ପର୍ଯ୍ୟଟନ‌ରେ ବାଧକ ସାଜିଛି ହୋଟେଲ୍‌ ଅଭାବ: ଓଡ଼ିଶାରେ ଅଛି ମାତ୍ର ୧୬ ତାରକା ହୋଟେଲ

ବହୁ ପର୍ଯ୍ୟଟନସ୍ଥଳୀ ନିକଟରେ ରହିବା ସୁବିଧା ନାହିଁ

ଭୁବନେଶ୍ବର: କେରଳରେ ରହିଛି ୬୭୨ଟି ତାରକା ହୋଟେଲ, ଦେଶରେ ସର୍ବାଧିକ। ତାମିଲନାଡ଼ୁରେ ୧୧୬ଟି, ଗୁଜୁରାଟରେ ୧୦୭ଟି, ମହାରାଷ୍ଟ୍ରରେ ୧୦୨ଟି, ରାଜସ୍ଥାନରେ ୭୨ଟି, ଦିଲ୍ଲୀ ଓ ଗୋଆରେ ୪୪ଟି ତାରକା ହୋଟେଲ ରହିଛି। ଏପରିକି ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ରହିଛି ୮୭ଟି ଓ ଆ‌ନ୍ଧ୍ରପ୍ରଦେଶରେ ରହିଛି ୩୪ଟି ତାରକା ହୋଟେଲ। କିନ୍ତୁ ଓଡ଼ିଶାରେ ରହିଛି ମାତ୍ର ୧୬ଟି ତାରକା ହୋଟେଲ୍‌। ତାରକା ହୋଟେଲ୍‌ର ଅଭାବ ହିଁ ରାଜ୍ୟ ପର୍ଯ୍ୟଟନର ବିକାଶରେ ବାଧକ ସାଜିଛି। ସେଥିପାଇଁ ପ୍ରମୁଖ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାକୁ ପର୍ଯ୍ୟଟକଙ୍କ ଆଗମନ କମ୍ ରହୁଛି।

ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ବିଶାଳ ସମ୍ଭାବନା ଥିଲେ ବି ତାହାର ଠିକ୍ ଉପଯୋଗ ଏ ଯାଏ ହୋଇ ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଉପଯୁକ୍ତ ଭିତ୍ତିଭୂମି ଓ ଗମନାଗମନ ବ୍ୟବସ୍ଥା ଠିକ୍ ଭାବେ କରାଯାଇ ନାହିଁ। ଯଦିଓ ରାଜ୍ୟ ବଜେଟ୍‌ରେ ପର୍ଯ୍ୟଟନ ବିଭାଗ ପାଇଁ ଗତ ତିନି ବର୍ଷ ହେଲା ଅଧିକ ଅର୍ଥ ବରାଦ କରାଯାଉଛି, କିନ୍ତୁ ତାହା ଯଥେଷ୍ଟ ହେଉ ନାହିଁ। ଏସବୁ ସତ୍ତ୍ବେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା, ଜାତୀୟ ଓ ଆନ୍ତର୍ଜାତିକ ସ୍ତରର କାର୍ଯ୍ୟକ୍ରମ ଆଦି ଓଡ଼ିଶାରେ ଆୟୋଜନ କରାଯାଉଥିବାରୁ କିଛି ମାତ୍ରାରେ ରାଜ୍ୟ ତଥା ଦେଶ ବାହାରୁ ପର୍ଯ୍ୟଟକ ଆସୁଛନ୍ତି। ଯେତିକି ଆସୁଛନ୍ତି, ସେମାନଙ୍କୁ ବି ଉପଯୁକ୍ତ ଆତିଥେୟତା ଯୋଗାଇବା ପାଇଁ ଆମର ଭିତ୍ତିଭୂମି ପ୍ରସ୍ତୁତ ନାହିଁ। ବିଶେଷ କରି ବିଦେଶରୁ ଆସୁଥିବା ବହୁ ପର୍ଯ୍ୟଟକ ଆରାମଦାୟକ ରହଣୀ ପାଇଁ ଦାମୀ ହୋଟେଲ୍‌ ଖୋଜନ୍ତି। କିନ୍ତୁ ତାରକା ହୋଟେଲର ଅଭାବ ଯୋଗୁଁ ସେମାନେ ଏବେ ଓଡ଼ିଶା ଆସିବାକୁ ମୁହଁ ମୋଡ଼ୁଛନ୍ତି। ହାଟେଲ୍‌ ଆଣ୍ଡ୍‌ ରେସ୍ତୋଁରା ଆସୋସିଏସନ୍‌(ହାରୋ)ର ତଥ୍ୟ କହୁଛି, ଓଡ଼ିଶାରେ ଏବେ ମାତ୍ର ୧୬ଟି ତାରକା ହୋଟେଲ ରହିଛି। ଏଥିରେ ରୁମ୍ ସଂଖ୍ୟ‌ା ହେଲା ୧୨୪୨। ଅର୍ଥାତ ଏକକାଳୀନ ମାତ୍ର ୨୫୦୦ ପର୍ଯ୍ୟଟକଙ୍କ ରହିବା ପରି ଭିତ୍ତିଭୂମି ଆମ ରାଜ୍ୟରେ ଅଛି। ଏହି ତାରକା ହୋଟେଲ୍‌ର ଅଭାବ ଯୋଗୁ ହିଁ ରାଜ୍ୟରେ ଜାତୀୟ ଓ ଆନ୍ତର୍ଜାତିକସ୍ତରର ବଡ଼ ବଡ଼ କାର୍ଯ୍ୟକ୍ରମ ଆୟୋଜନ ସମ୍ଭବ ହୋଇପାରୁ ନାହିଁ। ପରୋକ୍ଷରେ ଏହା ରାଜ୍ୟର ପର୍ଯ୍ୟଟନ ଓ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରୁଛି।

ଆଉ ଏକ ଚିନ୍ତାଜନକ ବିଷୟ ହେଲା ରାଜ୍ୟରେ ମୁଖ୍ୟତଃ ତାରକା ହୋଟେଲ ସବୁ ଭୁବନେଶ୍ବର ଓ ପୁରୀରେ ହିଁ ରହିଛି। ଭୁବନେଶ୍ବର ଓ ପୁରୀ ଛଡ଼ା ଅବଶିଷ୍ଟ ଓଡ଼ିଶାରେ ଏବେ ୬ ହଜାରରୁ ଅଧିକ ତାରକା ହୋଟେଲ ରୁମ୍‌ର ଆବଶ୍ୟକତା ରହିଛି। ସେଥିମଧ୍ୟରୁ ୫-ତାରକା ବର୍ଗରେ ୫୦୦ ରୁମ୍‌, ୩-ତାରକା ବର୍ଗରେ ୨ ହଜାର ରୁମ୍‌ ଓ ୨-ତାରକା ବର୍ଗରେ ୪ ହଜାର ରୁମ୍‌ ନିର୍ମାଣ କରିବା ଆବଶ୍ୟକ। ପୁରୀ, ଭୁବନେଶ୍ବର ଓ ଚିଲିକା ବ୍ୟତୀତ ସାତକୋଶିଆ, ଭିତରକନିକା, କୋରାପୁଟ, ତାଲସରି ବେଳାଭୂମି, ଦାରିଙ୍ଗିବାଡ଼ି, ଫୁଲବାଣୀ ଓ ମୟୂରଭଞ୍ଜ ଆଦି ପର୍ଯ୍ୟଟନସ୍ଥଳ ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ସେଠାରେ ତାରକା ହୋଟେଲର ଅଭାବ ଓଡ଼ିଶାକୁ ପର୍ଯ୍ୟଟକ ଟାଣିବାରେ ସମର୍ଥ ହେଉନି। ଏ ଦିଗରେ ସରକାରୀ ସ୍ତରରେ ଠୋସ୍ ପଦକ୍ଷେପ ନିଆଯିବାର ଆବଶ୍ୟକତା‌ ରହିଛି।

ହାରୋ ପକ୍ଷରୁ ନିକଟରେ ସରକାରଙ୍କୁ ପର୍ଯ୍ୟଟନର ବିକାଶ ପାଇଁ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବ ମଧ୍ୟରେ ହୋଟେଲ୍‌ ସଂଖ୍ୟା କିପରି ବଢ଼ିବ, ତାହା ଏକ ପ୍ରମୁଖ ପ୍ରସଙ୍ଗ ରହିଥିଲା। ଭାରତୀୟ ପର୍ଯ୍ୟଟନ ପରିସଂଖ୍ୟାନ-୨୦୨୧ ଅନୁସାରେ ଅଧିକ ସଂଖ୍ୟାରେ ତାରକା ହୋଟେଲର ଉପଲବ୍ଧତା କାରଣରୁ ୨୦୨୦ ମସିହାରେ ସମୁଦାୟ ଭାରତୀୟ ପର୍ଯ୍ୟଟନର ୧୭.୬୦% ବିଦେଶୀ ପର୍ଯ୍ୟଟକ କେବଳ ମହାରାଷ୍ଟ୍ରକୁ ଆସିଥିବା ବେଳେ ତାମିଲନାଡୁକୁ ୧୭.୧୦%, ଉତ୍ତରପ୍ରଦେଶକୁ ୧୨.୪୦% ଓ ଦିଲ୍ଲୀକୁ ୯.୫% ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା। ଏପରିକି ପଡ଼ୋଶୀ ରାଜ୍ୟ ବିହାରକୁ ୪.୩୦% ବିଦେଶୀ ପର୍ଯ୍ୟଟକ ଆସିଛନ୍ତି। ଓଡ଼ିଶା ସମେତ ଦେଶର ଅବଶିଷ୍ଟ ୨୦ ରାଜ୍ୟକୁ ମୋଟ ବିଦେଶୀ ପର୍ଯ୍ୟଟକଙ୍କ ୧୨.୪% ଆସିଥିବା ତଥ୍ୟ କହୁଛି। ଅର୍ଥାତ୍‌ ସେହିବର୍ଷ ଦେଶକୁ ଆସିଥିବା ମୋଟ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାର ୧%ରୁ ବି କମ୍‌ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି। ତାହାର ଏକମାତ୍ର କାରଣ ହେଉଛି ଓଡ଼ିଶାରେ ତାରକା ହୋଟେଲର ଅଭାବ। ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଟାଣିବା ପାଇଁ ତାରକା ହୋଟେଲ ଗୁରୁତ୍ବ କେତେ ତାହା ଏହି ତଥ୍ୟରୁ ସ୍ପଷ୍ଟ ହେଉଛି। ଏଣୁ ସରକାର ଏହାକୁ ଗୁରୁତ୍ବର ସହ ନେଇ ଅଧିକରୁ ଅଧିକ ତାରକା ‌ହୋଟେଲ ନିର୍ମାଣ ଦିଗରେ ତତ୍ପରତା ଦେଖାଇବାକୁ ହାରୋ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।

ସମ୍ବନ୍ଧିତ ଖବର