ଆନ୍ତରିକତା ଅଭାବ: ପ୍ରତିଶ୍ରୁତିରେ ଅଟକିଛି ରାଉରକେଲା ସ୍ବାସ୍ଥ୍ୟ ଜିଲ୍ଲା

ରାଉରକେଲା: ପରିସୀମା ଦୃଷ୍ଟିରୁ ସୁନ୍ଦରଗଡ଼ରେ ଦୁଇଟି ଅବକାରୀ ଓ ଦୁଇଟି କୃଷି ଜିଲ୍ଲା ରହିଛି। ଆଇନଶୃଙ୍କଳା ଦୃଷ୍ଟିକୋଣରୁ ଜିଲ୍ଲାରେ ଦୁଇଟି ପୁଲିସ ଜିଲ୍ଲା ରହିଛି। ସ୍ବାସ୍ଥ୍ୟ ସେବାରେ କ୍ଷେତ୍ରରେ ରାଉରକେଲାକୁ ବର୍ଷ ବର୍ଷ ଧରି ଅଣଦେଖା କରାଯାଉଛି। ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇଁ ରାଉରକେଲାକୁ ସ୍ବାସ୍ଥ୍ୟ ଜିଲ୍ଲା କରିବାକୁ ଅନେକ ବର୍ଷରୁ ଦାବି ହୋଇ ଆସୁଛି। ଅନେକବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି। କିନ୍ତୁ ଆଜି ଯାଏ ଏ ଦିଗରେ ସେମିତି କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ। ସେମିତି ରାଜନୈତିକ ଦଳ, ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ, ଧାରଣା ଦିଆଯାଇଛି।

ଏହାର କୌଣସି ପ୍ରଭାବ ସରକାରଙ୍କ ଉପରେ ପକାଇପାରିନି। ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ଉପରେ ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ୧୦ରୁ ଅଧିକ ବ୍ଲକର ଲକ୍ଷ ଲକ୍ଷ ଲୋକ ନିର୍ଭରଶୀଳ। ଏଥିସହ ସୁନ୍ଦରଗଡ଼ ସୀମାକୁ ଲାଗିଥିବା ପଡୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ର ଅନେକ ଜିଲ୍ଲାର ଲୋକଙ୍କ ପାଇଁ ଆର୍‌ଜିଏଚ୍‌ ସାହା ଭରସା ପାଲଟିଛି। ଆର୍‌ଜିଏଚ୍‌ର ବର୍ହି ବିଭାଗ (ଓପିଡି)ରେ ପ୍ରତ୍ୟେକ ଦିନ ହଜାରରୁ ଅଧିକ ରୋଗୀ ଓ ଅର୍ନ୍ତବିଭାଗ (ଆଇପିଡ଼ି)ରେ ୫୦୦ରୁ ଅଧିକ ରୋଗୀ ଭର୍ତ୍ତି ହେଉଛନ୍ତି। ସେମାନଙ୍କ ଭିତରୁ ଅନେକ ଆସୁଛନ୍ତି ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ। କିନ୍ତୁ ରୋଗୀ ସଂଖ୍ୟା ଅନୁପାତରେ ଡାକ୍ତର ନାହାନ୍ତି କି ବେଡ୍‌ ନାହିଁ। ଆବଶ୍ୟକୀୟ ବୈଷୟୀକ ବ୍ୟବସ୍ଥା ମଧ୍ୟ ନାହିଁ।

ଉପାନ୍ତ ବ୍ଲକ ବିଶ୍ରା, ନୂଆଗାଁ, ଗୁରୁଣ୍ଡିଆ, କୋଇଡା, ଲହୁଣିପଡା, ଲାଠିକଟା, କୁଆରମୁଣ୍ଡା ଆଦି ବ୍ଲକଗୁଡ଼ିକର ପିଏଚ୍‌ସି ଓ ସିଏଚ୍‌ସିର ସ୍ଥିତି ଭାରି ସାଂଘାତିକ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ସୁନ୍ଦରଗଡ଼ରେ ରହୁଥିବାରୁ ଅତିକମ୍‌ରେ ୧୫୦ କିମି ଦୂରରେ ଥିବା ଓ ଗମନାଗମନ ବାବଦରେ ନାନା ସମସ୍ୟା ରହିଥିବା ବିଶ୍ରା, କୋଇଡା, ନୂଆଗାଁ, କୁଆରମୁଣ୍ଡା, ଲାଠିକଟା, ବଣାଇ, ଲହୁଣିପଡା ଓ ଗୁରୁଣ୍ଡିଆ ଆଦି ବ୍ଲକର ଡାକ୍ତରଖାନାଗୁଡ଼ିକ ଉପରେ ତାଙ୍କର ନଜର ପଡୁନି କି ନିୟନ୍ତ୍ରଣ ରହୁନି। ସିଡିଏମ୍‌ଓ ନିୟମିତ ବ୍ୟବଧାନରେ ଏସବୁ ଉପାନ୍ତ ଡାକ୍ତରଖାନା ପରିଦର୍ଶନ କରିବା ସମ୍ଭବପର ହେଉନାହିଁ। ସିଡିଏମ୍‌ଓ ବାସ୍ତବ ସ୍ଥିତି ଅନୁଧ୍ୟାନ କରୁ ନଥିବାରୁ ଏହି ଡାକ୍ତରଖାନଗୁଡ଼ିକ ଜଣେ ଲେଖାଏଁ ଡାକ୍ତରରେ ଚାଲିଛି। ଫଳରେ ରୋଗୀମାନେ ଆର୍‌ଜିଏଚ୍‌କୁ ଆସିବାକୁ ବାଧ୍ୟ ହେଉଛନ୍ତି। ବର୍ଷ ବର୍ଷ ଧରି ଏପରିସ୍ଥିତି ଜାରି ରହିଛି। ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆର୍‌ଜିଏଚ୍‌କୁ ୪୦୦ ‌ବେଡ୍‌ ଡାକ୍ତରଖାନା ଭାବେ ଘୋଷଣା କରାଯାଇଥିଲା।

ଆର୍‌ଜିଏଚ୍‌ର ୪୦% ଖର୍ଚ୍ଚ ଦେଉଛି ଡିଏମ୍‌ଏଫ୍
କାଗଜକଲମରେ ୪୦୦ ବେଡ୍‌ ଘୋଷଣା
୨୭୬ ବେଡ୍‌ରେ ୫୦୦ ରୋଗୀ

ଘୋଷଣାକୁ ଇତି ମଧ୍ୟରେ ୩ ବର୍ଷ ବିତିଯାଇଥିଲେ ହେଁ, ତାହା କେବଳ କାଗଜକଲମରେ ସୀମିତ ରହିଛି। ୨୭୬ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ଦୈନିକ ଅର୍ନ୍ତବିଭାଗରେ ୪୦୦ରୁ ଅଧିକ ରୋଗୀ ଭର୍ତ୍ତି ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୩୦% ରୋଗୀ ପଡୋଶୀ ଝାଡ଼ଖଣ୍ଡ ଓ ଛତିଶଗଡର। ବେଡ୍‌ ଅଭାବରୁ ଅଧିକାଂଶ ସମୟରେ ୨୦% ରୋଗୀ ବେଡ୍‌ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ଆର୍‌ଜିଏଚ୍‌ରେ ମାସକୁ ଯେତିକ ଅର୍ଥ ଖର୍ଚ୍ଚ ହେଉଛି, ତା’ର ପ୍ରାୟ ୩୦ରୁ ୪୦% ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମ୍‌ଏଫ୍ ଏବେ ବହନ କରୁଛି। ପ୍ରାୟ ୧୭ରୁ ଅଧିକ ଡାକ୍ତର ଡିଏମ୍‌ଏଫ୍‌ରୁ ନିଯୁକ୍ତି ହୋଇଛନ୍ତି। କେବଳ ଡାକ୍ତର ନୁହନ୍ତି ୩୭ ନର୍ସ, ୨ଟି ଆମ୍ବୁଲାନ୍ସ ସମେତ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପାଣ୍ଠିରୁ ଆସୁଛି। ଦୀର୍ଘ ଦିନର ଦାବି ପରେ ସିଟି ସ୍କାନ୍ ଓ ଡାୟଲେସିସ୍‌ ସୁବିଧା ହୋଇଛି। ତାହା ପୁଣି ପିପି ମୋଡରେ। ଏଥିସହ ଏକ୍ସ-ରେ, ଅଲଟ୍ରା ସାଉଣ୍ଡ, ଇସିଜି, କେମୋ ‌ଥେରାପି ଆଦି କିଛି ସୁବିଧା ଉପଲବ୍ଧ ରହିଛି।

ଆଇସିୟୁ, ଏମ୍‌ଆର୍‌ଆଇ ସୁବିଧା ଆଜି ଯାଏ ହୋଇନାହିଁ। ମର୍ଗ ହାଉସ୍‌ରେ ଅଧିକାଂଶ ସମୟରେ ଏସି କାମ କରୁନି। ଯାହାକୁ କେନ୍ଦ୍ରକରି ଅନେକ ସମୟରେ ରୋଗୀଙ୍କ ସମ୍ପର୍କୀୟ ଓ ମର୍ଗହାଉସ୍‌ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି। କେବଳ ଏତିକି ନୁହେଁ, ଡାକ୍ତର ଓ କର୍ମଚାରୀଙ୍କ ପାଇଁ ରହିଛି ମାତ୍ର ୧୬ଟି ସରକାରୀ କ୍ବାର୍ଟର୍ସ। ୫୫ ଡାକ୍ତରଙ୍କ ପାଇଁ ମାତ୍ର ୬ଟି, ୨୦୦ରୁ ଅଧିକ କର୍ମଚାରୀଙ୍କ ପାଇଁ ମାତ୍ର ୧୦ଟି କ୍ବାର୍ଟର୍ସ ରହିଛି। ଏଭଳି ସ୍ଥିତିରେ ରାଉରକେଲା ସ୍ବାସ୍ଥ୍ୟ ଜିଲ୍ଲା ମାନ୍ୟତା ପାଇଲେ, ସ୍ବାସ୍ଥ୍ୟ ସେବାର କିଛିଟା ପରିବର୍ତ୍ତନ ହୋଇପାରନ୍ତା। କିନ୍ତୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିଜ ପକ୍ଷରୁ ସେଦିଗରେ କିଛି ଉଦ୍ୟମ ନକରି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପାଣ୍ଠି ଦୟାରେ ଲୋକଙ୍କୁ ଛାଡ଼ି ଦେଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର