ଶ୍ରେଣୀ କୋଠରି ଅଭାବ, ଶୁଣିଲାନି ପ୍ରଶାସନ; ଗ୍ରାମବାସୀ ତିଆରିକଲେ କୁଡ଼ିଆ ଘର

ବେଲପଡ଼ା : ଶ୍ରେଣୀ କୋଠରି ଅଭାବ ଯୋଗୁଁ ପିଲାମାନେ ହସନ୍ତସନ୍ତ ହେଉଥିଲେ। ଏଥିପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ। ତଥାପି କେହି ଶୁଣିଲେନି। ଶେଷରେ ଗ୍ରାମବାସୀ ନିଜେ ଅସ୍ଥାୟୀ ଭାବେ ଏକ କୁଡ଼ିଆ ଘର ନିର୍ମାଣ କଲେ। ଏବେ ଉକ୍ତ କୁଡ଼ିଆଘରେ ପିଲାମାନେ ବସି ପାଠ ପଢ଼ୁଛନ୍ତି। ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ ଘାଗୁର୍ଲି ପଞ୍ଚାୟତ ଜାମଯୁରି ଗାଁର ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ଜାମଯୁରି ଗାଁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ୧୯୭୨ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ‌ ମୋଟ ୧୦୩ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଏମାନଙ୍କୁ ପଢ଼ାଇବା ପାଇଁ ୫ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଏହି ସ୍କୁଲ୍‌କୁ ଚିକଲି, ପନକିମାଲ, ଡୁମେରବାହାଲ, ଜାମଯୁରି ଗାଁର ଛାତ୍ରଛାତ୍ରୀ ପଢ଼ିବାକୁ ଆସୁଛନ୍ତି। କିନ୍ତୁ ସ୍କୁଲ୍‌ରେ ଏତେ ପିଲାଙ୍କ ପାଇଁ ମାତ୍ର ୨ଟି ଶ୍ରେଣୀ କୋଠରି ରହିଛି। ଶିକ୍ଷକମାନଙ୍କ କହିବା ଅନୁସାରେ, ଗୋଟିଏ ଗୋଟିଏ କକ୍ଷରେ ୩ଟି ଲେଖାଏଁ ଶ୍ରେଣୀର ଛାତ୍ରଛାତ୍ରୀ ବସନ୍ତି। ଅନ୍ୟ ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀ ବାରଣ୍ଡାରେ ବସି ପାଠ ପଢ଼ନ୍ତି।

ସ୍କୁଲର ଏହି ସମସ୍ୟା ବିଷୟରେ ଗ୍ରାମବାସୀ ବିଡିଓ ଭିକ୍ଟର ସୋରେନ, ବିଧାୟକ ସରୋଜ ମେହେରଙ୍କୁ ଅନେକ ଥର ଅବଗତ କରାଇଥିବା କହିଛନ୍ତି। କିନ୍ତୁ କିଛି ସୁଫଳ ମିଳିଲା ନାହିଁ। ଶେଷରେ ସେମାନେ ନିଜ ଉଦ୍ୟମ‌େରେ ସ୍କୁଲ ପରିସରରେ ଏକ ଅସ୍ଥାୟୀ କୁଡ଼ିଆ ତିଆରି କରିଛନ୍ତି। ସୋମବାରଠାରୁ ଉକ୍ତ କୁଡ଼ିଆରେ ପିଲାମାନଙ୍କ ପାଠପଢ଼ା ଆରମ୍ଭ ହୋଇଛି। କୁଡ଼ିଆ ତିଆରିରେ ଗାଁର ଜଳ ଷାଣ୍ଢ, ଦୁଃଖନାଶନ ସାହୁ, ଥବିର ସାହୁ, ରାମେଶ୍ବର ସାହୁ, ନାରା ସାହୁ, ଅରବିନ୍ଦ ସାହୁ, ଯୋଗେଶ୍ୱର ସାହୁ, ଯୋଗେଶ୍ୱର ଧରୁଆ, ନୃପମଣି ସାହୁ, ଟଙ୍କ କଠାର ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର