୩୦୦ କିଲୋମିଟର ଚାଲିଚାଲି ଘରକୁ ଫେରୁଛନ୍ତି ୪୫ ଶ୍ରମିକ : ଏନ୍‌ଟିପିସି ମେଡିକାଲ କଲେଜ ନିର୍ମାଣ କାମରେ ଲାଗିଥିଲେ, ଲକ୍‌ଡାଉନ୍ ପରେ ଠକି ଦେଇ ଠିକାଦାର ଛୁ

ରାଉରକେଲା : ପେଟପାଟଣା ପାଇଁ ଝାଡ଼ଖଣ୍ଡ ଚକ୍ରଧରପୁରରୁ ଆସିଥିଲେ ୪୫ ଜଣ ଶ୍ରମିକ। କଟକର ଜଣେ ଠିକାଦାରଙ୍କ ଅଧୀନରେ ସୁନ୍ଦରଗଡ଼ଠାରେ ଏନ୍‌ଟିପିସି ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସବୁ କିଛି ଠିକ୍‌ଠାକ୍‌ ଚାଲିଥିଲା। ତେବେ କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍ ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବାରୁ ସଂପୃକ୍ତ ଠିକାଦାର ସେଠାରୁ ଛୁ ମାରିଥିଲା। ଶ୍ରମିକଙ୍କ ପାଖରେ ଖାଇବାକୁ ନ ଥିବାବେଳେ ପଇସା ବି ନ ଥିଲା। ଏଣୁ ଭାଗ୍ୟକୁ ଆଦରି ସେମାନେ ପ୍ରାୟ ୩ଶହ କିଲୋମିଟର ଦୂର ନିଜ ଘରକୁ ଚାଲିଚାଲି ଯିବାକୁ ବାହାରିଛନ୍ତି। ଗତକାଲିଠାରୁ ଏହି ଶ୍ରମିକମାନେ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ଘର ଅଭିମୁଖେ ବାହାରିଥିବାବେଳେ ଆଜି ସକାଳେ ରାଉରକେଲାରେ ପହଞ୍ଚିବା ପରେ ସେମାନଙ୍କ କରୁଣ କାହାଣୀ ବିଷୟରେ କହିଛନ୍ତି।

ଆଜି ପୂର୍ବାହ୍ନରେ ରାଉରକେଲାରେ ପହଞ୍ଚିଥିବା ୪ ଶ୍ରମିକମାନେ ହେଉଛନ୍ତି, ଚକ୍ରଧରପୁର ଅଞ୍ଚଳର କୁଦୁଟୋଲାର ଘନଶ୍ୟାମ ଜାନକୋ, ହିଞ୍ଜିୟାର ଯୋକତା ଚାକି, କାର୍ତ୍ତିକ ବୋଇପାଇ ଓ ସମେପିର ଘନଶ୍ୟାମ ମୁଣ୍ଡା। ଗତ ଜାନୁଆରି ମାସରେ ଚକ୍ରଧରପୁର ପାଖାପାଖି ଅଞ୍ଚଳର ପ୍ରାୟ ୪୫ ଜଣ ଶ୍ରମିକ ସୁନ୍ଦରଗଡ଼ରେ ପହଞ୍ଚିଥିଲେ। କଟକର ଜଣେ ଠିକାଦାର ସେମାନଙ୍କୁ ନିର୍ମାଣାଧୀନ ଏନ୍‌ଟିପିସି ମେଡିକାଲ କଲେଜ ଆଣ୍ଡ୍‌ ହସ୍‌ପିଟାଲ ନିର୍ମାଣ କାମରେ ନିୟୋଜିତ କରିଥିଲେ। ସେବେଠାରୁ ସେମାନେ ମିସ୍ତ୍ରୀ ଓ କୁଲି କାମ କରି କ୍ୟାମ୍ପ୍‌ରେ ରହୁଥିଲେ। ଗତ ମଙ୍ଗଲବାର ଦିନ ପ୍ରଧାନମନ୍ତ୍ରୀ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ସଂପୃକ୍ତ ଠିକାଦାର ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଏମିତିକି କିଛି ଦିନ ପାଇଁ କ୍ୟାମ୍ପ୍‌ରେ ରହିବାକୁ ପରାମର୍ଶ ଦେଇଥିଲେ। ଠିକାଦାର କଥାରେ ଭରସା କରି ସେମାନେ କ୍ୟାମ୍ପ୍‌ରେ ହିଁ ରହିଯାଇଥିଲେ। ତେବେ ବୁଧବାର ଭୋର୍‌ରୁ ଠିକାଦାର ଜଣକ ଲୁଚି ଫେରାର ହୋଇଯାଇଥିଲା। ଶ୍ରମିକମାନେ ଖୋଜାଖୋଜି କରିବା ପରେ ମଧ୍ୟ ତାର କୌଣସି ପତ୍ତା ପାଇନଥିଲେ। ଏମିତିକି ଶ୍ରମିକମାନଙ୍କୁ କୁଆଡ଼େ ତାଙ୍କର ମଜୁରୀ ବି ଦିଆଯାଇନଥିଲା। ଗୋଟିଏ ପଟେ ଅର୍ଥାଭାବ, ଖାଦ୍ୟାଭାବ ଓ ଅନ୍ୟପଟେ ଯାତାୟତ ବନ୍ଦ ସେମାନଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଥିଲା। ଘରକୁ ଫେରିବାକୁ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ସବୁ ବିଫଳ ହୋଇଥିଲା। ଫଳରେ ‌ସମସ୍ତେ ଚାଲିଚାଲି ଘରକୁ ଯିବାକୁ ନିଷ୍ପତ୍ତି ନେଇଥିଲେ। ଗତ ବୁଧବାର ସକାଳ ୯ଟାରୁ ସେମାନେ ଚାଲି ଚାଲି ଘର ଅଭିମୁଖେ ବାହାରିଛନ୍ତି। କୌଣସି ଦୋକାନବଜାର ନ ଥିବାରୁ ସେମାନେ ଖାଲି ପେଟରେ ଚାଲିଚାଲି ଯାଉଥିଲେ। ଏ ଚାରିଜଣ ଗତକାଲି ରାତିରେ ବିଜୁ ଏକ୍ସପ୍ରେସ୍‌ ୱେରେ ଥିବା ଏକ ବସ୍‌ଷ୍ଟପ୍‌ରେ ରାତ୍ରୀଯାପନ କରିଥିଲେ। କଟକଣା ସମୟରେ ଦଳହୋଇ ଗଲେ ପୁଲିସ ଅଟକାଇବା ଭୟରେ ସେମାନେ ପୃଥକ୍‌ ପୃଥକ୍‌ ଦଳରେ ବିଭକ୍ତ ହୋଇ ଅଲଗା ଅଲଗା ରାସ୍ତା ଦେଇ ଚାଲିଚାଲି ଯାଉଛନ୍ତି। ଅବଶ୍ୟ ରାଉରକେଲାରେ ପହଞ୍ଚିବାପରେ କିଛି ଲୋକ ସହଯୋଗର ହାତ ବଢ଼ାଇଥିଲେ। ଘରୁ ଆଣି କିଛି ଖାଦ୍ୟ, ଓ ଟଙ୍କା ଦେଇଥିଲେ। ଏହାସହ ଏକ ଅଟୋ ଭଡ଼ା କରି ବିଶ୍ରା ଯାଏଁ ପହଞ୍ଚାଇ ଦେଇଥିଲେ। ତେବେ ତାଙ୍କ ଆଗରେ ଅଛି ଆହୁରି ୨୦୦ କିଲୋମିଟରର ଲମ୍ବା ରାସ୍ତା।

ସମ୍ବନ୍ଧିତ ଖବର