ରାୟଗଡ଼ା: ପେଟକୁ ମୁଠାଏ ଦାନା ଯୋଗାଡ଼ ପାଇଁ ଭିଟାମାଟି ଛାଡ଼ିଥିଲେ। କିନ୍ତୁ ଲକଡାଉନ୍ ଯୋଗୁ ଜୀବନ, ଜୀବିକାର ଦୋ’ ଛକିରେ ଅଟକି ଗଲେ ଶ୍ରମିକ। ଯେଉଁ ଇଟାଭାଟି ବର୍ଷ ତମାମ ଆହାର ଯୋଗାଉଥିଲା, ସେହି ଇଟାଭାଟିରୁ ଭିଟାମାଟି ମୁହାଁ ହୋଇଛନ୍ତି ଶ୍ରମିକ। ମୁଣ୍ଡରେ ବୋଝ, କାନ୍ଧରେ ଛୁଆଙ୍କ ଧରି ରେଳ ଧାରଣାରେ ଚାଲି ଚାଲି ଶ୍ରମିକଙ୍କ ଘର ବାହୁଡ଼ା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼, କଣ୍ଟାବାଜି ବ୍ଲକ୍ ଅଞ୍ଚଳର ୩୦ ଶ୍ରମିକ ୫ ମାସ ତଳେ ଆନ୍ଧ୍ରପ୍ରଦେଶର ରେବିଡ଼ି ଗ୍ରାମକୁ ଇଟାଭାଟିରେ କାମ କରିବାକୁ ଯାଇଥିଲେ। ୪ ମାସ କାମ ଠିକଠାକ୍ ଚାଲିବା ସହ ମଜୁରୀ ଟଙ୍କାରେ ଶ୍ରମିକମାନେ ହସଖୁସିରେ ଚଳୁଥିଲେ। କରୋନା ଯୋଗୁ ଲକଡାଉନ୍ ଘୋଷଣା ପରେ ଇଟାଭାଟି ବନ୍ଦ ହୋଇ ଯାଇଥିଲା। ଭାଟି ବନ୍ଦ ହେବା ପରେ ମାଲିକ ଶ୍ରମିକଙ୍କ ଚଳିବା ପାଇଁ ୧ ମାସ ପର୍ଯ୍ୟନ୍ତ ରାସନ ସାମଗ୍ରୀ ଯୋଗାଇଥିଲେ।
ଲକଡାଉନ୍ ଅବଧି ବଢ଼ିବା ପରେ ମାଲିକ କ୍ଷତିଗ୍ରସ୍ତ ହେବା କାରଣରୁ ଶ୍ରମିକଙ୍କୁ ନିଜ ବ୍ୟବସ୍ଥାରେ ଘରକୁ ଚାଲିଯିବା ପାଇଁ କହିଥିଲେ। ଫଳରେ ଶ୍ରମିକମାନେ ନିରୁପାୟ ହୋଇ ଗତ ସୋମବାରରୁ ନିଜ ଘର ଅଭିମୁଖେ ବାହାରିଥିଲେ। ରାସ୍ତାରେ ଚାଲିଲେ ଆନ୍ଧ୍ର ପୁଲିସ୍ ମାଡ଼ ମାରୁଥିବାରୁ ଶ୍ରମିକମାନେ ରେଳପଥରେ ଚାଲି ଚାଲି ଆସୁଥିଲେ। ବଲାଙ୍ଗୀର ବ୍ଲକ୍ ଗଙ୍ଗାସାଗର ଗ୍ରାମର ଶ୍ରମିକ ନାରାୟଣ ଗଡ଼ତିଆ, ଅଇଁଠାପାଲିର ସୁକାନ୍ତି ମାଝି, ଟିକମଣି ମାଝିଙ୍କ କହିବାନୁଯାୟୀ, ନୂଆଖାଇ ଭେଟଘାଟ ପରେ ସବୁ ଶ୍ରମିକ ଇଟାଭାଟିରେ ଦାଦନ ଖଟିବା ପାଇଁ ରେବିଡ଼ି ଗାଁକୁ ଯାଇଥିଲୁ।
କାମ ଠିକଠାକ୍ ଚାଲିଥିବା ବେଳେ ମଜୁରୀ ମଧ୍ୟ ଠିକ୍ ସମୟରେ ମିଳୁଥିଲା। ହେଲେ ଲକଡାଉନ୍ ସବୁ କିଛି ଉଜାଡ଼ି ଦେଲା। କରୋନା ଯୋଗୁ ସରକାର ଲକଡାଉନ୍ ଘୋଷଣା କରିବା ସହ ସମସ୍ତ କାମ ବନ୍ଦ ରଖିବାକୁ ନିର୍ଦେଶ ଦେବା ପରେ ଇଟାଭାଟି ବନ୍ଦ ହୋଇଗଲା। ଲକଡାଉନ୍ ଅବଧି ବଢ଼ିବାରେ ଲାଗିଥିବାରୁ ୧ ମାସର ମଜୁରି ଟଙ୍କା ମଧ୍ୟ ମାଲିକ ଦେବାରେ ସକ୍ଷମ ହୋଇପାରିନି। ପୂର୍ବରୁ ମଜୁରି ବାବଦକୁ ଯାହା ଟଙ୍କା ଥିଲା ତାହା ମଧ୍ୟ ସରି ଯାଇଥିବାରୁ ଗାଁରେ କେମିତି ପରିବାର ଚଳିବ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଶ୍ରମିକ। ଆଶା, ଆଶଙ୍କା ଭିତରେ ଶ୍ରମିକମାନେ ଆନ୍ଧ୍ରରୁ ବାହାରି ୭ ଦିନ ଚାଲିବା ପରେ ଆଜି ରାୟଗଡ଼ାରେ ପହଞ୍ଚିଛନ୍ତି।
ରାସ୍ତା ତମାମ କେଉଁଠି ଖାଇବାକୁ ନ ମିଳିବାରୁ ପାଣି, ବିସ୍କୁଟ୍ ଖାଇ ଶ୍ରମିକମାନେ ଦୟନୀୟ ଅବସ୍ଥାରେ ଆସିଛନ୍ତି। ଶ୍ରମିକଙ୍କ ସହିତ ୯ ଜଣ ଛୋଟ ଛୁଆ ଥିବାରୁ ଛୁଆଙ୍କୁ କାନ୍ଧରେ ବୋହି ରେଳ ଧାରଣାରେ ଚାଲିବା ଅତ୍ୟନ୍ତ କଷ୍ଟକର ବୋଲି ଶ୍ରମିକମାନେ କହିଛନ୍ତି। ଆଜି ପୂର୍ବାହଣ୍ ୧୦ଟାରେ ଶ୍ରମିକମାନେ ରାୟଗଡ଼ା ମା’ ମଝିଘରିଆଣି ମନ୍ଦିର ନିକଟସ୍ଥ ରେଳପଥରେ ଚାଲି ଚାଲି ଯାଉଥିବା ଦେଖି ପୁଲିସ୍, ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଶ୍ରମିକଙ୍କୁ ଅଟକାଇ କୋଭିଡ଼୍ ଅଭ୍ୟର୍ଥନା କେନ୍ଦ୍ରକୁ ଆଣିଥିଲେ। ଅଭ୍ୟର୍ଥନା କେନ୍ଦ୍ରରେ ସମସ୍ତ ଶ୍ରମିକଙ୍କ ଥର୍ମାଲ୍ ସ୍କ୍ରିନିଂ ସହ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯିବା ପରେ ମଧ୍ୟାହଣ୍ ଭୋଜନ ପ୍ରଦାନ କରାଯାଇଥିଲା। ଶ୍ରମିକଙ୍କ ଅନୁରୋଧକ୍ରମେ ସ୍ବତନ୍ତ୍ର ଗାଡ଼ିରେ ବଲାଙ୍ଗୀରରେ ଛାଡ଼ିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଥିବା ଜଣା ପଡ଼ିଛି।