କଟକ : ଏସ୍ସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ପ୍ରଫେସର ଅଭାବରୁ ଏବେ ୯ଟି ଡିଏମ୍ (ଡକ୍ଟରେଟ୍ ଅଫ୍ ମେଡିସିନ) ସିଟ୍ କଟିବା ଆଶଙ୍କା ସୃଷ୍ଟି ହୋଇଛି। ନେଫ୍ରାଲୋଜି, ୟୁରୋଲୋଜି, ମାଇକ୍ରୋବାୟୋଲୋଜି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ପ୍ରଫେସର ନାହାନ୍ତି। ମେଡିସିନ୍ ବିଭାଗରେ ବି ବିଶେଷଜ୍ଞ ଅଭାବ। ଏଭଳି ସମସ୍ୟାର ସମାଧାନ ପାଇଁ ସରକାର ଠିକା ନିଯୁକ୍ତି ପାଇଁ ପଦକ୍ଷେପ ନେଇଥିଲେ ବି ଆବଶ୍ୟକ ଯୋଗ୍ୟ ପ୍ରାର୍ଥୀ ମିଳି ନଥିବା ସୂଚନା ମିଳିଛି। ରାଜ୍ୟରେ ଖାଲି ପଡ଼ିଥିବା ୫୦ ପ୍ରଫେସର ଓ ୧୪୪ ଆସୋସିଏଟ୍ ପ୍ରଫେସର ପଦବିରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ହୋଇଥିବା ପ୍ରକ୍ରିୟାରେ ମାତ୍ର ଜଣେ ଇଏନ୍ଟି ପ୍ରଫେସରଙ୍କୁ ବାଲେଶ୍ବର ମେଡିକାଲ କଲେଜ ପାଇଁ ନିଯୁକ୍ତି ଦିଆଯାଇଥିବା ବେଳେ ୨୦ଜଣ ଆସୋସିଏଟ୍ ପ୍ରଫେସରଙ୍କୁ ବିଭିନ୍ନ ମେଡିକାଲ କଲେଜ ପାଇଁ ନିଯୁକ୍ତି ମିଳିଛି।
ତଥ୍ୟ ଅନୁଯାୟୀ, ଏସ୍ସିବି ନେଫ୍ରୋଲୋଜି ବିଭାଗରେ ୩ଜଣ ପ୍ରଫେସର ରହିବା କଥା। ହେଲେ, ବର୍ତ୍ତମାନ ସବୁ ପଦବି ଖାଲି ପଡ଼ିଛି। ଜଣେ ଆସୋସିଏଟ୍ ପ୍ରଫେସର ଓ ଜଣେ ଆସିଷ୍ଟାଣ୍ଟ ପ୍ରଫେସରରେ ଚାଲିଛି ବିଭାଗ। ଅନ୍ତଃସ୍ରାବୀ (ଏଣ୍ଡୋକ୍ରାଇନୋଲୋଜି) ବିଭାଗ ମଧ୍ୟ ଚାଲିଛି କାମଚଳା ଢଙ୍ଗରେ। ସେହି ବିଭାଗରେ ପ୍ରଫେସରଙ୍କ ଅବସର ପରେ ପୁଣି ତାଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି। ଅନ୍ୟପଟେ ୟୁରୋଲୋଜି ବିଭାଗ ମଧ୍ୟ ପ୍ରଫେସର ଶୂନ୍ୟ। ନେଫ୍ରୋଲୋଜି,ଏଣ୍ଡୋକ୍ରାଇନୋଲୋଜି ବିଭାଗରେ ଡିଏମ୍ ଓ ୟୁରୋଲୋଜିରେ ଏମ୍ସିଏଚ୍ ପାଠ୍ୟକ୍ରମ ଥିବାବେଳେ ଏଣ୍ଡୋକ୍ରାଇନୋଲୋଜି ବିଭାଗରେ ଚୁକ୍ତିଭିତ୍ତିକ ପ୍ରଫେସର ଥିବାରୁ ସେହି ବିଭାଗ ପାଇଁ ବର୍ତ୍ତମାନ ସମସ୍ୟା ନାହିଁ। କିନ୍ତୁ ନେଫ୍ରୋଲୋଜି ଓ ୟୁରୋଲୋଜି ବିଭାଗରେ ସରକାର ତୁରନ୍ତ ପ୍ରଫେସର ନିଯୁକ୍ତ ନକଲେ ଯଥାକ୍ରମେ ଡିଏମ୍ ଓ ଏମ୍ସିଏଚ୍ ପାଠ୍ୟକ୍ରମକୁ ନେଇ ସମସ୍ୟା ସୃଷ୍ଟି ହେବାକୁ ଯାଉଛି। ଏସ୍ସିବି ନେଫ୍ରୋଲୋଜି ବିଭାଗରେ ୪, ୟୁରୋଲୋଜିରେ ୫, ଏଣ୍ଡୋକ୍ରାଇନୋଲୋଜି ବିଭାଗରେ ୨ଟି ଡିଏମ୍ ସିଟ୍ ରହିଛି। ନେଫ୍ରୋଲୋଜି ବିଭାଗରେ ଏସ୍ସିବିରେ ଡିଏମ୍ ପାଠ୍ୟକ୍ରମ ଥିବାବେଳେ ଏମ୍କେସିଜିରେ ଡିଏମ୍ ପାଠ୍ୟକ୍ରମ ନାହିଁ । କିନ୍ତୁ ଏମ୍କେସିଜିରେ ପ୍ରଫେସର ଥିବାବେଳେ ଏସ୍ସିବିରେ ନାହାନ୍ତି।
ୟୁରୋଲୋଜି ବିଭାଗରେ ସରକାରୀ ବ୍ୟବସ୍ଥାରେ ପ୍ରଥମ ରୋବୋଟିକ୍ ସର୍ଜରି ପାଇଁ ୧୨କୋଟି ଟଙ୍କା ପଡ଼ିରହିଛି। ୭ ବର୍ଷ ହେଲା ଟଙ୍କା ପଡ଼ିରହିଥିଲେ ବି ଏହାର ଟେଣ୍ଡର କିନ୍ତୁ ହୋଇପାରୁନି। ଅନ୍ୟପଟେ ଏଥିପାଇଁ ତିଆରି ହୋଇ ରହିଥିବା ସ୍ବତନ୍ତ୍ର ମଡୁଲାର ଓଟି ପଡିଛି। ସେହିପରି ଲିଭର ପ୍ରତିରୋପଣ ବ୍ୟବସ୍ଥା ୯ବର୍ଷ ହେଲା ଏସ୍ସିବିରେ ଆରମ୍ଭ ହୋଇପାରୁନି। ପ୍ରତିରୋପଣ ବ୍ୟବସ୍ଥା ପାଇଁ ଗତ ନଭେମ୍ବରରୁ ସ୍ବତନ୍ତ୍ର ପଂଜୀକରଣ ଓପିଡି ଖୋଲା ଯାଇଥିଲେ ମଧ୍ୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇ ପାରୁନି।