ଭୁବନେଶ୍ବର : ଆସନ୍ତା ୩୧ତାରିଖ ଯାଏ ରାଜ୍ୟ ଭିତରୁ ଓ ବାହାରୁ ଶ୍ରମିକ ଆଣିବାକୁ ସଂସ୍ଥାମାନଙ୍କୁ ବାରଣ କରିଛି ବିଏମ୍‌ସି। ଯଦି କୌଣସି ସଂସ୍ଥା ଶ୍ରମିକମାନଙ୍କୁ ଆଣିବାକୁ ଚାହୁଁଛନ୍ତି, ସେମାନେ ହଟ୍‌ସ୍ପଟ୍‌ ଜିଲ୍ଲାରୁ ଶ୍ରମିକମାନଙ୍କୁ ଆଣନ୍ତୁ ନାହିଁ। ଯେଉଁ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ରାଜ୍ୟ ବାହାରୁ ଶ୍ରମିକ ଆଣିବେ, ସେମାନଙ୍କୁ ନିଶ୍ଚିତ ଭାବେ ୧୪ଦିନ ସଙ୍ଗରୋଧରେ ରଖିବେ। ସେମାନଙ୍କର କୌଣସି ଲକ୍ଷଣ ଦେଖାଦେଲେ, ନିଜ ଖର୍ଚରେ କୋଭିଡ୍ ପରୀକ୍ଷା କରାଇବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Advertisment

ଆଜି ସାମ୍ବାଦିକ ସମ୍ମିଳନୀରେ ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ କହିଲେ, ରାଜଧାନୀର ଏକ ସଂସ୍ଥା ବାହାର ରାଜ୍ୟରୁ ଶ୍ରମିକ ଆଣିଥିଲେ। ସେମାନଙ୍କୁ ସଙ୍ଗରୋଧ ରଖିଥିଲେ ହେଁ କୋଭିଡ୍‌ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ୩୪ଜଣ ଶ୍ରମିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଯଦିଓ ସେମାନେ ସଙ୍ଗରୋଧରେ ରହିଥିଲେ, ମାତ୍ର ବାହାରେ ସଂକ୍ରମଣକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ଏହାକୁ ନଜରରେ ରଖି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ବାହାର ରାଜ୍ୟର ଶ୍ରମିକଙ୍କୁ ବାରଣ କରାଯାଇଛି।
ଲୋକଙ୍କ ସୁରକ୍ଷା ଓ କରୋନା ସଂକ୍ରମଣକୁ ରୋକିବା ପାଇଁ ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ଯ୍ୟ, ହୋଟେଲ ଓ ହସ୍ପିଟାଲିଟି, ଠିକାଦାର (ଉଭୟ ସରକାରୀ ଓ ଘରୋଇ) ଆଦିମାନଙ୍କୁ ରାଜ୍ୟ ବାହାରୁ ଶ୍ରମିକମାନଙ୍କୁ ଜୁଲାଇ ୩୧ତାରିଖ ବିଏମସି ଅଞ୍ଚଳକୁ ନ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ବ୍ୟାବସାୟିକ ପ୍ରତିଷ୍ଠାନ ଏହି ଅବଧି ମଧ୍ୟରେ ରାଜ୍ୟ ବାହାରୁ ଶ୍ରମିକମାନଙ୍କୁ ଆଣିଥା’ନ୍ତି, ତା’ହେଲେ ସେମାନେ ଆସିବାର ୧୪ ଦିନ ପର୍ଯ୍ୟନ୍ତ କ୍ୱାରାଣ୍ଟିନ୍‌ରେ ଯେଭଳି ରହିବେ, ତାହା ସୁନିଶ୍ଚିତ କରାଇବେ। ରାଜ୍ୟର ହଟ୍‌ସ୍ପଟ୍‌ ଜିଲ୍ଲା ପାଲଟିଥିବା ଗଞ୍ଜାମ, ଗଜପତି, ବାଲେଶ୍ୱର, କଟକ ଓ ଯାଜପୁରରୁ ରାଜଧାନୀକୁ ଶ୍ରମିକମାନଙ୍କୁ ଆଣିବାକୁ ମଧ୍ୟ ବିଏମସି କମିସନର ବାରଣ କରିଛନ୍ତି। ଅଣ ହଟ୍‌ସ୍ପଟ୍‌ ଜିଲ୍ଲାଗୁଡ଼ିକରୁ ମଧ୍ୟ ଶ୍ରମିକମାନଙ୍କୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ନ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି। ଯଦି କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଏହି ନିର୍ଦେଶକୁ ଅଣଦେଖା କରନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଚୌଧରୀ ସର୍କ କରାଇ ଦେଇଛନ୍ତି।