ମିଳୁନି ଡିଏମ୍‌ଏଫ୍‌ ଓ ଆର୍‌ଏମ୍‌ସି ପାଣ୍ଠି, ଅଟକିଛି ହୋଲସେଲ୍‌ ବଜାର

ରାଉରକେଲା,: ଇସ୍ପାତ ସହରର ବହୁ ପ୍ରତୀକ୍ଷିତ ହୋଲସେଲ୍‌ ବଜାର ୮ ବର୍ଷ ପରେ ବି ଅଧପନ୍ତରିଆ ହୋଇ ପାଚେରିରେ ସୀମିତ ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍କେଟ ରୂପରେଖକୁ ନେଇ ଥରେ ନୁହେଁ, ଅନେକବାର ସମୀକ୍ଷା ବୈଠକ ବସିଛି। ଡିପିଆର୍‌ (ପ୍ରକଳ୍ପର ବିସ୍ତୃତ ତଥ୍ୟ) ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ଦିଆଯାଇଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଫାଣ୍ଠିରୁ ୯୫ କୋଟି ଓ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ୫ କୋଟି ଏମିତି ମୋଟ୍‌ ୧୦୦ କୋଟି ମଞ୍ଜୁର କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। କେବଳ ଏତିକି ନୁହେଁ, ତତ୍କାଳୀନ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ପାନପ‌ୋଷ ହୋଲସେଲ୍‌ ମାର୍କେଟ କାମ ଆରମ୍ଭ କରିବାକୁ ଆର୍‌ଆଣ୍ଡବି ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖି ସାରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ଆସି ନଥିବାରୁ ଆର୍‌ଆଣ୍ଡବି ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିପାରୁନି।

କାମ କରିବାକୁ ଆର୍‌ଆଣ୍ଡବିକୁ ଚିଠି ଲେଖିଥିଲେ ଜିଲ୍ଲାପାଳ
ବ୍ୟୟ ଅଟକଳ ଥିଲା ୧୦୦ କୋଟି

ବିଭିନ୍ନ ଆଳ ଦେଖାଇ ଜିଲ୍ଲା ପ୍ରଶାସନ ବର୍ଷ ବର୍ଷ ଧରି ସମୟ ଗଡାଇ ଚାଲିଥିବାରୁ ବ୍ୟବସାୟୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପାନପୋଷ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)ର ପୂର୍ବତନ ଉପାଧ୍ୟକ୍ଷ ରମେଶ ଅଗ୍ରୱାଲ ବ୍ୟବସାୟୀଙ୍କ ଅସୁବିଧା ଦୂର କରିବାକୁ ଜିଲ୍ଲା ପ୍ରଶାସନ ପାଖରେ ଯେମିତି ସମୟ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, ବୈଠକର ନିଷ୍ପତ୍ତି ଅନୁଯାୟୀ ଆର୍‌ଏମ୍‌ସି ୫ କୋଟି ଦେବାକୁ ରାଜି ଅଛି। ଏତେ ବଡ ପ୍ରକଳ୍ପ ପାଇଁ ୧୦୦ କୋଟିର ଆବଶ୍ୟକତା ରହିଛି। ବ୍ୟବସାୟୀଙ୍କ ସ୍ବାର୍ଥ ଓ ସହରର ଟ୍ରାଫିକ ବ୍ୟବସ୍ଥାର ସୁଧାର ଆଣିବାକୁ ଜିଲ୍ଲାପାଳ ଡିଏମ୍‌ଏଫ୍‌ ପାଣ୍ଠିରୁ ପୂର୍ବ ନିଷ୍ପତ୍ତି ମୁତାବକ ୯୫ କୋଟି ଟଙ୍କା ଯଥାଶୀଘ୍ର ମଞ୍ଜୁରି କରିବାର ଆବଶ୍ୟକ। କାରଣ ହୋଲ‌ସେଲ୍‌ ମାର୍କେଟ ଯେତିକି ବିଳମ୍ବ ହେବ ସହରର ଟ୍ରାଫିକ ସମସ୍ୟା ସେତିକି ଜଟିଳ ହେବ। ଅନ୍ୟପଟେ ଡେଲିମାର୍କେଟସ୍ଥ ହୋଲସେଲ୍‌ ମାଛ ବଜାରକୁ ଅନ୍ୟତ୍ର ଉଠାଇ ନେବାକୁ ରେଳ ବିଭାଗ ପକ୍ଷରୁ ବାରମ୍ବାର କୁହାଯିବା ପରେ ବ୍ୟବସାୟୀମାନଙ୍କର ଚିନ୍ତା ବଢ଼ି ଯାଇଛି।

ହୋଲ୍‌ସେଲ୍‌ ମାର୍କେଟ ନଥିବାରୁ ପ୍ଲାଣ୍ଟସାଇଟ୍‌ ଓ ଡେଲିମାର୍କେଟର ପାଖାପାଖି ଛୋଟବଡ ପ୍ରାୟ ୫୦୦ରୁ ଅଧିକ ହୋଲସେଲ୍‌ର ଦୋକାନୀଙ୍କ ସମସ୍ୟା ବଢ଼ୁଛି। ପ୍ଲାଣ୍ଟସାଇଟ୍‌ରେ ଦୈନିକ ଘଣ୍ଟା ଘଣ୍ଟା ଜାମ୍‌ ରହୁଛି। ହୋଲ‌୍‌ସେଲ୍‌ ମାଛ ବଜାରରେ ମଧ୍ୟ ‌ସେହି ସମାନ ସ୍ଥିତି ଉପୁଜୁଛି। ହୋଲସେ୍‌ଲ ବଜାରକୁ ଆସୁଥିବା ଖୁଚୁରା ବେପାରୀମାନେ ଗାଡ଼ି ରଖିବାକୁ କୌଣସି ବ୍ୟବସ୍ଥା ନଥିବାରୁ ଯିଏ ଯେଉଁଠି ସେଇଠି ଗାଡି ରଖୁଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି। ଉଲ୍ଲେଖଯୋଗ୍ୟ, ଗତ ୨୦୧୪ରେ ମୁଖ୍ୟମନ୍ତ୍ରୀ ବାଲୁଘାଟରେ ପ୍ରାୟ ୧୩ ଏକର ଜାଗାରେ ହୋଲସେ୍‌ଲ ବଜାର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୯୮ କୋଟି ଟଙ୍କା ମଞ୍ଜୁରି ହୋଇଥିଲା। ମାତ୍ର ୨ କୋଟି ଟଙ୍କାରେ ଅଧପନ୍ତରିଆ ପାଚେରୀ ନିର୍ମାଣ ହୋଇଛି। ହେଲେ ସରକାର ମଞ୍ଜୁର କରିଥିବା ୯୮ କୋଟିରୁ ପାଚେରୀ ନିର୍ମାଣରେ ଟଙ୍କାଟିଏ ଖର୍ଚ୍ଚ ହୋଇ ନାହିଁ। କେବଳ ଆର୍‌ଏମ୍‌ସି ନିଜସ୍ବ ପାଣ୍ଠିରୁ ପାଚେରୀ ନିର୍ମାଣରେ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି କୁହାଯାଇଛି। ସେପଟେ ଆଗାମୀ ଦିନରେ ବହୁ ପ୍ରତୀକ୍ଷିତ ହୋଲସେଲ୍‌ ମାର୍କେଟ ନିର୍ମାଣକୁ ଗୁରୁତ୍ବ ଦିଆ ନଗଲେ ବ୍ୟବସାୟୀଙ୍କ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର