୨୫ ଜିଲ୍ଲାରେ ଅଭାବୀ ବର୍ଷା, ଅଗଷ୍ଟ ଶେଷ ସପ୍ତାହରେ ରାଜ୍ୟରେ ପାଗ ଶୁଖିଲା

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୫ ତାରିଖରୁ ୧୮ ତାରିଖ ଯାଏ ରାଜ୍ୟରେ ବର୍ଷା ହେଲା। କିନ୍ତୁ ଏହି ବର୍ଷା ରାଜ୍ୟ‌ର ନିଅଣ୍ଟିଆ ବର୍ଷା ସ୍ଥିତିକୁ ଭରଣା କରିବାରେ ଅକ୍ଷମ ହେଲା। ଏବେ ବି ରାଜ୍ୟରେ ୨୯% ଅଭାବୀ ବର୍ଷା ରେକର୍ଡ ହୋଇଛି। ଏଥିସହ ୨୫ଟି ଜିଲ୍ଲାରେ ଅଭାବୀ ବର୍ଷା ସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଲାଣି। ଅନ୍ୟପଟେ ରାଜ୍ୟରେ ଆଜିଠାରୁ ବର୍ଷାର ପରିମାଣ କମିଯିବ। ଅଗଷ୍ଟ ‌ଶେଷ ସପ୍ତାହରେ ବି ବର୍ଷାର ବିଶେଷ ସମ୍ଭାବନା ନଥିବାରୁ ନିଅଣ୍ଟିଆ ବର୍ଷା ସ୍ଥିତି ଆଗକୁ ଆହୁରି ଚିନ୍ତାଜନକ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଲେଣି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା କ୍ଷୀଣ। କେନ୍ଦ୍ର କହିଛି, ୧ ଜୁନ୍‌ରୁ ୧୯ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୫୬୮.୮ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ବାଭାବିକ ବର୍ଷା ୭୯୭.୯ ମିମିଠାରୁ ୨୯% କମ୍‌ ରହିଛି। ଏହି ସମୟ ପରିଧି ମଧ୍ୟରେ ପାଖାପାଖି ୨୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ସର୍ବାଧିକ ଅଧିକ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା। ଏଠାରେ ୫୪% କମ୍‌ ବର୍ଷା ରେକର୍ଡ ହୋଇଥିବା ବେଳେ ଏଥିସହ ଭଦ୍ରକରେ ୫୨%, କେନ୍ଦୁଝରରେ ୪୨% ଓ ବଲାଙ୍ଗୀରରେ ୪୧% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଯାଇଛି। ଅଗଷ୍ଟ ଶେଷ ସୁଦ୍ଧା ନିଅଣ୍ଟିଆ ବର୍ଷାର ପରିମାଣ ୫୦%କୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର