ବିକଳ୍ପ ଚାଷ ପ୍ରତି ଅନାଗ୍ରହ: କମୁଛି ପରିବା ରପ୍ତାନି, ଆଖୁ ଚାଷ କାଁ ଭାଁ

ବରଗଡ଼ : ମଣ୍ଡି ଅବ୍ୟବସ୍ଥା, ମିଲର୍ସ ମନମାନି ଏବଂ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଉଭୟ ରବି ଓ ଖରିଫ୍‌ ଋତୁରେ ଚାଷୀର ଧାନ ବରବାଦ୍‌ ହୋଇଯାଉଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସିଧାସଳଖ ପାରମ୍ପରିକ ଧାନ ଚାଷ ଉପରେ ପଡୁଛି। ଫଳରେ ଚାଷୀଙ୍କୁ ବିକଳ୍ପ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଛି। କିନ୍ତୁ ତାହା କେବଳ କାଗଜ କଲମରେ ସୀମିତ ରହୁଛି। ବିକଳ୍ପ ଚାଷ ପ୍ରତି ଚାଷୀଙ୍କ ଅନାଗ୍ରହ ବଢ଼ିବାରେ ଲାଗିଛି। ପରିସଂଖ୍ୟାନ ବି ଏହାର ହିସାବ ଦେଉଛି। ଜିଲ୍ଲାରେ ପୂର୍ବରୁ ଟମାଟୋ, ବାଇଗଣ, ପୋଟଳ, କଲରା ଏବଂ ଭେଣ୍ଡି ବମ୍ପର ଉତ୍ପାଦନ ହେଉଥିଲା। ସ୍ବାଭାବିକ ଋତୁରେ ଏସବୁ ଅନୁଗୁଳ, ଯାଜପୁର, ବାଲେଶ୍ବର, କଟକ, ଭୁବନେଶ୍ବର ଏବଂ ଛତିଶଗଡ଼କୁ ରପ୍ତାନୀ ହୁଏ। ପାଖାପାଖି ଦୈନିକ ୧୫୦ ଟନ୍‌ ପରିବା ରପ୍ତାନୀ ହେଉଥିଲା। କିନ୍ତୁ ଏବେ ଏହା ୧୦୦ରୁ ୧୨୦ ଟନ୍‌ ପାଖାପାଖି ସୀମିତ ରହିଛି।

ବରଗଡ଼ ଭଳି କୃଷି ପ୍ରଧାନ ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବାରୁ ପରିବା ଚାଷରୁ ଚାଷୀ ବିମୁଖ ହେଉଛନ୍ତି। ଚାଷୀ ଭଲ ଉତ୍ପାଦନ କଲେ ବି ତାକୁ ଦୀର୍ଘ ଦିନ ସଂରକ୍ଷିତ ରଖିବାକୁ କୌଣସି ବ୍ୟବସ୍ଥା ନାହିଁ। ଫଳରେ ପୂର୍ବରୁ ତରଭୁଜ, କଖାରୁ ଚାଷୀ ନିଜ ବିଲରେ ଟ୍ରାକ୍ଟର ମଡ଼ାଇ ଦେଉଥିବା ଭଳି ଘଟଣା ନଜରକୁ ଆସିଛି।

ସେହିପରି, ଏକଦା ବରଗଡ଼ ଜିଲ୍ଲା ଆଖୁଚାଷ ପାଇଁ ପ୍ରସିଦ୍ଧ ଥିଲା। କିନ୍ତୁ ଆଖୁ ଚାଷୀ ଏବେ ସଂକଟରେ। ଆଖୁ ପାଇଁ କିଛି ବଜାର ବ୍ୟବସ୍ଥା ନଥିବାରୁ ଚାଷୀଙ୍କୁ ଉଚିତ ପାଉଣା ମିଳୁନାହିଁ। ଫଳରେ ଜିଲ୍ଲାର ଅଧିକାଂଶ ଚାଷୀ ଏବେ ଆଖୁଚାଷ ପାଇଁ ବିମୁଖ ହେଉଥିବା ପରିଲକ୍ଷିତ ହେଉଛି। ସ୍ଥିତି ଏଭଳି ଯେ, ଆଖୁ କିଆରିରେ ଉଇ ଲାଗି ଯାଉଛି। ବରଗଡ଼ ଚିନି କଳ ଚାଲୁଥିବା ବେଳେ ସ୍ଥାନୀୟ ଆଖୁ ଚାଷୀ ସିଧାସଳଖ ମିଲ୍‌କୁ ଆଖୁ ପଠାଉଥିଲେ। କିନ୍ତୁ ଚିନିକଳ ଠପ୍‌ ହେବା ଦିନରୁ ଆଖୁ ଚାଷ ଢେର୍‌ କମିଛି। କାଁ ଭାଁ ଗୁଡ଼ ପାଇଁ କିଛି ଅଂଚଳରେ ଆଖୁଚାଷ ହେଉଛି। ୨୦୨୦ ଖରିଫ ଋତୁରେ ଜିଲ୍ଲାରେ ୧୦୧ ହେକ୍ଟର ଜମିରେ ଆଖୁ ଚାଷ ‌ହୋଇଥିଲା। ୨୦୨୧ରେ ୩ ଶହ ହେକ୍ଟରରେ ଚାଷ କରିବାକୁ ନୀତି ନିର୍ଦ୍ଧାରଣ ହୋଇଥିଲେ ହେଁ ଚାଷୀ ଏତିକି ଜମିରେ ଆଖୁଚାଷ କରିନଥିଲେ। ଗାଁ ଗଣ୍ଡାରେ ଆଖୁ ଚାଷ କେବଳ ସ୍ଥାନୀୟ ବଜାରର ଚାହିଦା ମେଣ୍ଟାଇବା ପାଇଁ କରାଯାଉଛି। ନଚେତ ନିଜ ପାଇଁ ଚାଷୀ ଗୁଡ଼ ପ୍ରସ୍ତୁତ କରି ସ‌ନ୍ତୁଷ୍ଟ ରହୁଛନ୍ତି। ଧାନ ତୁଳନାରେ ଆଖୁ ହେଲା ଲାଭକରୀ ଫସଲ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଧାନ ଚାଷ ଉଜୁଡ଼ି ଯାଉଛି। କିନ୍ତୁ ଆଖୁ ଚାଷ ଉପରେ ଏହାର କିଛି ଫରକ୍‌ ପଡ଼େ ନାହିଁ। କିନ୍ତୁ ଚାଷୀ ଆଖୁ ଚାଷ କରି ବିକିବ କେଉଁଠି? ‌ମୋଟାମୋଟି କହିବାକୁ ଗଲେ, ଚାଷୀକୁ ବିକଳ୍ପ ଚାଷରୁ ବି କିଛି ଫାଇଦା ମିଳୁନାହିଁ।

ସମ୍ବନ୍ଧିତ ଖବର