୨୫ ଶିଳ୍ପ ସମୃଦ୍ଧ ଜିଲ୍ଲାରେ ଅବସ୍ଥାପିତ ହେବେ ୨ ଜିଲ୍ଲା ଶ୍ରମ ଅଧିକାରୀ

ଭୁବନେଶ୍ୱର : ରାଜ୍ୟର ୨କୋଟି ଶ୍ରମିଜୀବୀ ଓ ସେମାନଙ୍କ ପରିବାରକୁ ନଜରରେ ରଖି ଓଡ଼ିଶା ଶ୍ରମ ସେବା କ୍ୟାଡରର ପୁନର୍ଗଠନ, ସଶକ୍ତୀକରଣ ଓ ବେତନ ସଂଶୋଧନ କରାଯାଇଛି। ଏହି ଭିତ୍ତିରେ ପ୍ରତ୍ୟେକ ଶ୍ରମ ଜିଲ୍ଲା ବିଶେଷକରି ୨୫ଟି ଶିଳ୍ପ ସମୃଦ୍ଧ ଜିଲ୍ଲାରେ ଦୁଇଜଣ ଲେଖାଏଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଅବସ୍ଥାପିତ କରାଯିବ। ସେମାନଙ୍କ ମଧ୍ୟରୁ ଜଣେ ଶ୍ରମ ଆଇନର କଡ଼ାକଡ଼ି ତଦାରଖ କରିବା ସହିତ ଅନ୍ୟ ଜଣେ ବିଭିନ୍ନ କଲ୍ୟାଣମୂଳକ ଯୋଜନାକୁ କାର୍ଯ୍ୟକାରୀ କରିବେ। ଏହି କ୍ରମରେ ରାଜ୍ୟରେ ସମୁଦାୟ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି।

ଓଡ଼ିଶା ପ୍ରଶାସନିକ ସେବା ସଂଘର ସଭାପତି କିଶଳୟ ଶତପଥୀ ଓ ସଂପାଦକ ଅଜୟ ପଟ୍ଟନାୟକ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ, ଓଡ଼ିଶା ଶ୍ରମ ବେସା କ୍ୟାଡରର ପୁନର୍ଗଠନ ଫଳରେ ସମୁଦାୟ ଅଧିକାରୀଙ୍କ ସଂଖ୍ୟା ୫୩୯କୁ ବୃଦ୍ଧି ପାଇଛି। ବ୍ଲକ୍‌ ତଥା ପୌରାମଞ୍ଚଳରେ ସହକାରୀ ଶ୍ରମ ଅଧିକାରୀ ପଦବକୁ ଓଡ଼ିଶା ଶ୍ରମ ସେବାର ମୂଳ ପଦବି ହିସାବରେ ଗ୍ରହଣ କରାଯାଇ ମଞ୍ଜୁରିପ୍ରାପ୍ତ ପଦବିକୁ ୪୧୯କୁ ବୃଦ୍ଧି କରାଯାଇଛି। ସେହିପରି ଶ୍ରମ କମିସନର ଓ ଉପ ଶ୍ରମ କମିସନର ପଦବକୁ ଏକତ୍ରୀକରଣ କରାଯାଇ ଡିଭିଜିନାଲ ଶ୍ରମ କମିସନର ଭାବେ ନାମିତ କରାଯାଇଛି। ଏହି ପଦବିର ମୋଟ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି। ଏହାସହ ଓଡ଼ିଶା ଶ୍ରମ ସେବା କ୍ୟାଡରରେ ଥିବା ଯୁଗ୍ମ ଶ୍ରମ କମିସନର-୧ ଓ ଯୁଗ୍ମ ଶ୍ରମ କମିସନର-୨ ପଦବିକୁ ଏକାଠି କରି ଯୁଗ୍ମ ଶ୍ରମ କମିସନର ଭାବେ ନାମିତ କରାଯାଇଛି। ଏହାଛଡ଼ା ନୂତନଭାବେ ୮ଟି ଯୁଗ୍ମ ଶ୍ରମ କମିସନର ପଦବି ଓ ୨ଟି ଅତିରିକ୍ତ ଶ୍ରମ କମିସନର ପଦବି ସୃଷ୍ଟି କରାଯାଇଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର