ଚାଷୀ ତରତର, ମିଳୁନି ବିହନ: ଧାନଚାଷ ପ୍ରତି ଅନାଗ୍ରହ, ଅଣଧାନ ଫସଲକୁ ଆଦର

ନିଅଣ୍ଟିଆ ସ୍ଥିତିରେ ମୟୂରଭଞ୍ଜ କୃଷି ବିଭାଗ

ବାରିପଦା: ଅକ୍ଷୟ ତୃତୀୟାରୁ ଅଖିମୁଠି ଅନୁକୂଳ କରି ଚାଷୀ ଏବେ ବିଲମୁହାଁ ହୋଇଛି। ଖରିଫ ଧାନ ଓ ଅଣଧାନ ଫସଲ ପାଇଁ ଚାଷୀମାନେ ପାଗ ଭିଡ଼ିଥିବା ବେଳେ ଏଯାଏ କୃଷି ବିଭାଗ ସେମାନଙ୍କୁ ବିହନ ଯୋଗାଇ ପାରିନାହିଁ। ଚଳିତ ଖରିଫ ଋତୁରେ ମୟୂରଭଞ୍ଜ ଜିଲ୍ଲାରେ ୪ ଲକ୍ଷ ୩୭ ହଜାର ହେକ୍ଟର ଜମିରେ ଚାଷ ପାଇଁ କୃଷି ବିଭାଗ ଲକ୍ଷ୍ୟ ରଖଛି। ସେଥିମଧ୍ୟରୁ ୨ ଲକ୍ଷ ୮୩ ହଜାର ହେକ୍ଟର ଜମିରେ ଧାନ ଓ ଅବଶିଷ୍ଟ ୧ ଲକ୍ଷ ୫୪ ହଜାର ହେକ୍ଟର ଜମିରେ ଅଣଧାନ ଚାଷ କରାଯିବ। ଭଲ ଅମଳ ପାଇଁ ସହଭାଗୀ, ସ୍ବର୍ଣ୍ଣ, କଳାଚମ୍ପା, ଲଲାଟ, ମଉଡ଼ମଣି, ପୂଜା ଆଦି ଉନ୍ନତ କିସମର ଧାନବିହନ ଲୋଡ଼ୁଛି ଚାଷୀ।

ଜିଲ୍ଲାର ଚାଷୀଙ୍କ ପାଇଁ ମୋଟ ୧୩ ହଜାର କୁଇଣ୍ଟାଲ୍‌ ଧାନ ବିହନ ଦରକାର ଥିବା ବେଳେ ଏବେ ୧୦ ହଜାର କୁଇଣ୍ଟାଲ୍‌ ମହଜୁଦ ରହିଛି। ଆହୁରି ୩ ହଜାର କୁଇଣ୍ଟାଲ୍‌ ବିହନ ଖୁବ୍‌ଶୀଘ୍ର ଯୋଗାଇ ଦିଆଯିବ ବୋଲି କୃଷି ବିଭାଗ କହିଛି। ତେବେ ଯାହା ଜଣାପଡ଼ିଛି; ସମିତିରୁ ଚାଷୀମାନେ ବିହନ କିଣିବେ ଓ ଏଥିପାଇଁ ସେମାନଙ୍କୁ କୁଇଣ୍ଟାଲ୍‌ ପିଛା ୩ ହଜାର ୫୦୦ ଟଙ୍କା ଦେବାକୁ ପଡ଼ିବ। ପରେ ସବ୍‌ସିଡି ବାବଦରେ ୧ ହଜାର ୪୫୦ ଟଙ୍କା ସଂପୃକ୍ତ ଚାଷୀମାନଙ୍କ ଆକାଉଣ୍ଟକୁ ଯିବ। ଅନ୍ୟପଟେ ଧାନବିହନ କିଣିବା ସମୟରେ ସବ୍‌ସିଡି ଟଙ୍କା କାଟି ଦେବାକୁ ଚାଷୀମାନେ ଦାବି କରୁଥିବାବେଳେ ଏ ନେଇ କୃଷି ବିଭାଗ କର୍ଣ୍ଣପାତ କରୁ ନ ଥିବା ‌ଚାଷୀ ମହଲରେ ଅଭିଯୋଗ ହୋଇଛି।

ସେହିପରି ଅଣଧାନ ଚାଷ ପାଇଁ ନିର୍ଦ୍ଧାରିତ ୧ ଲକ୍ଷ ୫୪ ହଜାର ହେକ୍ଟର ଜମି ମଧ୍ୟରୁ ୭୦ ହଜାର ୯୮୫ ହେକ୍ଟର ଜମିରେ ପନିପରିବା, ୫୪ ହଜାର ୯୪୦ ହେକ୍ଟର ଜମିରେ ଡାଲି ଜାତୀୟ ଫସଲ, ୭ ହଜାର ୪୫ ହେକ୍ଟର ଜମିରେ ତୈଳବୀଜ ଜାତୀୟ ଫସଲ, ୯୦୦ ହେକ୍ଟର ଜମିରେ ତନ୍ତୁ ଜାତୀୟ ଫସଲ, ୪ ହଜାର ହେକ୍ଟର ଜମିରେ ମକା, ୧ ହଜାର ୧୩୦ ହେକ୍ଟର ଜମିରେ ମାଣ୍ଡିଆ ଓ ବାକି ୧୫ ହଜାର ହେକ୍ଟର ଜମିରେ ଅଣଧାନ ଚାଷ ହେବ ବୋଲି ଲକ୍ଷ୍ୟ ରହିଛି। କୃଷି ବିଭାଗ ଏତେ ଯୋଜନା କରୁଥିଲେ ମଧ୍ୟ ବିହନ ଆବଶ୍ୟକତାକୁ ପୂରଣ କରିପାରୁନି। ଯାହାଫଳରେ ଚାଷୀମାନେ ବାହାରୁ ଅଧିକ ଦରରେ ବିହନ କିଣୁଛନ୍ତି। ଏ ସଂପର୍କରେ ଜିଲ୍ଲା କୃଷି ଅଧିକାରୀ ରବୀନ୍ଦ୍ର କୁମାର ଖଟୁଆଙ୍କୁ ପଚରାଯିବାରୁ ସେ କହିଥିଲେ, ଚାଷୀଙ୍କୁ ବିହନ ସହିତ ସାର, କୀଟନାଶକ, କୃଷି ଯନ୍ତ୍ରପାତି ଆଦି ରିହାତି ମୂଲ୍ୟରେ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଉଛି।

ଏଠାରେ ଉଲ୍ଲେଖଥାଉକି, ଧାନ ଅମଳ ପରେ ବିକ୍ରି ନେଇ ଚାଷୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯେଉଁଥି ପାଇଁ ପୂର୍ବଭଳି ଜିଲ୍ଲାରେ ଚାଷ ପ୍ରତି ଆଉ କାହାର ଆଗ୍ରହ ରହୁନି। ପ୍ରାୟ ୬୦ ପ୍ରତିଶତ ଜମି ପଡ଼ିଆ ପଡ଼ୁଛି। ଗତ କିଛିବର୍ଷ ହେଲା ଧାନବିକ୍ରିରେ ବିଭ୍ରାଟ ସୃଷ୍ଟି ହେଉଛି। ଟୋକନ୍‌ ପାଇ ବି ଚାଷୀମାନେ ଧାନ ବିକି ପାରୁନାହାନ୍ତି। ଧାନ ଖର୍ଦ୍ଦି ହେଲେ ବି ମାସ ମାସ ଧରି ପ୍ରାପ୍ୟ ମିଳୁନି। ଅନ୍ୟପକ୍ଷରେ ପରିବା ଓ ଡାଲି ଜାତୀୟ ଚାଷରେ ଅଧିକ ଲାଭ ଓ ବିକ୍ରିବଟାରେ କୌଣସି ସମସ୍ୟା ରହୁ ନଥିବାରୁ ଏଥିପ୍ରତି ଚାଷୀଙ୍କ ଆଗ୍ରହ ବଢ଼ୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର