ବ୍ରହ୍ମପୁର : ଏମ୍‌କେସିଜି ବଡ଼ ଡାକ୍ତରଖାନା ପରିସରରେ ଥିବା ରକ୍ତଭଣ୍ଡାରରେ ରକ୍ତର ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି। ପରିସ୍ଥିତି ଏମିତି ହୋଇଛି ଯେ ରକ୍ତଭଣ୍ଡାରରେ ନେଗେଟିଭ୍‌ ଗ୍ରୁପ୍‌ ପୂରା ଖାଲି ହୋଇଯାଇଛି। ଫଳରେ ଜରୁରି ପରିସ୍ଥିତିରେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୀତ ଦିନରେ ଏଭଳି ରକ୍ତ ଅଭାବ ସାଧାରଣ ଲୋକଙ୍କୁ ଚକିତ କରିଛି। ରକ୍ତଭଣ୍ଡାରରେ ମୋଟ ରକ୍ତ ୟୁନିଟ୍‌ ସଂଖ୍ୟା ଶହେ ମଧ୍ୟରେ ସୀମିତ ରହିଛି। ନେଗେଟିଭ୍‌ ଗ୍ରୁପ୍‌ ଠିକ୍‌ ସମୟରେ ନପାଇ ରୋଗୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି।

Advertisment

କରୋନା ସଂକ୍ରମଣ ଏବେ ନିୟନ୍ତ୍ରଣରେ ରହିଛି। କୋଭିଡ୍‌ ଗାଇଡ୍‌ ଲାଇନ୍‌ ମଧ୍ୟ ଉଠିଛି। ବିଭିନ୍ନ ବର୍ଗର ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତନ୍ମଧ୍ୟରେ ସ୍ବେଚ୍ଛାକୃତ ରକ୍ତଦାତା ମଧ୍ୟ ରହିଛନ୍ତି। ପୂର୍ବଭଳି ରକ୍ତଦାତା ଶିବିରକୁ ଆସୁ ନାହାନ୍ତି। ଏଣୁ ରକ୍ତ ୟୁନିଟ୍‌ ସଂଖ୍ୟା ହ୍ରାସ ପାଇଛି। ଏବେ ସମସ୍ତଙ୍କୁ ମାଗଣାରେ ରକ୍ତ ପ୍ରଦାନ କରାଯାଉଛି। ଯେଉଁମାନେ ରକ୍ତ ନେଉଛନ୍ତି ସେମାନଙ୍କର ସମ୍ପର୍କୀୟଙ୍କୁ ଗୋଟିଏ ୟୁନିଟ୍‌ ରକ୍ତଦାନ କରିବାକୁ କୁହାଯାଉଛି। ଯେଉଁମାନେ ଡୋନର୍‌ ଯୋଗାଡ଼ କରିପାରୁ ନାହାନ୍ତି ସେମାନଙ୍କୁ ମଧ୍ୟରେ ରକ୍ତ ପ୍ରଦାନ କରାଯାଉଛି। ସେପଟେ ରକ୍ତଭଣ୍ଡାରରୁ ୫ଶହରୁ ଊର୍ଦ୍ଧ୍ବ ଥାଲାସେମିଆ, ସିକିଲ୍‌ସେଲ୍‌ ଓ ହେମୋଫିଲିଆ ରୋଗୀ ପ୍ରତି ମାସରେ ରକ୍ତଭଣ୍ଡାରରୁ ରକ୍ତ ନେଇଥା’ନ୍ତି।

ରକ୍ତ ଅଭାବ ପରିଲକ୍ଷିତ ହେଲେ ଏହି ରୋଗୀମାନେ ମଧ୍ୟ ଠିକ୍‌ ସମୟରେ ରକ୍ତ ପାଇବାରୁ ବଞ୍ଚିତ ହୋଇଥାନ୍ତି। ଆଜିର ରେକର୍ଡ଼ ଅନୁସାରେ ଏମ୍‌କେସିଜି ରକ୍ତଭଣ୍ଡାରରେ ମୋଟ ଶହେ ୟୁନିଟ୍‌ ରକ୍ତ ଗଚ୍ଛିତ ରହିଛି। ଏ-ପଜିଟିଭ୍‌ ରକ୍ତ ମାତ୍ର ୮ ୟୁନିଟ୍‌ ରହିଥିବା ବେଳେ ବି-ପଜିଟିଭ୍‌ ୧୦ ୟୁନିଟ୍‌, ଏବି-ପଜିଟିଭ୍‌ ୨ ୟୁନିଟ୍‌ ଏବଂ ଓ-ପଜିଟିଭ୍‌ ୮୦ ୟୁନିଟ୍‌ ରହିଛି। ସେହିପରି ସମସ୍ତ ନେଗେଟିଭ୍‌ ଗ୍ରୁପ୍‌ ରକ୍ତ ଖାଲି। ଅନ୍ୟପଟେ ରକ୍ତଭଣ୍ଡାରରେ ପ୍ଲାଟଲେଟ୍‌ ମଧ୍ୟ ଅଭାବ ରହିଛି। ଏ-ପଜିଟିଭ୍‌ ପ୍ଲାଟଲେଟ୍‌ ୮ ୟୁନିଟ୍ ରହିଥିବା ବେଳେ ବି-ପଜିଟିଭ୍‌ ୧୮ ୟୁନିଟ୍‌, ଏବି-ପଜିଟିଭ୍‌ ୧୧ ୟୁନିଟ୍‌ ଏବଂ ଓ-ପଜିଟିଭ୍‌ ପ୍ଲାଟଲେଟ୍‌ ୨୩ ୟୁନିଟ୍ ରହିଛି। ସେପଟେ ନେଗେଟିଭ୍‌ ଗ୍ରୁପ୍‌ରେ କେବଳ ଓ-ନେଗେଟିଭ୍‌ ପ୍ଲାଟଲେଟ୍‌ ମାତ୍ର ୫ ୟୁନିଟ୍‌ ରହିଥିବା ବେଳେ ଅନ୍ୟ ୩ଟି ବର୍ଗର ନେଗେଟିଭ୍‌ ଗ୍ରୁପ୍‌ ପ୍ଲାଟଲେଟ୍‌ ଖାଲି ରହିଥିବା ବଡ଼ ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

ସାଧାରଣତଃ ଖରାଦିନ ଆସିଲେ ରକ୍ତ ଅଭାବ ସମସ୍ୟା ଦେଖା ଦେଇଥାଏ। ଖରାଦିନରେ ଶିବିର ସଂଖ୍ୟା କମିବାରୁ ଏଭଳି ସମସ୍ୟା ହୋଇଥାଏ। ଏବେ ଜାନୁଆରି ମାସରୁ ରକ୍ତ ଅଭାବ ସମସ୍ୟା ଦେଖା ଦେଲାଣି। ଖରା ବଢ଼ିଲେ ଶିବିର ସଂଖ୍ୟା ହ୍ରାସ ପାଇବ। ଏଥିପାଇଁ ବିଭିନ୍ନ ସମୟରେ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରି ରକ୍ତ ଅଭାବ ସମସ୍ୟା ପୂରଣ କରିବାକୁ ଆହ୍ବାନ କରାଯାଇଛି। ଏ ସମ୍ପର୍କରେ ଏମ୍‌କେସିଜି ବଡ଼ ଡାକ୍ତରଖାନା ଉପଅଧୀକ୍ଷକ ଡା. କିରଣ କୁମାର ପଟ୍ଟନାୟକ କହନ୍ତି, ରୋଗୀଙ୍କ ଆବଶ୍ୟକତା ଅନୁସାରେ ରକ୍ତ ଦିଆଯାଉଛି। ବର୍ତ୍ତମାନ ବିଭିନ୍ନ ବର୍ଗର ଶହେ ୟୁନିଟ୍‌ ରକ୍ତ ଗଚ୍ଛିତ ରହିଛି। ଜରୁରି ସମୟରେ ଯଦି ନେଗେଟିଭ୍‌ ଗ୍ରୁପ୍‌ ରକ୍ତ ଆବଶ୍ୟକ ପଡ଼େ ତେବେ ରକ୍ତଭଣ୍ଡାର ତରଫରୁ ସ୍ବେଚ୍ଛାସେବୀଙ୍କୁ ଯୋଗାଯୋଗ କରି ରକ୍ତ ଯୋଗାଡ଼ କରାଯାଇଥାଏ ବୋଲି ସେ କହିଛନ୍ତି।