ରାଉରକେଲା: ବଲାଙ୍ଗୀର ଅଞ୍ଚଳକୁ କାମ କରିବାକୁ ଯାଇଥିଲେ ଝାଡ଼ଖଣ୍ଡର ଜଣେ ଶ୍ରମିକ। ତେବେ ଟ୍ରେନ୍ରେ ଘରକୁ ଫେରୁଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। କିଛି ସମୟପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ମୃତକ ହେଉଛନ୍ତି ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲା ବରକାକନା ଗାଁର ମୂଳ ବାସିନ୍ଦା ରାଜେନ୍ଦ୍ର ବେଡ଼ିଆ(୪୧)।
ରାମଗଡ଼ ଜିଲ୍ଲାର ୧୨/୧୫ ଜଣ ଶ୍ରମିକ ବଲାଙ୍ଗୀର ଅଞ୍ଚଳକୁ କାମ କରିବାକୁ ଯାଇଥିଲା। କିଛି ମାସ ଧରି ସେମାନେ ବିଭିନ୍ନ କାମରେ ଲାଗିଥିଲେ। ତେବେ କାମ ସରିବାପପେର ସେମାନେ ୧୨ ତାରିଖରେ ବାଲାଙ୍ଗୀରରୁ ଯଶୱନ୍ତପୁର-ହାଟିଆ ଏକ୍ସପ୍ରେସ୍ରେ ଘରକୁ ବାହାରିଥିଲେ। ଟ୍ରେନ୍ ରାଜଗାଙ୍ଗପୁର ପାଖାପାଖି ହେବା ପୂର୍ବରୁ ରାଜେନ୍ଦ୍ର ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ବନ୍ଧୁମାନେ କିଛି ଜାଣିବା ପୂର୍ବରୁ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇସାରିଥିଲା। ପରେ ରେଳବାଇ ପୁଲିସକୁ ଅବଗତ କରାଯିବାପରେ ରାଉରକେଲା ରେଳ ଷ୍ଟେସନରେ ମୃତଦେହ ଉଦ୍ଧାର କରାଯାଇଥିଲା। ବୁଧବାର ରାଉରକେଲା ସରକାରୀ ଡାକ୍ତରଖାନାରେ ମୃତଦେହକୁ ରଖାଯାଇଥିଲା। ଆଜି ସକାଳେ ପରିବାରବର୍ଗ ରାଉରକେଲାରେ ପହଞ୍ଚିବାପରେ ବ୍ୟବଚ୍ଛେଦ ଓ ଶବ ହସ୍ତାନ୍ତର କରାଯାଇଛି।