ରାଜଧାନୀରେ ଶ୍ରମିକ ସମାବେଶ ୧୯ରେ

ରାଉରକେଲା : ଶ୍ରମିକଙ୍କୁ ମାସକୁ ସର୍ବନିମ୍ନ ମଜୁରି ୨୧ ହଜାର ଟଙ୍କା, ଠିକା ଶ୍ରମିକ, ଆଉଟସୋର୍ସିଂ ଓ ଡାଟାଏଣ୍ଟ୍ରି ଅପରେଟରମାନଙ୍କୁ ସ୍ଥାୟୀ କାମରେ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ମଜୁରି, ଅଙ୍ଗନବାଡ଼ି ଭଳି ସ୍କିମ୍‌ ଶ୍ରମିକମାନଙ୍କୁ ଶ୍ରମିକ ମର୍ଯ୍ୟାଦା, ଏନ୍‌ପିଆର, ଏନ୍ଆର୍‌ସି ଓ ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ ମାର୍ଚ୍ଚ ୯ ତାରିଖରେ ଭାରତର ଟ୍ରେଡ ୟୁନିଅନ କେନ୍ଦ୍ର (ସିଆଇଟିୟୁ) ପକ୍ଷରୁ ଭୁବନେଶ୍ବରରେ ଏକ ଶ୍ରମିକ ସମାବେଶ ଅନୁଷ୍ଠିତ ହେବ। ଆଜି ରାଉରକେଲାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସିଟୁ ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତି କହିଛନ୍ତି ଯେ ରାଜ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାମ କରୁଥିବା ଶ୍ରମିକମାନଙ୍କୁ ମାସରେ ୨୬ ଦିନ କାମ ମିଳୁନାହିଁ। ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ ଅଧା ମଜୁରି ଦେଉଛନ୍ତି ଏବଂ ଗତ ୯/୧୦ ମାସର ଦରମା ଓ ପିଏଫ୍‌ ଦେଇନାହାନ୍ତି। ଓୟୁଏଟି ଶ୍ରମିକମାନଙ୍କୁ ଇପିଏଫ୍‌ ସୁବିଧା ମିଳୁନାହିଁ। ପିଏଫ୍‌ କମିସନରଙ୍କ ନିର୍ଦ୍ଦେଶ ସତ୍ତ୍ବେ ଇଣ୍ଡିଆନ ଅଏଲ୍‌ କମ୍ପାନି ପରିବହନ ଶ୍ରମିକମାନଙ୍କୁ ପିଏଫ୍‌ ଦେଉନାହିଁ। ସ୍ଥାୟୀ କାମରେ ଅସ୍ଥାୟୀ ଶ୍ରମିକମାନଙ୍କୁ ନିଯୁକ୍ତି ଦିଆଯାଉଛି। ମେଡକାଲ ଓ ସେଲ୍ସ ପ୍ରମୋସନ କର୍ମଚାରୀମାନଙ୍କ ଶ୍ରମ ସମୟ ୮ ଘଣ୍ଟା ସ୍ଥିର କରିବା, ବିଦ୍ୟୁତ୍‌ କ୍ଷେତ୍ରରେ ସେସୁ, ୱେସ୍କୋ, ସାଉଥ୍‌କୋ, ନେସ୍କୋ ଘରୋଇକରଣ ବନ୍ଦ କରିବା, ଶ୍ରମିକ ବିରୋଧୀ ଶ୍ରମ ଆଇନ ସଂ‌େଶାଧନ ବନ୍ଦ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧର ମୂଲ୍ୟ ବୃଦ୍ଧି ଉପରେ ଅଙ୍କୁଶ, ସରକାରୀ ଉ‌ଦ୍ୟୋଗ ବିକ୍ରି କରିବା ନୀତିକୁ ପ୍ରତ୍ୟାହାର, ବେକାରୀ ସମସ୍ୟା ସମାଧାନ ପାଇଁ ନୂଆ ନିଯୁକ୍ତି, ଫସଲର ମୂଲ୍ୟବୃଦ୍ଧି ଓ ସ୍ବାମୀନାଥନ କମିଟି ସୁପାରିସ କାର୍ଯ୍ୟକାରୀ କରିବା ଏବଂ ଅସଂଗଠିତ ଶ୍ରମିକମାନଙ୍କୁ ପଞ୍ଜୀକୃତ କରି ସମସ୍ତ ସହାୟତା ପ୍ରଦାନ କରିବାକୁ ସିଟୁ ଦାବି କରିଛି। ଏହି ମର୍ମରେ ବିକ୍ଷୋଭ ସମାବେଶ କରାଯାଇ ମୁଖ୍ୟମନ୍ତ୍ରୀ, ଶ୍ରମମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯିବ।

ସମ୍ବନ୍ଧିତ ଖବର