ଧାନ ସଂଗ୍ରହ କେନ୍ଦ୍ରରେ ଭିତ୍ତିଭୂମି ଅଭାବ; ମଣ୍ଡିଶୂନ୍ୟ ୧୫ ଜିଲ୍ଲା, ୨୦୨୬ କେନ୍ଦ୍ରରେ ଗୋଦାମ ନାହିଁ

ଭୁବନେଶ୍ୱର : ଧାନ ସଂଗ୍ରହରେ ଆଜି ବି ଚାଲିଛି ମିଲରଙ୍କ ରାଜ୍‌। ଧାନ ସଂଗ୍ରହ କେନ୍ଦ୍ରର ସର୍ବନିମ୍ନ ସୁବିଧାର ଅଭାବର ଲାଭ ଉଠାଉଛନ୍ତି ମିଲ୍‌ ମାଲିକ। ଅଭାବୀ ଧାନ ବିକ୍ରି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ପେକ୍ସ ଜରିଆରେ ମଣ୍ଡି କିମ୍ବା କ୍ରୟ କେନ୍ଦ୍ରରେ ସିଧାସଳଖ ଚାଷୀଙ୍କ ଠାରୁ ଧାନ କ୍ରୟ କରୁଛନ୍ତି। ମାତ୍ର ଏହି ମଣ୍ଡି ଏବଂ କ୍ରୟ କେନ୍ଦ୍ରରେ ଗୋଦାମ, ପିଣ୍ଡି, ଶୌଚାଳୟ, ପାନୀୟ ଜଳ, ଅପେକ୍ଷା କେନ୍ଦ୍ର, ଇଣ୍ଟରନେଟ୍‌ ଭଳି ସର୍ବନିମ୍ନ ସୁବିଧା ମଧ୍ୟ ନାହିଁ। ଏଭଳି ସ୍ଥିତିରେ ଚାଷୀକୁ ଧାନର ଉପଯୁକ୍ତ ପ୍ରାପ୍ୟ କିଭଳି ମିଳିବ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ରିପୋର୍ଟ ଅନୁସାରେ, ରାଜ୍ୟର ୧୫ଟି ଜିଲ୍ଲାରେ ମଣ୍ଡି ନାହିଁ। ଗତବର୍ଷ ଖରିଫରେ ଗଞ୍ଜାମରେ ତୃତୀୟ ସର୍ବାଧିକ ୪ ଲକ୍ଷ ୫୦ ହଜାର ୪୬୯ ମେଟ୍ରିକ ଟନ୍‌ ଏବଂ ବାଲେଶ୍ବରରେ ୨ ଲକ୍ଷ ୧୫ ହଜାର ୪୧୭ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଥିଲା। କିନ୍ତୁ ଉଭୟ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଧାନ ସଂଗ୍ରହ ପାଇଁ ସବୁ ପ୍ରକାର ସୁବିଧା ଥିବା ଗୋଟିଏ ବି ମଣ୍ଡି ନିର୍ମାଣ କରାଯାଇନପାରିବା ଆଶ୍ଚର୍ଯ୍ୟ କରେ। ଅନୁଗୁଳ, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଖୋର୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ ଏବଂ ସୁନ୍ଦରଗଡ଼ ମଧ୍ୟ ମଣ୍ଡି ଶୂନ୍ୟ ହୋଇ ରହିଛି। ଅନ୍ୟ ଜିଲ୍ଲାରେ ମଣ୍ଡି ଥିଲେ ମଧ୍ୟ ତାହା ମଧ୍ୟ ଆବଶ୍ୟକତା ଅନୁସାରେ ନାହିଁ। ରାଜ୍ୟରେ ବର୍ତ୍ତମାନ କେବଳ ୨୯୪ଟି ମଣ୍ଡି ରହିଛି। ସର୍ବାଧିକ ମଣ୍ଡି କଳାହାଣ୍ଡିରେ ୭୪, ବରଗଡ଼ ୬୩, ମାଲକାନଗିରିରେ ୪୦ଟି ରହିଥିବା ରିପୋର୍ଟରେ ଦର୍ଶାଯାଇଛି।

photo-represnetative

ରାଜ୍ୟରେ ଆର୍‌ଏମସି ପରିଚାଳିତ ୩୩୬୫ଟି କ୍ରୟ କେନ୍ଦ୍ର ଜରିଆରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି। କିନ୍ତୁ ଏଥିରୁ ୨୦୨୬ଟି କ୍ରୟ କେନ୍ଦ୍ରର ନିଜସ୍ବ ଗୋଦାମ, ୨୫୮୨ର ପିଣ୍ଡି ଭଳି ସର୍ବନିମ୍ନ ସୁବିଧା ନାହିଁ। ବର୍ତ୍ତମାନ ଧାନ କ୍ରୟ ପ୍ରକ୍ରିୟାରେ ମହିଳା ଚାଷୀଙ୍କ ଭାଗିଦାରୀ ବଢିଛି। ଏସ୍‌ଏଚଜି ସଦସ୍ୟା ଧାନ ସଂଗ୍ରହ କରୁଛନ୍ତି। ସେହି ଦୃଷ୍ଟିରେ ମଣ୍ଡି ଏବଂ କ୍ରୟ କେନ୍ଦ୍ରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟର ଆବଶ୍ୟକତା ରହିଛି। କିନ୍ତୁ ରାଜ୍ୟର ୮୫୯ କ୍ରୟ କେନ୍ଦ୍ରରେ ଗୋଟିଏ ମଧ୍ୟ ଶୌଚାଳୟ ନାହିଁ। ୨୨୯ଟି କେନ୍ଦ୍ରରେ ବସିବାକୁ ସ୍ଥାନ ନାହିଁ, ୧୨୬ ସ୍ଥାନରେ ପାନୀୟ ଜଳ, ୧୮୭ କେନ୍ଦ୍ରର ଇଣ୍ଟରନେଟ୍‌ ସୁବିଧା ଏବଂ ୯୬୧ଟି କେନ୍ଦ୍ରର ନିଜସ୍ବ ଜମି ମଧ୍ୟ ନାହିଁ। ରାଜ୍ୟର ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର ଭଳି ଅନେକ ଜିଲ୍ଲା ଯେଉଁଠି ହାତୀ ଉପଦ୍ରବ ଲାଗିରହିଛି, ସେଠି ଭିତ୍ତିଭୂମି ଶୂନ୍ୟ କ୍ରୟ କେନ୍ଦ୍ରରେ ଧାନ ସଂଗ୍ରହ ଯୋଗୁଁ ଚାଷୀ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହେଉଛି।

ରିପୋର୍ଟ ଅନୁସାରେ, ଅନୁଗୁଳର ୯୪ଟି କ୍ରୟ କେନ୍ଦ୍ର ମଧ୍ୟରୁ ୩୯ରେ ପିଣ୍ଡି, ୪୯ରେ ଗୋଦାମ, ବାଲେଶ୍ବରର ୧୬୯ କେନ୍ଦ୍ର ମଧ୍ୟରୁ ୧୨୫ରେ ପିଣ୍ଡି, ୧୨୫ରେ ଗୋଦାମ, ବରଗଡ଼ର ୧୭୨ ମଧ୍ୟରୁ ୬୫ରେ ପିଣ୍ଡି, ୧୪୭ରେ ଗୋଦାମ ନାହିଁ। କଟକର ୨୨୫ କ୍ରୟ କେନ୍ଦ୍ର ମଧ୍ୟରୁ ୨୧୭ରେ ପିଣ୍ଡି, ୧୦୫ରେ ଗୋଦାମ, ଦେବଗଡ଼ର ୪୦ଟି କ୍ରୟ କେନ୍ଦ୍ର ମଧ୍ୟରୁ ୩୭ରେ ପିଣ୍ଡି, ୩୭ରେ ଗୋଦାମ, ଜଗତସିଂହପୁରର ୧୦୫ଟି କ୍ରୟ କେନ୍ଦ୍ର ମଧ୍ୟରୁ ୭୦ରେ ଗୋଦାମ, ଯାଜପୁରର ୧୦୨ କ୍ରୟ କେନ୍ଦ୍ର ମଧ୍ୟରୁ ୬୭ ଗୋଦାମ ଏବଂ କୌଣସି ଗୋଟିଏରେ ବି ପିଣ୍ଡି ନାହିଁ। ଝାରସୁଗୁଡ଼ାର ୪୩ କ୍ରୟ କେନ୍ଦ୍ର ମଧ୍ୟରୁ ଗୋଟିଏରେ ବି ପିଣ୍ଡି ନାହିଁ ଏବଂ ୩୯ରେ ଗୋଦାମ ନାହିଁ। କଳାହାଣ୍ଡିର ୧୭୫ କ୍ରୟ କେନ୍ଦ୍ର ମଧ୍ୟରୁ ୯୩ରେ ପିଣ୍ଡି, ୧୨୭ରେ ଗୋଦାମ ନାହିଁ। ଖୋର୍ଧାର ୧୫୨ କ୍ରୟ କେନ୍ଦ୍ର ମଧ୍ୟରୁ ୧୨୨ରେ ପିଣ୍ଡି, ୧୦୭ରେ ଗୋଦାମ, ୪ଟିରେ ଶୌଚାଳୟ, କୋରାପୁଟର ୮୪ଟି ଧାନ କ୍ରୟ କେନ୍ଦ୍ର ମଧ୍ୟରୁ ୬୬ରେ ପିଣ୍ଡି, ୭୦ରେ ଗୋଦାମ, ୧୫ରେ ଶୌଚାଳୟ, ମାଲକାନଗିରିର ୬୩ କ୍ରୟ କେନ୍ଦ୍ର ମଧ୍ୟରୁ ୨୩ରେ ପିଣ୍ଡି, ୪୬ରେ ଗୋଦାମ ନାହିଁ। ନୟାଗଡ଼ର ୧୫୯ କ୍ରୟ କେନ୍ଦ୍ର ମଧ୍ୟରୁ ୧୧୫ରେ ଗୋଦାମ, ନୂଆପଡ଼ାର ୫୭ କ୍ରୟ କେନ୍ଦ୍ର ମଧ୍ୟରୁ ୪୭ରେ ପିଣ୍ଡି, ୪୮ରେ ଗୋଦାମ ନାହିଁ। ପୁରୀର ୧୭୪ କ୍ରୟ କେନ୍ଦ୍ର ମଧ୍ୟରୁ ୧୬୯ରେ ଗୋଦାମ ଏବଂ ୧୭୪ରେ ପିଣ୍ଡି ନାହିଁ। ସମ୍ବଲପୁରର ୧୧୦ କ୍ରୟ କେନ୍ଦ୍ର ମଧ୍ୟରୁ ୩୩ରେ ପିଣ୍ଡି, ୮୬ରେ ଗୋଦାମ, ସୁବର୍ଣ୍ଣପୁରର ୬୩ କ୍ରୟ କେନ୍ଦ୍ର ମଧ୍ୟରୁ ୨୬ରେ ପିଣ୍ଡି, ୨୩ରେ ଗୋଦାମ, ସୁନ୍ଦରଗଡ଼ର ୧୩୪ କ୍ରୟ କେନ୍ଦ୍ର ମଧ୍ୟରୁ ୮୫ରେ ପିଣ୍ଡି, ୧୦୨ରେ ଗୋଦାମ ନାହିଁ ବୋଲି ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର