କାଳିଆପାଣି: ଗାଁକୁ ରାସ୍ତା ନଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଘର ସ୍ବପ୍ନ ହୋଇ ରହିଛି। ସମସ୍ତ ପରିବାର ନାଁରେ ପ୍ରଧାନମନ୍ତ୍ରୀ ଆବାସ ମଞ୍ଜୁର ହୋଇଛି। କିନ୍ତୁ କେହି ଘର ତିଆରି କରିପାରୁ ନାହାନ୍ତି। କାରଣ ଗାଁକୁ ସଡ଼କ ନଥିବାରୁ ନିର୍ମାଣ ସାମଗ୍ରୀ ପହଞ୍ଚି ପାରୁନାହିଁ। ଏହି ଗାଁର ନାଁ ହେଉଛି ଗୁହିଆଶାଳ। ଯାଜପୁର ଜିଲ୍ଲାର ଅପଖ୍ୟାତ ନଗଡ଼ାର ପଡ଼ୋଶୀ ଗାଁ। ଏଠାରେ ୨୬ ଜୁଆଙ୍ଗ ଜନଜାତି ପରିବାର ବାସ କରୁଛନ୍ତି। ସମସ୍ତଙ୍କର ଝାଟିମାଟି ଚାଳଘର।
ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ଅନୁଦାନରେ ଏବଂ ବନ ବିଭାଗର ପ୍ରକଳ୍ପ ବିବରଣୀ ଆଧାରରେ ୨ କୋଟି ଟଙ୍କା ବ୍ୟୟରେ ନାଲିଆଡାବରୁ ଗୁହିଆଶାଳ ପର୍ଯ୍ୟନ୍ତ ୩ କିଲୋମିଟର ଦୈର୍ଘ୍ୟ ଓ ୧୫ ଫୁଟ ଚଉଡ଼ାର ସଡ଼କ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ୨୦୨୩ ନଭେମ୍ବର ୯ରେ ଳାନ୍ୟାସ ହୋଇଥିବା ବେଳେ ୨ ମାସ ମଧ୍ୟରେ କାମ ଆରମ୍ଭ ହୋଇଥିଲା। ପ୍ରସ୍ତାବିତ ପାହାଡ଼ୀ ସଡ଼କରେ ୫ଟି ପୋଲ (କଲଭର୍ଟ) ଓ ୫ଟି ଘୋଷରା (କଜୱେ) ନିର୍ମାଣ ପାଇଁ ନିଅଁ ଖୋଳାଯିବା ସହ ବାଲି, ଚିପ୍ସ ପଡ଼ିଥିଲା ଏବଂ ନାଲିଆଡାବ ନାତୁର ବିଟ୍ ହାଉସରେ ୨୦ କ୍ବିଣ୍ଟାଲ୍ ପାଖାପାଖି ଲୁହାଛଡ଼ ଓ ଏକ ଟ୍ରିପ୍ ସିମେଣ୍ଟ ଗଚ୍ଛିତ ରହିଥିଲା। ହେଲେ ବର୍ଷେରୁ ଅଧିକ ସମୟ ଧରି କାମ ଅଟକି ଯାଇଛି। ଲୁହାରଡ୍ ସବୁ କଳଙ୍କି ଧରିଲାଣି। ସିମେଣ୍ଟ ବସ୍ତା ସବୁ ପଥର ହୋଇଯାଇଛି। ନିଅଁ ପୋତି ହୋଇଗଲାଣି। ସଡ଼କ ନ ଥିବାରୁ ଗୁହିଆଶାଳ ଗାଁକୁ ନିର୍ମାଣ ସାମଗ୍ରୀ ପହଞ୍ଚି ପାରୁନଥିବା ସୁକିନ୍ଦା ବ୍ଲକ୍ ପ୍ରଶାସନ ପକ୍ଷରୁ କୁହାଯାଇଛି। ଦୁଇବର୍ଷ ତଳୁ ଗୁହିଆଶାଳ ଉଚ୍ଚ ପ୍ରାଥମିକ ସ୍କୁଲ କୋଠା ପାଇଁ କାର୍ଯ୍ୟାଦେଶ ମିଳିଥିଲେ ମଧ୍ୟ କାମ ଆରମ୍ଭ ହୋଇ ପାରୁନାହିଁ।
ଗାଁକୁ ଆମ୍ବୁଲାନ୍ସ ଗଡ଼ିବା ଅସମ୍ଭବ। ରୋଗୀ ଓ ଗର୍ଭବତୀ ଭାରରେ ବୁହାହୋଇ ନାଲିଆଡାବ ପର୍ଯ୍ୟନ୍ତ ଆସିଥାନ୍ତି। ଗତ ୨ ତାରିଖରେ ଯାଜପୁର ଜିଲ୍ଲାପାଳ ପି.ଅନ୍ବେଷା ରେଡ୍ଡୀ ଗୁହିଆଶାଳ ଗସ୍ତରେ ଯାଇ ବାସ୍ତବତା ଅନୁଧ୍ୟାନ କରିଥିଲେ। ବର୍ଷାଦିନ ପୂର୍ବରୁ ନାଲିଆଡାବ-ଗୁହିଆଶାଳ ସଡ଼କ ନିର୍ମାଣ ପାଇଁ ଏସିଏଫ୍ ଅନୀଲ ରାୟ, ରେଞ୍ଜର ଦେବେନ୍ଦ୍ର ମାଝୀ, ବନପାଳ ରାମ ତିରିଆ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଅବିନାଶ ବାରିକ, ଡିଏମ୍ଏଫ୍ ଟିମ୍ ଲିଡର ସତ୍ୟସ୍ବରୂପ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ। ଏସିଏଫ୍ ଅନୀଲ ରାୟ କହିଛନ୍ତି ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ପଲ୍ଲୀସଭା ହୋଇଥିଲେ ହେଁ ଅଧିକ କିଛି କାମ ଆଗେଇ ନଥିବା କହିଥିଲେ।