ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ କିଛିଦିନ ହେଲା ରକ୍ତର ଅଭାବ ଦେଖାଦେଇଛି। ଗ୍ରୀଷ୍ମଋତୁ ହେତୁ ଲୋକମାନେ ରକ୍ତଦାନ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେଣୁ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଲାଗି ରହିଛି। କେବେ କେଉଁଠି ରକ୍ତଦାନ ଶିବିର ଆୟୋଜିତ ହେଲେ କିଛି ରକ୍ତ ସଂଗ୍ରହ କରାଯାଉଛି। ଅଧିକ ଶିବିର ଆୟୋଜିତ ହେଉ ନଥିବାରୁ ଭଣ୍ଡାରରେ ଆବଶ୍ୟକ ପରିମାଣ ରକ୍ତ ଗଚ୍ଛିତ ରହିପାରୁନାହିଁ। ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ପାଇଁ ରକ୍ତ ନପାଇ ତାଙ୍କ ସଂପର୍କୀୟମାନେ ସମସ୍ୟାରେ ପଡ଼ୁଛନ୍ତି।
ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତିଦିନ ଶହ ଶହ ରୋଗୀ ଆସୁଛନ୍ତି। ଅନୁଗୁଳ ଜିଲ୍ଲା ସମେତ ଆଖପାଖ ଜିଲ୍ଲାର ରୋଗୀମାନେ ଉତ୍ତମ ଚିକିତ୍ସା ଆଶାରେ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ଏଠାକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଥାଲାସେମିଆ, ସିକିଲସେଲ୍, ଗର୍ଭବତୀ ମହିଳା, ଦୁର୍ଘଟଣାଗ୍ରସ୍ତ ରୋଗୀମାନଙ୍କ ପାଇଁ ରକ୍ତର ଜରୁରୀ ଆବଶ୍ୟକତା ରହିଛି। ଥାଲାସେମିଆ, ସିକିଲସେଲ୍, ଆନିମିଆରେ ପୀଡ଼ିତ ରୋଗୀମାନେ ପ୍ରତିମାସରେ ରକ୍ତ ନେବା ଆବଶ୍ୟକ ହୋଇଥାଏ। ସେମାନଙ୍କ ବ୍ୟତୀତ ଅନ୍ୟ ଗୁରୁତର ରୋଗୀଙ୍କ ପାଇଁ ମଧ୍ୟ ରକ୍ତ ଦରକାର ପଡ଼ୁଛି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତିଦିନ ୪୦ରୁ ୫୦ ୟୁନିଟ୍ ରକ୍ତ ଆବଶ୍ୟକ ହେଉଛି। ଗତ ଦୁଇମାସ ହେଲା ବିଭିନ୍ନ କାରଣରୁ ରକ୍ତଦାନ ଶିବିର ଆୟୋଜିତ ହୋଇପାରୁନାହିଁ। ତାହା ଭିତରୁ ଏକ ମୁଖ୍ୟ କାରଣ ହେଉଛି ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ। ଏଥିଯୋଗୁଁ ଲୋକମାନେ ରକ୍ତ ଦାନ କରିବା ପାଇଁ ଆଗ୍ରହୀ ହୋଇନାହାନ୍ତି। ଗତବର୍ଷ ଗ୍ରୀଷ୍ମଋତୁଠାରୁ କମ୍ ରକ୍ତ ଚଳିତବର୍ଷ ଗ୍ରୀଷ୍ମଋତୁରେ ସଂଗ୍ରହ ହୋଇଛି। ରୋଗୀ ବେଡ୍ରେ ପଡ଼ିଥିବାବେଳେ ତାଙ୍କ ସମ୍ପର୍କୀୟ ରକ୍ତ ଭଣ୍ଡାର ସାମ୍ନାରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହୁଛନ୍ତି। କାହାକୁ ବହୁ କଷ୍ଟରେ ରକ୍ତ ମିଳୁଛି ତ କାହାକୁ ନାହିଁ। କେହି ନିଜଆଡ଼ୁ ରକ୍ତଦାତା ଆଣି ରକ୍ତ ବିନିମୟ କରାଇବାକୁ ଚାହିଲେ ବି ଆବଶ୍ୟକ ଗ୍ରୁପ୍ର ରକ୍ତ ମିଳିବା କଷ୍ଟକର ହେଉଛି। ପୂର୍ବରୁ କୌଣସି ଗୁରୁତର ରୋଗୀଙ୍କ ପାଇଁ ରକ୍ତ ଆବଶ୍ୟକ ହେଲେ ଜିଲ୍ଲାର ଅନ୍ୟ ରକ୍ତ ଭଣ୍ଡାରରୁ ରକ୍ତ ଆଣି ଦିଆଯାଉଥିଲା। କିନ୍ତୁ ଗତ ୩ ମାସ ହେଲା ଅନ୍ୟ ରକ୍ତ ଭଣ୍ଡାରରୁ ରକ୍ତ ଆଣିବା ସମ୍ଭବ ହେଉନାହିଁ ବୋଲି ଅନୁଗୁଳ ରକ୍ତଭଣ୍ଡାର ଟେକ୍ନିସିଆନ୍ ସନ୍ତୋଷ କୁମାର ସିଂହ କହିଛନ୍ତି। କାରଣ ସବୁ ଅଞ୍ଚଳରେ ସମାନ ଅବସ୍ଥା। ଅନ୍ୟ ରକ୍ତ ଭଣ୍ଡାରରେ ମଧ୍ୟ ରକ୍ତ ଅଭାବ ରହୁଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିକିଲ୍ସେଲ୍, ଥାଲାସେମିଆ ରୋଗୀଙ୍କ ପାଇଁ ପ୍ରତିଦିନ ୨୦ରୁ ଅଧିକ ୟୁନିଟ୍ ରକ୍ତ ଆବଶ୍ୟକ ପଡ଼ୁଛି। ଏଠାରେ ରକ୍ତ ନଥିଲେ ରକ୍ତ ଭଣ୍ଡାର ପକ୍ଷରୁ ନିୟମିତ ରକ୍ତଦାତାମାନଙ୍କୁ ଫୋନ୍ରେ ଅନୁରୋଧକରି ଡକାଯାଉଛି। ସେମାନେ ଆସିଲେ ରକ୍ତ ସଂଗ୍ରହକରି ରୋଗୀଙ୍କୁ ଦିଆଯାଉଛି ବୋଲି ଟେକ୍ନିସିଆନ୍ ଶ୍ରୀ ସିଂହ ପ୍ରକାଶ କରିଛନ୍ତି। ଶରୀରରେ ରକ୍ତର ଅଭାବ ହେଲେ ରୋଗୀ ବଞ୍ଚିବା କଷ୍ଟକର। ତେଣୁ ରକ୍ତଦାନ ଜୀବନଦାନ ବୋଲି କୁହାଯାଉଛି। ଏ ପରିସ୍ଥିତିରେ ଅଧିକ ରକ୍ତଦାନ ଶିବିର ଆୟୋଜନ ନିମନ୍ତେ ପ୍ରଶାସନ ପକ୍ଷରୁ ଯୁବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।