ରାଜ୍ୟ ବାହାରେ ଫସିଛନ୍ତି ଶତାଧିକ ଓଡ଼ିଆ

କେରଳରେ ୬୫, ଆନ୍ଧ୍ରରେ ୮୦ରୁ ଅଧିକ, ବେଙ୍ଗାଲୁରୁରେ ଅଟକିଛନ୍ତି ୫୦ ଯୁବକ, ହାଇଦ୍ରାବାଦରେ ୧୪ ଓଡ଼ିଆ

ଜଗତସିଂହପୁର : କେରଳର ତ୍ରିଶୂର ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ କ୍ୟାମ୍ପସ୍‌କୁ ପରୀକ୍ଷା ଦେବା ପାଇଁ ଯାଇଥିବା ୬୫ ଜଣ ଓଡ଼ିଆ ଛାତ୍ରଛାତ୍ରୀ ଏବେ ସେଠାରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର ଛାତ୍ରଛାତ୍ରୀ ରହିଛନ୍ତି।

କରୋନା ପାଇଁ ହଠାତ୍ ପରୀକ୍ଷା ବାତିଲ ହୋଇଯିବା ସହ ସାରା ଦେଶ ଲକ୍‌ଡାଉନ୍‌ ହେବା ପରେ ଏହି ଛାତ୍ରଛାତ୍ରୀମାନେ ବର୍ତ୍ତମାନ ସେଠାରୁ ଫେରିବା ଅସମ୍ଭବ ହୋଇପଡ଼ିଛି। ସମସ୍ତେ ଏକ ଭିଡିଓ ମାଧ୍ୟମରେ ସେମାନଙ୍କୁ ସେଠାରୁ ନେଇ ଆସିବା ପାଇଁ ନିବେଦନ କରୁଛନ୍ତି। ଏହି ଛାତ୍ରଛାତ୍ରୀଙ୍କ ପାଖରେ ଏବେ ଟଙ୍କା ଶେଷ ହେବାକୁ ବସିଛି। ଯେଉଁ କ୍ୟାମ୍ପସରେ ରହୁଛନ୍ତି, ସେଠାରେ ମଧ୍ୟ ଖାଇବା ପିଇବା ଠିକ୍ ଭାବେ ମିଳୁ ନାହିଁ। ଏହା ସେମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ସେହିପରି ଜଗତସିଂହପୁର ଜିଲ୍ଲାରୁ ୮୦ରୁ ଅଧିକ ଯୁବକ ଆନ୍ଧ୍ରର ଏକ ହୋଟେଲରେ ଚାକିରି କରୁଥିଲେ। ମାତ୍ର ଲକ୍‌ଡାଉନ୍‌ ପରେ ଏହି ହୋଟେଲ ବର୍ତ୍ତମାନ ବନ୍ଦ ହୋଇଯାଇଛି। ଏହାର ମାଲିକ ମଧ୍ୟ ଅନ୍ୟତ୍ର ଚାଲି ଯାଇଛନ୍ତି। ଏଣୁ ବର୍ତ୍ତମାନ ଏହି ଯୁବକମାନେ ରହିବା-ଖାଇବାରେ ବହୁ ସମସ୍ୟା ଭୋଗୁଛନ୍ତି। ଲକ୍‌ଡାଉନ୍‌ ଯୋଗୁଁ ଖାଉଟି ସାମଗ୍ରୀ ଦର ବଢ଼ି ଚାଲିଥିବା ବେଳେ ସେମାନଙ୍କ ନିକଟରେ ଥିବା ଟଙ୍କା ମଧ୍ୟ ଶେଷ ହେବାକୁ ବସିଲାଣି। ଏପଟେ ସେମାନେ ଘରକୁ ଆସିପାରୁ ନାହାନ୍ତି। ତେଲେଙ୍ଗାନାରେ ଏକ ହୋଟେଲରେ କାର୍ଯ୍ୟ କରୁଥିବା ୫୦ରୁ ଅଧିକ ଯୁବକ ସେଠାରେ ଫସି ରହିଛନ୍ତି।

ସେମାନଙ୍କ କହିବା ଅନୁଯାୟୀ, ଗତ ୧୫ ତାରିଖରୁ ହୋଟେଲ ବନ୍ଦ ରହିଛି। ସେମାନେ ଘରକୁ ଆସିବା ପାଇଁ କରିଥିବା ଟ୍ରେନ୍ ଟିକଟ୍ ମଧ୍ୟ ବାତିଲ ହୋଇଯାଇଛି। ଏପଟେ ଲକ୍‌ଡାଉନ୍‌ ଯୋଗୁଁ ପୁଲିସ କଡ଼ା ପହରା ଦେଉଛି। ବାହାରକୁ ବାହାରିବା ମଧ୍ୟ ମୁସ୍କିଲ ହେଉଛି। ଏଣୁ ଘରକୁ ଫେରିବା ନିମନ୍ତେ ସେମାନେ ଉଭୟ ତେଲେଙ୍ଗାନା ଓ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି। କରୋନା ଭୟରେ ଏବେ ସାରା ଦେଶରେ ଲକ୍‌ଡାଉନ୍‌ କରାଯାଇଛି। ଫଳରେ ଯିଏ ଯେଉଁଠି ଅଛନ୍ତି ସେହିଠାରେ ଅଟକି ରହିଛନ୍ତି। ସେମାନଙ୍କର ଘରକୁ ଆସିବା ମୁସ୍କିଲ ହୋଇପଡ଼ିଛି। ଗତକାଲି ଏରସମା ଓ ବାଲିକୁଦାର ଶତାଧିକ ଯୁବକ ମହାରାଷ୍ଟ୍ରର ପୁନେରେ ଫସିଥିବା ସଂକ୍ରାନ୍ତରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଆଜି ସେମାନଙ୍କୁ ପୁନେରେ ରହୁଥିବା ବାଲେଶ୍ବର ସୋରୋର ଜଣେ ସଫ୍‌ଟୱେୟାର୍‌ ଇଂଜିନିୟରଙ୍କ ନେତୃତ୍ବରେ କେତେଜଣ ଯୁବକ ସହାୟତା ପାଇଁ ଆଗକୁ ଆସିଥିବା ଜଣାପଡ଼ିଛି। ଆଜି ଏଭଳି ଅନେକ ଫୋନ୍ ବାହାର ରାଜ୍ୟରେ ଫସିଥିବା ଲୋକଙ୍କ ଠାରୁ ଆସୁଥିବା ବେଳେ ସମସ୍ତେ ତୁରନ୍ତ ସେଠାରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରୁଛନ୍ତି।

ବେଙ୍ଗାଲୁରୁରେ ଅଟକିଛନ୍ତି ୫୦ ଯୁବକ
ରାଜନଗର : କେନ୍ଦ୍ରାପଡ଼ା ରାଜନଗରର ୫୦ ଯୁବକ ବେଙ୍ଗାଲୁରୁରେ ଅଟକିଛନ୍ତି। ଆଜି ରାଜ୍ୟ ସରକାର ବାହାରେ ରହିଥିବା ଓଡ଼ିଆମାନଙ୍କୁ ସହାୟତା କରିବା ପାଇଁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହାପୂର୍ବରୁ ଏହି ଯୁବକମାନେ ଏକ ଭିଡିଓ ପଠାଇ ସେମାନଙ୍କୁ ଫେରାଇ ନେବାକୁ ଅନୁରୋଧ କରିଛନ୍ତି।

ଏହି ଯୁବକମାନଙ୍କ ମଧ୍ୟରୁ ୨୫ ଜଣଙ୍କ ଘର କେନ୍ଦ୍ରାପଡ଼ାର ରାଜନଗର ଅଂଚଳ। ଅନ୍ୟ ୨୫ ଜଣଙ୍କ ଘର ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟ ଅଞ୍ଚଳ। ବେଙ୍ଗାଲୁରୁରେ ସେମାନେ ପାଣିପାଇପ କାମ କରି ରୋଜଗାର କରୁଥିଲେ। ଲକଡାଉନ ପରେ କମ୍ପାନି ବନ୍ଦ ହୋଇଯାଇଥିବାରୁ ସେମାନେ ସେଠାରେ ଏକପ୍ରକାର ଫସି ରହିଛନ୍ତି। ସେମାନଙ୍କୁ ଗାଁକୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ଭିଡିଓ ବାର୍ତାରେ ଆକୁଳ ନିବେଦନ କରିଛନ୍ତି।

ହାଇଦ୍ରାବାଦରେ ୧୪ ଓଡ଼ିଆ
କାଲିମେଳା : ପ୍ରଧାନମନ୍ତ୍ରୀ ୨୧ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ଯିଏ ଯେଉଁଠି ଥିଲା ଅଟକି ଯାଇଛି। ଘୁଞ୍ଚିବା ପାଇଁ ସବୁ ରାସ୍ତା ବନ୍ଦ ହୋଇ ଯାଇଥିବା ବେଳେ ବହୁ ଲୋକ ଅଖିଆଅପିଆ ରହିଛନ୍ତି। ଏପରିକି ମୁଣ୍ଡ ଗୁଞ୍ଜିବାକୁ ଛାତ ମଧ୍ୟ ମିଳୁନାହିଁ। ରାସ୍ତା କଡ଼ରେ କିମ୍ବା କାହା ବାରଣ୍ଡାରେ ଦିନ କାଟିବାକୁ ବାଧ୍ୟ ହୋଇଛନ୍ତି ବହୁ ଲୋକ। ଏମିତି ସମୟରେ ହାଇଦ୍ରାବାଦରେ ଫସି ରହିଥିବା ୧୪ ଓଡ଼ିଆଙ୍କ ଦୁର୍ଦଶା ସାମ୍ନାକୁ ଆସିଛି। ଦୋକାନ ବଜାର ବନ୍ଦ ରହିଥିବାରୁ ଭୋକ ଉପାସରେ ୧୪ ଓଡ଼ିଆ ଯୁବକ ଦିନ କାଟୁଥିବା ଜଣାପଡ଼ିଛି। ତୁରନ୍ତ ସେମାନଙ୍କୁ ଓଡ଼ିଶା ସରକାର ଏଠାରୁ ଫେରାଇ ନେବାକୁ ନିବେଦନ କରିଛନ୍ତି।

ହାଇଦ୍ରାବାଦ ସ୍ଥିତ ଗୋଟିଏ ଘରୋଇ କଂପାନିରେ ଓଡ଼ିଶାର ଯାଜପୁର, ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାର ୧୪ଜଣ ଯୁବକ କାମ କରୁଥିଲେ। ୬ମାସ ତଳେ ଏମାନେ ସମସ୍ତେ ହାଇଦ୍ରାବାଦ ଯାଇଥିଲେ। ତେବେ ୨୪ ତାରିଖ ମଧ୍ୟରାତ୍ରିରୁ ସମଗ୍ର ଭାରତ ବର୍ଷରେ ଲକ୍‌ଡାଉନ୍‌ ଘୋଷଣା ହେବାପରେ ଉକ୍ତ କଂପାନି ମଧ୍ୟ ବନ୍ଦ ହୋଇଯାଇଥିଲା। ତେଣୁ କଂପାନିର ମାଲିକ ସମସ୍ତ ଶ୍ରମିକଙ୍କୁ ନିଜ ନିଜ ଘରକୁ ଚାଲି ଯିବାକୁ କହିଥିଲେ। ତେବେ ଗାଡ଼ି ଚଳାଚଳ ବନ୍ଦ ରହିଥିବାରୁ ଓଡ଼ିଶା ୧୪ଜଣ ଯୁବକ ସେଠାରେ ଫସି ରହିଛନ୍ତି। ସେମାନେ ୨ଦିନ ହେଲା ସିକନ୍ଦରାବାଦ ନିକଟସ୍ଥ ବାଲାନଗରରେ ରହିଛନ୍ତି। ଖାଇବାକୁ ନିଜ ପାଖରେ ଯାହା ଥିଲା ତାହା ଏବେ ଶେଷ ହୋଇଗଲାଣି। କଂପାନି ମଧ୍ୟ ସେମାନଙ୍କୁ ପ୍ରାପ୍ୟ ଦେଇନଥିବା ସେମାନେ ଅଭିଯୋଗ କରିଛନ୍ତି। ଦୁଇଦିନ ହେଲା ସେମାନେ କେବଳ ବିସ୍କୁଟ ଖାଇ ବଞ୍ଚିଛନ୍ତି। ଅନ୍ୟପକ୍ଷରେ ବାହାରକୁ ବାହାରିଲେ ପୁଲିସ ମଧ୍ୟ ମାଡ଼ ମାରୁଥିବା ସେମାନେ ଅଭିଯୋଗ କରିଛନ୍ତି। ତେଣୁ ସେମାନେ ଏବେ କଣ କରିବେ ବୋଲି ଚିନ୍ତାରେ ପଡ଼ିଯାଇଛନ୍ତି। ସେମାନଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରିବାକୁ ଓଡ଼ିଶା ନେଇ ଯିବାକୁ ଯୁବକମାନେ ଭିଡିଓ ଜାରି କରି ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର