ଦାନଗଦୀ/ଯଖପୁରା : ସମଗ୍ର ଦେଶ ଏବେ ଲକ୍ଡାଉନରେ। ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ ସଟ୍ଡାଉନ୍ ଯୋଗୁଁ କଳିଙ୍ଗନରରୁ ଆତ୍ମହତ୍ୟା କରିଥିବା ଜଣେ ଶ୍ରମିକଙ୍କ ଶବ ତାଙ୍କ ଘରକୁ ଯାଇପାରିଲା ନାହିଁ। କମ୍ପାନି କର୍ତ୍ତୃପକ୍ଷ ପରିବାରର ଅନୁମତି ନେଇ ପୁଲିସ ଉପସ୍ଥିତିରେ ଏକ ଖୋଲା ସ୍ଥାନରେ ଶବ ସତ୍କାର କଲେ।
କଳିଙ୍ଗନଗର ସ୍ଥିତ ରୋହିତ ଫେରୋଟେକରେ କାର୍ଯ୍ୟରତ ଠିକା ଶ୍ରମିକ ସୁନୀଲ କର୍ମକାର(୫୫) ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ। ସୁନୀଲଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟ ବାଙ୍ଗୁଡ଼ା ଜିଲ୍ଲାର ବିଷ୍ଣୁପୁରରେ। ସେ କଳିଙ୍ଗନଗରରେ ଥିବା ରୋହିତ ଫେରୋଟେକ୍ କମ୍ପାନି ଅଧୀନ ଏକ ଠିକା ସଂସ୍ଥାରେ ଫିଟର ଇନ୍ ବ୍ରିକେଟ ପ୍ଲାଣ୍ଟ ସାଇଟ୍ରେ କାମ କରୁଥିଲେ। ଲକ୍ଡାଉନ୍ ଯୋଗୁଁ କାରଖାନା ବନ୍ଦ ଥିବାବେଳେ ସୁନୀଲ ଘରକୁ ଯାଇ ନ ପାରି ଅନ୍ୟ ସାଥୀ ଶ୍ରମିକଙ୍କ ସହ ଅଟକି ରହିଥିଲେ। ଆଜି ସକାଳୁ ତାଙ୍କର ସାଥୀ ଶ୍ରମିକମାନେ ସୁନୀଲଙ୍କୁ ଡାକିଥିଲେ। ମାତ୍ର ସେ ଉଠି ନଥିଲେ କି କବାଟ ଖୋଲି ନଥିଲେ। ସେମାନେ ଝରକା ବାଟେ ଦେଖିବା ବେଳକୁ ସୁନୀଲଙ୍କ ଶବ ପଙ୍ଖାରେ ଝୁଲୁଥିଲା। ଆତ୍ମହତ୍ୟା କରିଥିବା ଜାଣିବା ପରେ କମ୍ପାନି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କମ୍ପାନି କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ ଯଖପୁରା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା, ଏସ୍ ଆଇ ବାସୁଦେବ ପରିଡା ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଦାନଗଦୀ ଅତିରିକ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତଙ୍କ ଉପସ୍ଥିତିରେ ଘରର କାନ୍ଥ ଭାଙ୍ଗାଯାଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଲକ୍ଡାଉନ୍ କାରଣରୁ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇ ପାରି ନଥିଲା। ପରିବାର ସଦସ୍ୟ, ତାଙ୍କ ପଞ୍ଚାୟତର ସରପଞ୍ଚଙ୍କ ଉପସ୍ଥିତିରେ ସେଠାକାର ଥାନା ଅଧିକାରୀ ଯଖପୁରା ଥାନା ଅଧିକାରୀଙ୍କ ସହ କଥା ହୋଇଥିଲେ। ଶବ ସତ୍କାର କରିବା ପାଇଁ କାରଖାନାକୁ ଅନୁମତି ପ୍ରଦାନ କରିବା ପାଇଁ ନିବେଦନ କରିଥିଲେ। ତଦନୁଯାୟୀ କମ୍ପାନି କର୍ତ୍ତୃପକ୍ଷ ସୁନୀଲଙ୍କ ଶବକୁ ସେମାନଙ୍କ ରୀତିନୀତି ଅନୁଯାୟୀ ସଂସ୍କାର କରିଛନ୍ତି। ଯଖପୁରା ପୁଲିସ ଥାନାରେ ୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।ସୂଚନା ଥାଉକି ରୋହିତ ଫେରୋଟେକ ଗତମାସ ୨୨ ତାରିଖରୁ ବନ୍ଦ ରହିଥିବା ବେଳେ କାରଖାନା ଭିତରେ ଅନ୍ୟୂନ ୧୫ଜଣ ଶ୍ରମିକ ଥିଲେ।