ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହେବା ପରେ ସମସ୍ତେ ବହୁତ ଖୁସି ଓ ଗର୍ବ ଅନୁଭବ କଲେ। ସମସ୍ତେ ଭାବିଲେ ତାଙ୍କ ଅଂଚଳର ଝିଅ ଦେଶର ପ୍ରଥମ ନାଗରିକ ହେବା ପରେ ଅଂଚଳର ସମସ୍ତ ସମସ୍ୟାର ସମାଧାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମାଧାନ କରିବେ। କିନ୍ତୁ ଜନସାଧାରଣଙ୍କ ଅତି ଜରୁରୀ ଥିବା ସ୍ୱାସ୍ଥ ସେବା ହିଁ ଅବ୍ୟବସ୍ଥା ଘେରରେ ରହୁଥିବା ଅଭିଯୋଗ ହେଉଛି। ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ଉପଖଣ୍ଡଚିକିତ୍ସାଳୟ ହେଉଛି ମୟୂରଭଞ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ଡାକ୍ତରଖାନା। ପୂର୍ବରୁ ଉକ୍ତ ଡାକ୍ତରଖାନା ବିଭିନ୍ନ କ୍ଷେତ୍ରରେ ପୁରସ୍କୃତ ମଧ୍ୟ ହୋଇଛି।
ତେବେ ବର୍ତ୍ତମାନ ଉକ୍ତ ସ୍ୱାସ୍ଥକେନ୍ଦ୍ର ଅବ୍ୟବସ୍ଥା ଘେରରେ ଚାଲିଛି। ବର୍ତ୍ତମାନ ଡାକ୍ତରଖାନରେ ପ୍ରସୂତି ରୋଗ ବିଶେଷଜ୍ଞ ଥାଇ ମଧ୍ୟ ୭୦ ପ୍ରତିଶତ ପ୍ରସୂତି ମହିଳାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଛି। ଫଳରେ ପ୍ରସୂତି ଓ ତାଙ୍କ ପରିବାର ଅଧିକ ହୋଇରାଣ ହେବା ସହିତ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଏହା ବ୍ୟତିତ ଡ୍ୟୁଟି ସମୟରେ ମଧ୍ୟ ଡାକ୍ତରଖାନାର ଡାକ୍ତରମାନେ ନିଜ କ୍ଲିନିକ ଓ ବସାରେ ରୋଗୀମାନଙ୍କୁ ଚିକିତ୍ସା କରୁଥିବା ଅଭିଯୋଗ ହେଉଛି। କେବଳ ଡାକ୍ତରଖାନାକୁ ଭାଙ୍ଗି ବର୍ଷକୁ ଦୁଇଦୁଇ ଥର ପୁନଃ ନିର୍ମାଣ କରି ରଙ୍ଗ ମାରି ଚକାଚକ୍ କରାଯାଉଛି ହେଲେ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇ ଦିଆଯାଉ ନାହିଁ। ଅଧିକାଂଶ ରୋଗୀଙ୍କୁ ବାରିପଦାସ୍ଥ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଉଛି।
ଗତ ୪ ସେପ୍ଟେମ୍ବରରେ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ତଥା ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଣି ରାଇରଙ୍ଗପୁର ଗସ୍ତରେ ଆସି ରାଇରଙ୍ଗପୁର ମେଡିକାଲର ଆଇପିଡି ଗୃହ ଉଦଘାଟନ କରିଥିଲେ। ଉପଖଣ୍ଡବାସୀ ଖୁସିହେଲେ ଯେ ବର୍ତ୍ତମାନ ରୋଗୀଙ୍କୁ ନୂତନ ଆଇପିଡି ଗୃହରେ ଉତ୍ତମ ଚିକିତ୍ସ୍ୟା ମିଳିବ। ଆଉ ଚଟଣାରେ ଶୋଇ ଚିକିତ୍ସା ହେବାକୁ ପଡିବ ନାହିଁ। କିନ୍ତୁ ଉଦଘାଟନ ହେବାର ସପ୍ତାହେ ନହେଉଣୁ ନୂତନ ଗୃହରେ ପ୍ରାୟ ୭୦ ପ୍ରତିଶତ ରୋଗୀ ଶଯ୍ୟା ବଦଳରେ ଚଟାଣରେ ଶୋଇ ଚିକିତ୍ସା ହେଉଥିବା ଦେଖିବାକୁ ମିଳୁଛି। ଏହା ବ୍ୟତୀତ ଶୌଚାଳୟ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ପାଣି ଏବଂ ବେସିନର ପାଣି ରୋଗୀ ଶୋଉଥିବା ଚଟାଣର ପାଣି ଜମି ରହୁଥିବାର ଦେଖିବାକୁ ମିଳୁଛି। ଫଳରେ ରୋଗୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।