ବୁର୍ଲା: ପଶ୍ଚିମ ଓଡ଼ିଶାର ସ୍ଵାସ୍ଥ୍ୟସେବାର ପ୍ରାଣକେନ୍ଦ୍ର ବୁର୍ଲା ଭିମସାରର ରକ୍ତଭଣ୍ଡାରରେ ଗତ କିଛିଦିନ ହେବ ରକ୍ତ ସଙ୍କଟ ହେଉଥିବା ଦେଖିବାକୁ ମିଳୁଛି । ଭିମସାର ଉପରେ ପଶ୍ଚିମ ଓଡ଼ିଶାର ୧୦ ଟି ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାରଖଣ୍ଡ ରୁ ଆସୁଥିବା ରୋଗୀ ନିର୍ଭରଶୀଳ । ବିଶେଷ କରି ଦୁର୍ଘଟଣାଗ୍ରସ୍ତ ତଥା ଥାଲାସେମିଆ ଓ କର୍କଟ ରୋଗୀଙ୍କ କ୍ଷେତ୍ରରେ ଜରୁରୀକାଳୀନ ଭାବେ ରକ୍ତ ଦେବା ଆବଶ୍ୟକ ହୋଇଥାଏ । ଶନିବାର ଦିନ ସକାଳେ ଏ ପଜିଟିଭ ରକ୍ତ ୮ ୟୁନିଟ୍ , ବି ପଜିଟିଭ ୩ ୟୁନିଟ୍ , ବି ନେଗେଟିଭ ୨ ୟୁନିଟ୍ , ଓ ପଜିଟିଭ ୮ ୟୁନିଟ୍ , ଏବି ପଜିଟିଭ ଏବଂ ଏବି ନେଗେଟିଭ ୨ ୟୁନିଟ୍ ଲେଖାଏଁ ଅର୍ଥାତ୍ ମୋଟ ୨୫ ୟୁନିଟ୍ ରକ୍ତ ଥିବା ବେଳେ ବି ପଜିଟିଭ ଏବଂ ଏବି ପଜିଟିଭର ପିଆର୍ ବିସି ୨ ୟୁନିଟ୍ ଏବଂ ଓ ପଜିଟିଭର ପିଆର୍ ବିସି ୫ ୟୁନିଟ୍ ରକ୍ତ ଭଣ୍ଡାର ରେ ଉପଲବ୍ଧ ଥିଲା। କିନ୍ତୁ ସନ୍ଧ୍ୟା ସମୟରେ ଭଣ୍ଡାରରେ ଏବି ପଜିଟିଭ ୨ ୟୁନିଟ୍ ଏବଂ ବି ପଜିଟିଭ ୨ ୟୁନିଟ୍ ରହିଥିବା ବେଳେ ଏ ପଜିଟିଭର ପିଆର୍ ବିସି ୫ ୟୁନିଟ୍ ଏବଂ ଏବି ପଜିଟିଭର ପିଆର୍ ବିସି ୩ ୟୁନିଟ୍ ରହିଛି। ଫଳରେ ରକ୍ତ ଭଣ୍ଡାର ତରଫ ରୁ ଏହାକୁ ବ୍ୟବସ୍ଥିତ କରିବା କାଠିକର ପାଠ ହୋଇଛି ।
ଦୈନିକ ୮୦ ୟୁନିଟ ରକ୍ତ ଭିମସାର୍ ରେ ଆବଶ୍ୟକ ହେଉଥିବାବେଳେ କମ୍ପେlନେଣ୍ଟ ରକ୍ତ ୟୁନିଟ୍ କୁ ମିଶାଇଲେ ଏହା ଦୈନିକ ୧୨୦ ୟୁନିଟ୍ ପର୍ଯ୍ୟନ୍ତ ପହଞ୍ଚି ଯାଉଛି । ଦୂରାରୋଗ୍ୟ ଥାଲାସେମିଆ ରୋଗୀଙ୍କ ରକ୍ତ ହିଁ ତାଙ୍କର ଜୀବନଧାରଣର ମୂଳନିଦାନ । ଦୈନିକ ଏହି ଥାଲାସେମିଆ ରୋଗୀଙ୍କ ୨୦ ରୁ ୨୨ଟି ରୋଗୀଙ୍କୁ ରକ୍ତ ବ୍ୟବସ୍ଥା କରିବା ଆବଶ୍ୟକ ହୋଇଥାଏ । ଏଭଳି କ୍ଷେତ୍ରରେ ଭିମସାର୍ ରକ୍ତ ଭଣ୍ଡାରରେ ବର୍ତ୍ତମାନ ରକ୍ତ ଅଭାବ ଦେଖାଦେବା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ବ୍ୟତିକ୍ରମ ଘଟାଇବା ଆଶଙ୍କା ରହିଛି । ଏ ସମ୍ବନ୍ଧରେ ବୁର୍ଲା ରକ୍ତ ଭଣ୍ଡାର ର ଜନ ସମ୍ପର୍କ ଅଧିକାରୀ ତଥା ଲେଵ ଟେକ୍ନିସିଆନ ଦେବାଶିଷ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଖରାଦିନ ହୋଇଥିବାରୁ ରକ୍ତଦାନ ଶିବିର କମ୍ ସଂଖ୍ୟାରେ ଆୟୋଜିତ ହେଉଛି। ଯାହା ଦ୍ଵାରା ରକ୍ତ ଭଣ୍ଡାରରେ ରକ୍ତର ସଙ୍କଟ ଦେଖାଦେଇଛି। ଯଦି ସ୍ବେଛାକୃତ ସଂଗଠନ ମାନଂକ ଦ୍ଵାରା ନିୟମିତ ବ୍ୟବଧାନରେ ରକ୍ତଦାନ ଶିବିର ଆୟୋଜନ କରାଯାଏ ତେବେ ଏହି ରକ୍ତ ସଙ୍କଟକୁ ଦୂର କରାଯାଇ ପାରିବ ଏବଂ ଭିମସାର ଉପରେ ନିର୍ଭର କରୁଥିବା ଗରିବ ରୋଗୀ ମାନେ ଉପକୃତ ହୋଇ ପାରିବେ ବୋଲି ଶ୍ରୀ ମିଶ୍ର ଆଶା ପ୍ରକାଶ କରିଛନ୍ତି।