ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗରେ ଅଧିକାରୀ ମରୁଡ଼ି: ୨୨ରୁ ୧୩ ବିଇଓ, ୬୭ରୁ ୩୯ ଏବିଇଓ ପଦ ଖାଲି

ବ୍ରହ୍ମପୁର: ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ସରକାର ନାନା ପଦେକ୍ଷପ ଗ୍ରହଣ କରୁଛନ୍ତି। ୫-ଟି କାର୍ଯ୍ୟକ୍ରମ ଅଧୀନରେ ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। କିନ୍ତୁ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ପଦବି ପୂରଣ ହେଉ ନାହିଁ। ଯାହାକି ବର୍ତ୍ତମାନ ଚିନ୍ତାର କାରଣ ହୋଇଛି। ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ହାଇସ୍କୁଲ ପ୍ରଧାନଶିକ୍ଷକ ଓ ଶିକ୍ଷକ ମଞ୍ଜୁର ପଦ ତୁଳନାରେ ଅଧା ପଦବି ଖାଲି ପଡ଼ିଛି। ସେହିପରି ଶିକ୍ଷା ବିଭାଗର ପ୍ରାଶାସନିକ ଦାୟିତ୍ବ ସମ୍ଭାଳୁଥିବା ବିଇଓ ଏବଂ ଏବିଇଓ ପଦବି ମଧ୍ୟ ଦୀର୍ଘଦିନ ଧରି ଖାଲି ପଡ଼ିଛି। ଫଳରେ ପ୍ରାଶାସନିକ କାର୍ଯ୍ୟ ସମ୍ପାଦନରେ ନାନା ଅସୁବିଧା ହେଉଛି। ଗଞ୍ଜାମ ଜିଲ୍ଲାରେ ମୋଟ ୩୯ ଏବିଇଓ ପଦବି ଖାଲି ରହିଥିବା ବେଳେ ୧୩ ବିଇଓ ପଦବି ଖାଲି ରହିଛି। ଖାଲି ପଦବି ପୂରଣ ଦିଗରେ ରାଜ୍ୟ ଗଣଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ଜିଲ୍ଲାର ୨୨ ବ୍ଲକ୍ ପାଇଁ ୨୨ଜଣ ବିଇଓ ପଦବି ମଂଜୁର ହୋଇଛି। ପ୍ରତ୍ୟେକ ବିଇଓଙ୍କ ଅଧୀନରେ ୩ଜଣ ଲେଖାଏଁ ଏବିଇଓ ପଦବି ରହିଛି। କେବଳ ରଂଗେଇଲୁଣ୍ଡା ବ୍ଲକ୍‌ ପାଇଁ ୪ଜଣ ଏବିଇଓ ପଦବି ସୃଷ୍ଟି କରାଯାଇଛି। ବିଇଓଙ୍କ ଅଧୀନରେ ଏବିଇଓମାନେ ବିଭିନ୍ନ ଦାୟିତ୍ବ ସମ୍ପାଦନ କରୁଛନ୍ତି। ହେଲେ ଅଧିକାଂଶ ବ୍ଲକ୍‌ରେ ଏବିଇଓ ପଦବି ଖାଲି ରହିଛି। ଫଳରେ ବିଭିନ୍ନ ବ୍ଲକ୍‌ରେ ଶିକ୍ଷକମାନେ ଏବିଇଓ ଦାୟିତ୍ବରେ ରହିଛନ୍ତି। ଦୀର୍ଘଦିନ ଧରି ଏବିଇଓ ପଦବି ଖାଲି ରହୁଥିବାରୁ ସ୍କୁଲର ପ୍ରାଶାସନିକ କାର୍ଯ୍ୟ ସମ୍ପାଦନରେ ନାନା ସମସ୍ୟା ହେଉଛି। ଚିକିଟି, ବେଲଗୁଣ୍ଠା, ପୁରୁଷୋତ୍ତମପୁର ଓ ସାନଖେମୁଣ୍ଡି ବ୍ଲକ୍‌ରେ ୩ଟି ଲେଖାଏଁ ଏବିଇଓ ପଦବି ଖାଲି ପଡ଼ିଛି। ସେହିପରି ଆସିକା, ବେଗୁନିଆପଡ଼ା, ଭଞ୍ଜନଗର, ବୁଗୁଡ଼ା, ଛତ୍ରପୁର, ଧରାକୋଟ, ଗଞ୍ଜାମ, କବିସୂର୍ଯ୍ୟନଗର, ପୋଲସରା ବ୍ଲକ୍‌ରେ ଦୁଇଟି ଲେଖାଏଁ ଏବିଇଓ ପଦବି ଖାଲି ରହିଛି। ହିଂଜିଳିକାଟୁ, ଖଲ୍ଲିକୋଟ କୁକୁଡ଼ାଖଣ୍ଡି, ପାତ୍ରପୁର ଓ ‌ଶେରଗଡ଼ରେ ଗୋଟିଏ ଲେଖାଏଁ ପଦବି ଖାଲି ରହିଛି।

ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍‌ ପାଇଁ ୬୭ ଏବିଇଓ ପଦବି ମଂଜୁର ହୋଇଛି। ହେଲେ ମଂଜୁର ପଦବି ମଧ୍ୟରୁ ମାତ୍ର ୨୮ଜଣ ରହିଛନ୍ତି। ବଳକା ରହିଥିବା ୩୯ ଏବିଇଓ ପଦବି ଖାଲି ରହିଛି। ସେହିପରି ୨୨ଟି ବ୍ଲକ୍‌ ମଧ୍ୟରୁ ୧୩ଟି ବ୍ଲକ୍‌ରେ ମଧ୍ୟ ବିଇଓ ପଦବି ଖାଲି ରହିଥିବା ବେଳେ ମାତ୍ର ୯ଜଣ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଶିକ୍ଷା ବିଭାଗରେ ଏତେ ସଂଖକ ପଦବି ଖାଲି ପଡ଼ିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯଦି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଅବସ୍ଥା ଏମିତି ତେବେ ଅନ୍ୟ ଜିଲ୍ଲାର ଅବସ୍ଥା କ’ଣ ଥିବ ତାହା ସହଜେ ଅନୁମେୟ।

ସମ୍ବନ୍ଧିତ ଖବର