗତ ଜାନୁଆରି ମାସରେ ଦାଦନ ଶ୍ରମିକ ଭାବେ କାମ କରିବାକୁ ରାୟଗଡ଼ା ଆସିଥିଲେ। ଜନୈକ ରେଲୱେ ଠିକାଦାର ଅଧୀନରେ ଶ୍ରମିକମାନେ ରାୟଗଡ଼ାଠୁ ୭ କିମି ଦୂର ଲାଡ୍ଡା ରେଳ ଷ୍ଟେସନରେ ଚାଲିଥିବା ନିର୍ମାଣଧୀନ କାମରେ ନିୟୋଜିତ ହୋଇଥିଲେ।

ଲକଡାଉନ୍ ଆରମ୍ଭ ହେବା ପରେ ଠିକାଦାର ଶ୍ରମିକଙ୍କୁ ଧରାଛୁଆଁ ନ ଦେଇ କେଉଁ ଆଡେ ପଳାଇ ଯାଇଥିଲେ। ୪ ମାସର ମଜୁରି ଟଙ୍କା ମିଳିନଥିବାରୁ ଟଙ୍କା ଦେଲେ ନିଜ ଘରକୁ ଫେରିବାକୁ ଶ୍ରମିକମାନେ ଠିକାଦାରକୁ ବାରମ୍ବାର ଫୋନ୍ ଯୋଗେ ଅନୁରୋଧ କରିଥିଲେ। କିନ୍ତୁ ମଜୁରି ଦେବା ତ ଦୂରର କଥା ଠିକାଦାର ଖାଇବା, ପିଇବା ବ୍ୟବସ୍ଥା ମଧ୍ୟ କଲାନି। ଲକଡାଉନ୍ ଯୋଗୁ ଦେଢ଼ ମାସ ଧରି ଠିକା କ୍ୟାମ୍ପରେ ଭୋକ ଉପାସରେ ପଡ଼ି ରହିବା ପରେ ଚାଲି ଚାଲି ଉତ୍ତରପ୍ରଦେଶ ଅଭିମୁଖେ ଯାଇଛନ୍ତି ୧୯ ଶ୍ରମିକ। ଘରକୁ ଯିବା ପୂର୍ବରୁ ଶ୍ରମିକମାନେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହେଲପ୍ ଲାଇନ୍ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ହେଲପ୍ ଲାଇନ ମାଧ୍ୟମରେ ନିଜ ଘରକୁ ଫେରାଇବାର ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। କିନ୍ତୁ ଉଭୟ ସରକାର କେହି ବି ସହଯୋଗ କରିନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।

ଲାଡ୍ଡା ଷ୍ଟେସନରୁ ରେଳପଥରେ ଚାଲି ଚାଲି ଶ୍ରମିକମାନେ ବାହାରିବା ପରେ ରେଲୱେ ପୁଲିସ୍ ଶ୍ରମିକଙ୍କୁ ଅଟକାଇ କ୍ୱାରେଣ୍ଟାଇନରେ ରଖିବାକୁ କହିଥିଲା। ଫଳରେ ଶ୍ରମିକମାନେ ଗୋଟିଏ ରାତି ଷ୍ଟେସନରେ ଅଟକି ରହିଥିଲେ। ସକାଳୁ କିନ୍ତୁ ରେଲୱେ ପୁଲିସ୍ କର୍ତ୍ତୃପକ୍ଷ କେହି ଧରାଛୁଆଁ ନ ଦେବାରୁ ଶ୍ରମିକମାନେ ରେଳପଥରେ ଚାଲି ଚାଲି ଗାଁ ଅଭିମୁଖେ ଯାଇଛନ୍ତି। ରାୟଗଡ଼ାରୁ ବିଷମକଟକ ପର୍ୟ୍ୟନ୍ତ ରେଳପଥରେ ଚାଲି ଯିବା ପରେ ବିଷମକଟକ ମାର୍କେଟରୁ ବିସ୍କୁଟ୍ ଓ ପାଣି ପ୍ୟାକେଟ୍ କିଣି ପିଇଥିଲେ।

ପାଖରେ ଆବଶ୍ୟକ ପଇସାପତ୍ର ନଥିବାରୁ ବିସ୍କୁଟ୍, ପାଣି ପିଇବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ ବୋଲି ଶ୍ରମିକମାନେ କହିଛନ୍ତି। ରାୟଗଡ଼ାରୁ ଉତ୍ତରପ୍ରଦେଶର ଦୂରତା ୯୦୦ କିମି ହୋଇଥିବା ବେଳେ ଉତ୍ତରପ୍ରଦେଶ ଗୋରଖପୁର ନିଜ ଗାଁ ମଙ୍ଗଲପୁର ୫୨ କିମି ବୋଲି ଶ୍ରମିକମାନେ ପ୍ରକାଶ କରିଛନ୍ତି। ଦୁଃଖକଷ୍ଟ ସତ୍ତ୍ବେ ନିଜ ଗାଁରେ ପହଞ୍ଚିବାକୁ ଶ୍ରମିକମାନେ ମନୋବଳକୁ ଦୃଢ଼ କରି ବାହାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହେଲପ୍ ଲାଇନରେ ପଂଜୀକରଣ ସତ୍ତ୍ବେ କିଛି ସହଯୋଗ ନ ମିଳିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଶ୍ରମିକମାନେ।

ବାହାର ରାଜ୍ୟରେ ଫସିଥିବା ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ନିକଟରେ ଓଡ଼ିଶା ସରକାର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶାରେ ଫସିଥିବା ଶ୍ରମିକଙ୍କୁ ମଧ୍ୟ ନିଜ ସୁବିଧାରେ ଘରେ ଛାଡ଼ିବାର ବ୍ୟବସ୍ଥା ହୋଇଛି। କିନ୍ତୁ ଠିକା ଶ୍ରମିକଙ୍କ ଆବେଦନକୁ ପ୍ରଶାସନିକ ସ୍ତରରେ ଅବହେଳା କରାଯିବା ଯୋଗୁ ୧୯ ଶ୍ରମିକ ଚାଲି ଚାଲି ଘର ଅଭିମୁଖେ ଯାଇଛନ୍ତି। ଏ ସଂପର୍କରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ବାହାର ରାଜ୍ୟର ଶ୍ରମିକଙ୍କୁ ଆଶ୍ରୟସ୍ଥଳରେ ରଖିବାର ସମସ୍ତ ବ୍ୟବସ୍ଥା ଅଛି। କିନ୍ତୁ ଚାଲି ଚାଲି ଯାଇଥିବା ଶ୍ରମିକଙ୍କ ସଂପର୍କରେ ପ୍ରଶାସନ ନିକଟରେ କୌଣସି ଖବର ନଥିବାରୁ ପଦକ୍ଷେପ ନିଆଯାଇ ପାରିନି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର