ଅଗଷ୍ଟରେ ବି ଅଭାବୀ ବର୍ଷା! ୧୯ ପ୍ରତିଶତ ନିଅଣ୍ଟିଆ ବର୍ଷାରେ ସରିଲା ଜୁଲାଇ

ଭୁବନେଶ୍ବର : ତିନି ତିନିଟି ଲଘୁଚାପ ସତ୍ତ୍ବେ ୧୯ ପ୍ରତିଶତ ଅଭାବୀ ବର୍ଷାରେ ସରିଛି ଜୁଲାଇ। ଜୁଲାଇ ୧ରୁ ୩୧ ମଧ୍ୟରେ ରାଜ୍ୟରେ ୪୫୬.୩ ମିମି ବର୍ଷା ହୋଇଛି। ସ୍ବାଭାବିକ ଭାବେ ଏହି ସମୟ ମଧ୍ୟରେ ୫୬୨.୩ମିମି ବର୍ଷା ହୋଇଥାଏ। ସବୁଠୁ ବଡ଼ ଚିନ୍ତାର ବିଷୟ ହେଲା, ଅଗଷ୍ଟରେ ବି ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ନାହିଁ। ତେଣୁ ଜୁଲାଇର ନିଅଣ୍ଟିଆ ବର୍ଷା ଅଗଷ୍ଟରେ ଭରଣା ହୋଇପାରିବ ନାହିଁ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରନୁଯାୟୀ, ଜୁଲାଇରେ ରାଜ୍ୟର ୧୯ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଭଦ୍ରକରେ ସର୍ବାଧିକ ନିଅଣ୍ଟିଆ ବର୍ଷା ପରିସ୍ଥିତି ଉପୁଜିଛି। ଏଠାରେ ୪୫%ରୁ ଅଧିକ ଅଭାବୀ ବର୍ଷା ହୋଇଛି। ସେହିପରି ଯାଜପୁର ଜିଲ୍ଲାରେ ଅଭାବୀ ବର୍ଷାର ପରିମାଣ ୪୦%ରୁ ଅଧିକ ରହିଛି।

କେନ୍ଦ୍ରର ସୂଚନା ମୁତାବକ, ୨୦୨୦ ଜୁଲାଇ ଅପେକ୍ଷା ଚଳିତ ଜୁଲାଇରେ ରାଜ୍ୟରେ ବର୍ଷାର ପରିମାଣ ଅଧିକ ରହିଛି। ଗତବର୍ଷ ଜୁଲାଇରେ ରାଜ୍ୟରେ ୨୨୪.୮ମିମି ବର୍ଷା ହୋଇଥିବା ବେଳେ ଚଳିତ ଜୁଲାଇରେ ୨୭୫ମିମି ବର୍ଷା ହୋଇଛି। ଅର୍ଥାତ ଗତବର୍ଷ ଜୁଲାଇରେ ରାଜ୍ୟରେ ୩୫% ନିଅଣ୍ଟିଆ ବର୍ଷା ହୋଇଥିଲା। ଅନ୍ୟପଟେ ଅଗଷ୍ଟ ଆରମ୍ଭରୁ ହିଁ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଗତକାଲି ଝାଡ଼ଖଣ୍ଡ ଉପରେ ରହିଥିବା ସ୍ପଷ୍ଟଚିହ୍ନିତ ଲଘୁଚାପବଳୟ ଆଜି ଦକ୍ଷିଣ-ପଶ୍ଚିମ ବିହାର ଓ ଏହାର ଆଖପାଖ ଅଞ୍ଚଳ ଉପରେ ରହିଛି। ଏହାର ପ୍ରଭ‌ାବ ଓଡ଼ିଶା ଉପରେ ବିଶେଷ ଭାବେ ରହିବ ନାହିଁ। ଆସନ୍ତା ଦୁଇ ଦିନ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଏହା ପରେ ୩ ଓ ୪ ତାରିଖ ଆଡ଼କୁ ରାଜ୍ୟର କିଛି କିଛି ଅଞ୍ଚଳରେ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଚଳିତ ବର୍ଷ ଜୁନ୍‌ରେ ମୌସୁମୀ ବର୍ଷା ନିଅଣ୍ଟିଆ ଥିଲା। ଜୁଲାଇରେ ତାହା ଅଧିକ ବଢ଼ି ରାଜ୍ୟର ଅନେକ ଜିଲ୍ଲାରେ କୃଷି କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଛି। ରାଜ୍ୟର ୩୧୪ଟି ବ୍ଲକ୍‌ରୁ ୧୯୧ଟି ବ୍ଲକରେ ଜୁଲାଇରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଜୁନ୍‌ରେ ୧୫୨ ଟି ବ୍ଲକରେ ନିଅଣ୍ଟିଆ ବର୍ଷା ସ୍ଥିତି ଉପୁଜିଥିଲା। ସେଥିମଧ୍ୟରୁ ୮୧ଟି ବ୍ଲକରେ ଜୁଲାଇରେ ୨୦୦ ମିମିରୁ କମ୍‌ ବର୍ଷା ହୋଇଛି। ଫଳରେ ଅଣ‌ଜଳସେଚିତ ଅଞ୍ଚଳରେ ଧାନ ରୁଆବେଉଷା ହେବାରେ ବ୍ୟାଘାତ ଘଟିଛି। ରାଜ୍ୟରେ ୮ଟି ବ୍ଲକରେ ଜୁଲାଇର ବର୍ଷା ୧୦୦ ମିମିରୁ କମ୍‌ ହେଇଛି। ଆସନ୍ତା ସପ୍ତାହରେ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା କମ୍‌ ଥିବାରୁ କମ୍‌ ପାଣିଥିଲେ ମଧ୍ୟ ରୁଆବେଉଷା କରନ୍ତୁ ବୋଲି ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର