୪ ଦିନ ହେଲା ଶ୍ରମିକ ନିଖୋଜ, ସ୍ୱାମୀଙ୍କୁ ଖୋଜି ଆଣିବାକୁ ପ୍ରଶାସନ ନିକଟରେ ସ୍ତ୍ରୀର ନିବେଦନ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଭୀମକେଲା ପଞ୍ଚାୟତ ଲାଖପଦର ଗାଁର ହିମାଂଶୁ ନାଏକ(୫୨) ଦେଢ଼ବର୍ଷ ପୂର୍ବରୁ ଲାଞ୍ଜିଗଡ଼କୁ କାମ କରିବା ପାଇଁ ଆସିଥିଲେ। ସେ ଆଜିକୁ ୪ ଦିନ ହେଲା ନିଖୋଜ ଅଛନ୍ତି। ଏନେଇ ପରିବାର ଲୋକେ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ହିମାଂଶୁଙ୍କ ସାନ ଭାଇ କାର୍ତ୍ତିକଙ୍କ କହିବା ଅନୁଯାୟୀ, ହିମାଂଶୁ ଲାଞ୍ଜିଗଡ଼ ପଞ୍ଚାୟତର ଆଶ୍ରମ ପଡ଼ାରେ କିଛି ଶ୍ରମିକଙ୍କ ସହ ଘର ଭଡ଼ା ନେଇ ରହୁଥିବା ବେଳେ ଲାଞ୍ଜିଗଡ଼ସ୍ଥିତ ଓଏସ୍‌ଏଲ୍ କମ୍ପାନିରେ ଷ୍ଟୋରକିପର କାମ କରୁଥିଲେ।

ଗତ ଜୁଲାଇ ୪ ତାରିଖ ତାଙ୍କ ଗେଟପାସ୍ ଲକ୍ ହୋଇଯାଇଥିଲା। ତେଣୁ ସେ ୫ ତାରିଖ ସକାଳ ୮ଟାରେ ଜଳଖିଆ ଖାଇ ଗେଟ୍‌ପାସ୍ ଓ ଫିଟନେସ୍ ବନାଇବା ପାଇଁ ଯାଉଛି ବୋଲି ଅନ୍ୟ ଶ୍ରମିକଙ୍କୁ କହି ଘରୁ ବାହାରିଥିଲେ। ହେଲେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆଉ ଫେରିନଥିଲେ। ଏନେଇ ସାଙ୍ଗରେ ରହୁଥିବା ଶ୍ରମିକମାନେ ଘର ଲୋକଙ୍କୁ ଜଣାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରି ନଥିବାରୁ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ ଦିଆଯାଇଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ୪ ଦିନ ହେଲା ସ୍ୱାମୀଙ୍କ ପତ୍ତା ମିଳିନଥିବାରୁ ସ୍ତ୍ରୀ ରୁକ୍ମଣୀ ଓ ୧୫ ବର୍ଷର ପୁଅ ଅଜିତ ହିମାଂଶୁଙ୍କୁ ଖୋଜି ଆଣିବା ପାଇଁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର