ସମ୍ବଲପୁର : ଭିମସାର୍ରେ ଜଣେ ସଂଦିଗ୍ଧ ବ୍ଲାକ୍ ଫଙ୍ଗସ୍(ମ୍ୟୁକର୍ମାଇକୋସିସ୍) ଆକ୍ରାନ୍ତଙ୍କ ଇତି ମଧ୍ୟରେ ମୃତ୍ୟୁ ହୋଇ ସାରିଥିଲାବେଳେ ଆହୁରି ୭ ଜଣ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ଏହି ସଂଖ୍ୟା ୩୦ ଛୁଇଁଲାଣି। ରାଜ୍ୟରେ ଏକାଧିକ ଆକ୍ରାନ୍ତ ମୃତ୍ୟୁ ବରଣ କଲେଣି। ତଥାପି ଏହି ରୋଗର ମୁଖ୍ୟ ଔଷଧ କୁହାଯାଉଥିବା ଆମ୍ଫୋଟେରିସିନ୍-ବି ଇଂଜେକ୍ସନ ରାଜ୍ୟକୁ ମିଳୁ ନାହିଁ। ଓଡ଼ିଶାକୁ ଏହି ଇଂଜେକ୍ସନ ଦେବାରେ କେନ୍ଦ୍ର ସରକାରଙ୍କ ଓ ଏହା ହାସଲ କରିବାରେ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ସ୍ପଷ୍ଟ ବାରି ହେଉଛି। ଏହାର ଦ୍ବିତୀୟ ମାନ୍ୟତାପ୍ରାପ୍ତ ଔଷଧ ବା ଷ୍ଟେପ୍ଡାଉନ୍ ଡ୍ରଗ୍ କୁହାଯାଉଥିବା ପୋସାକୋନାଜଲ୍ କିଣିବାରେ ବି ରାଜ୍ୟ ସରକାର ବା ଔଷଧ ନିଗମ ଆନ୍ତରିକତା ଦେଖାଉ ନଥିବା ଆଲୋଚନା ହେଉଛି।
ଏହି ଔଷଧ ବଜାରରେ ଉପଲବ୍ଧ ଥିବା ସତ୍ତ୍ବେ ସରକାର ଏହା କିଣୁ ନାହାନ୍ତି। କିନ୍ତୁ ଭିମ୍ସାର୍ର ସମାଜସେବୀ ଡାକ୍ତର ଶଂକର ରାମଚନ୍ଦାନୀ ନିଜ ପକେଟ୍ରୁ ଖର୍ଚ୍ଚ କରି ଖୋଲା ବଜାରରୁ ଏହି ଔଷଧ କିଣି ଗରିବ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଦାନ କରିବା ସରକାର ପାଇଁ ଏକ ବଡ଼ ଆହ୍ବାନ ପାଲଟିଛି। ଡା. ରାମଚନ୍ଦାନୀ ଗତ ୩୦ ତାରିଖ ଦିନ ମୁମ୍ବାଇରୁ ୫୦ ହଜାର ଟଙ୍କାରେ ପୋସାକୋନାଜଲ୍ର ୨ଟି ସିରପ୍ ଓ ଗୋଟିଏ ଷ୍ଟ୍ରିପ୍ ଟାବ୍ଲେଟ୍ ମଗାଇ ଭିମସାର୍ରେ ଚିକିତ୍ସିତ ରୋଗୀଙ୍କ ପାଇଁ ପ୍ରଦାନ କରିଥିଲେ। ଗୁରୁବାର ପୁଣି ଭୁବନେଶ୍ବରରୁ ୪୦ ହଜାର ଟଙ୍କାରେ ଭିନ୍ନ ଏକ କମ୍ପାନିର ଆଉ ଦୁଇଟି ପୋସାକୋନାଜଲ୍ ସିରପ୍ ମଗାଇଛନ୍ତି। ଏହି ଔଷଧରେ ରୋଗୀ ମାନେ କିଛି ହେଲେ ଉପକୃତ ହେବେ ବୋଲି ସେ କହିଛନ୍ତି। ତେବେ ଏହା ଏବେ ସରକାର ପାଇଁ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ସରକାର ପ୍ରକୃତରେ ଔଷଧ ପାଉ ନାହାନ୍ତି ବା ଏହି ଔଷଧର ମୂଲ୍ୟ ଅତ୍ୟଧିକ ହୋଇଥିବାରୁ ତାହା ରୋଗୀଙ୍କୁ ଦେବାକୁ ଚାହୁଁ ନାହାନ୍ତି ବୋଲି ଆଲୋଚନା ହେଉଛି।
ଆମ୍ଫୋଟେରିସିନ୍-ବି ଇଂଜେକ୍ସନ ଗୋଟିଏ ଭାଏଲ୍ର ମୂଲ୍ୟ ୬ରୁ ୮ ହଜାର ଟଙ୍କା। ଗୋଟିଏ ଦିନରେ ଜଣେ ରୋଗୀକୁ ୬ଟି ପର୍ଯ୍ୟନ୍ତ ଇଂଜେକ୍ସନ ଆବଶ୍ୟକ ଥିଲାବେଳେ ପ୍ରାୟ ୧ ମାସ ଧରି ଏହା ଦେବାକୁ ପଡ଼ିବ। ଅର୍ଥାତ୍ ୧୮୦ଟି ଇଂଜେକ୍ସନ କିଣିଲେ ଜଣେ ରୋଗୀ ପାଇଁ ୧୪,୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ। ସେହିପରି ପୋସାକୋନାଜଲ୍ ସିରପ୍ର ମୂଲ୍ୟ ୨୦ ହଜାର ଟଙ୍କା ଥିଲାବେଳେ ଏହା ଜଣେ ରୋଗୀକୁ ପ୍ରାୟ ୨୦ ଦିନ ପର୍ଯ୍ୟନ୍ତ ଦିଆଯାଇ ପାରିବ। ବର୍ତ୍ତମାନ ଉତ୍ପାଦନ କମ୍ ଥିବାରୁ ଏହି ଔଷଧ ଗୁଡ଼ିକର ଦାମ ଅଧିକ ଥିଲାବେଳେ ଆଗାମୀ କିଛି ଦିନ ମଧ୍ୟରେ ଉତ୍ପାଦନ ବଢ଼ିଲେ ଦାମ୍ କିଛିଟା ହ୍ରାସ ପାଇବ। ତେଣୁ ସରକାର ଔଷଧର ଦାମ୍ ହ୍ରାସ ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି ବୋଲି ବି କିଛି ରୋଗୀ ମହଲରେ ଆଲୋଚନା ହେଉଛି।
ଭିମସାର୍ ଷ୍ଟୋର୍ ମେଡିକାଲ୍ ଅଫିସର୍ ଡା. ଅଶୋକ ପାଣିଗ୍ରାହୀ କହିଛନ୍ତି ଯେ ଶୁକ୍ରବାର ୪୦ ଭାଏଲ୍ ଇଂଜେକ୍ସନ ବୁର୍ଲା ଆସିବାର ଅଛି। ପୂର୍ବରୁ ୩୦ଟି ଆସିଥିଲା। ରାଜ୍ୟ ସରକାରଙ୍କ ପାଖକୁ ମାତ୍ର ୧୦୦ ଭାଏଲ୍ ଆସିଥିବାବେଳେ ସରକାର ସେଥିରୁ ଆମକୁ ୭୦ ଭାଏଲ୍ ଦେଉଛନ୍ତି। ପୋସାକୋନାଜଲ୍ ଔଷଧ ଖୋଲା ବଜାରରେ ମିଳୁ ଥାଇପାରେ, କିନ୍ତୁ ଆମେ ସିଧାସଳଖ ତାହା କିଣି ପାରିବୁ ନାହିଁ। ତାହା ଯୋଗାଇ ଦେବାକୁ ଆମେ ଔଷଧ ନିଗମକୁ ରିକ୍ୟୁଜିସନ୍ ଦେଇଛୁ ବୋଲି ସେ ସୂଚନା ଦେଇଛନ୍ତି।