ପାତ୍ରପୁର: ଗଞ୍ଜାମ ଜିଲ୍ଲାରେ ଥମୁନି ଦାଦନ ଯନ୍ତ୍ରଣା। ଜିଲ୍ଲାର ପାତ୍ରପୁର ବ୍ଲକ୍ ଖାରିଆଗୁଡ଼ା ପଞ୍ଚାୟତ ଖାରିଆନାଳ ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କର୍ଣ୍ଣାଟକରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ଦେବରାଜ ଶବର(୩୫)।
ସୂଚନା ପ୍ରକାରେ ଗତ ଦୁଇ ମାସ ପୂର୍ବେ ଦେବରାଜ କର୍ଣ୍ଣାଟକର ଧରୁଆଡ଼ ଜିଲ୍ଲା ମାଣ୍ଡିଆଲା ସ୍ଥିତ ଏକ ପାଇପ ଲାଇନ କମ୍ପାନିରେ ଦାଦନ କାମରେ ଯାଇଥିଲେ। ସେଠାରେ ଜେଏସବି ନାମକ ଏକ କମ୍ପାନିରେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ। ରବିବାର କମ୍ପାନି ଗାଡ଼ିରେ ବଜାରକୁ ଯାଇ ଫେରୁଥିବା ବେଳେ ସେ ଗାଡ଼ିରୁ ଖସି ପଡ଼ିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବ ସହ ରକ୍ତ ଯୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ତେବେ ସ୍ଥାନୀୟ ଡାକ୍ତର ଦେବରାଜଙ୍କୁ ମୃତ ଘୋଷଣା କରିଥିଲେ। ସେଠାରେ ଥିବା ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପରିବାର ଲୋକେ କର୍ଣ୍ଣାଟକ ଯାଇ ପହଞ୍ଚିଥିଲେ। ମଙ୍ଗଳବାର ଶବ ବ୍ୟବଚ୍ଛେଦ ପରେ ତାଙ୍କ ଶବ ଗ୍ରାମକୁ ଅଣାଯିବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି। କମ୍ପାନି ପକ୍ଷରୁ ଶବ ଆଣିବା ଲାଗି ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଦେବରାଜ ଜଣେ ଗରିବ ଆଦିବାସୀ ପରିବାରର ହୋଇଥିବା ବେଳେ ତାଙ୍କ ଦୁଇ ପୁଅ ଓ ଦୁଇ ଝିଅ ଥିବା ଜଣାପଡ଼ିଛି। ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାପାଇଁ ଦାବି ହୋଇଛି। ଖବର ପ୍ରସାର ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।